ପଡ଼ିଆରେ ପଶି ଯୁକ୍ତିତର୍କ: ଧୋନିଙ୍କୁ ଜରିମାନା, ଟ୍ବିଟ୍‌ ଝଡ଼ରେ ନାପସନ୍ଦ

ଜୟପୁର: କ୍ୟାପ୍‌ଟେନ୍‌ କୁଲ୍‌ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି କିନ୍ତୁ ଚଳିତ ଆଇପିଏଲ୍‌ ଅବସରରେ ନିଜ ଉପରୁ ନିୟଂତ୍ରଣ ହରାଇଥିଲେ। ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ର ନାଟକୀୟ ଅନ୍ତିମ ଓଭରରେ ଅମ୍ପାୟାରଙ୍କ ବିବାଦୀୟ ନୋ-ବଲ୍‌ ନିଷ୍ପତ୍ତିକୁ ନେଇ ‌ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଧୋନି ଖୁବ୍‌ ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ସେ ପଡ଼ିଆ ମଧ୍ୟକୁ ପଶିଆସି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଦେଖିବାକୁ ମିଳିଥିଲା। ଏହା ଆଇପିଏଲ୍‌ ଆଚରଣ ବିଧି ଉଲଂଘନ ବୋଲି ବିବେଚନା କରାଯାଇଥିଲା। ଶେଷ ବଲ୍‌ରେ ମିଚେଲ ସାଣ୍ଟ୍‌ନରଙ୍କ ଛକା ବଳରେ ଚେନ୍ନାଇ ବିଜୟ ହାସଲ କରିଥିଲେ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଧୋନିଙ୍କ ଉପରେ ଜରିମାନା ଲଦି ଦିଆଯାଇଛି। ତାଙ୍କୁ ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ଜରିମାନା ଦଣ୍ଡ ମିଳିଛି। ତେବେ ଧୋନି ଅଳ୍ପକେ ବାସନ୍ଦରୁ ବର୍ତି ଯାଇଛନ୍ତି।

ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ୧୫୨ ରନ୍‌ର ପିଛା କରୁଥିଲା ବେଳେ ୪୩ ବଲ୍‌ରୁ ୫୮ ରନ୍‌ କରି ଧୋନି ଶେଷ ଓଭରର ତୃତୀୟ ବଲ୍‌ରେ ପାଭିଲିୟନ୍‌ ଫେରି ଯାଇଥିଲେ। ତାଙ୍କ ଆଉଟ୍‌ ପରେ ଶେଷ ଓଭର ବୋଲିଂ କରୁଥିବା ରାଜସ୍ଥାନ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏକ ଉଚ୍ଚା ଫୁଲ୍‌ଟସ୍‌ ବଲ୍‌ ସାଣ୍ଟ୍‌ନରଙ୍କୁ ଫିଙ୍ଗିଥିଲେ। ଅମ୍ପାୟାର ଉଲ୍ଲାସ ଗାନ୍ଧୀ ଏହାକୁ ନୋ-ବଲ୍‌ ଡାକିଥିଲେ। ହେଲେ ସ୍କୋ‌ୟାର ଲେଗ୍‌ ଅମ୍ପାୟାର ବ୍ରୁସ୍‌ ଅକ୍ସନ୍‌ଫୋର୍ଡ ଏହାକୁ ନାକଚ କରି ଦେଇଥିଲେ। ଫଳରେ କ୍ରିଜ୍‌ରେ ଥିବା ରବୀନ୍ଦ୍ର ଜାଦେଜା ଓ ସାଣ୍ଟ୍‌ନର୍‌ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଡଗ୍‌ଆଉଟ୍‌ରୁ ଆସି ଧୋନି ସେମାନଙ୍କ ସହ ସାମିଲ ହୋଇ ଯୁକ୍ତିତର୍କ ବଢ଼ାଇଥିଲେ। ତଥାପି ଅମ୍ପାୟାର ସେମାନଙ୍କ ନିଷ୍ପତ୍ତି ବଦଳାଇବାକୁ ମନା କରିଦେଇଥିଲେ। ଏଥି ସହିତ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ଧୋନିଙ୍କ ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ କାଟି ନିଆଯାଇଛି।

ଜୟପୁର: ଧୋନି ପଡ଼ିଆ ଭିତରେ ପଶି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ସାଙ୍ଗକୁ ଖେଳରେ ବ୍ୟାଘାତ ପହଞ୍ଚାଇବା କେତେଦୂର ଠିକ୍‌ ମୁଁ ଜାଣିନି।‌ ଚଳିତ ଆଇପିଏଲ୍‌ରେ ଉତ୍ତେଜନାମୂଳକ ସ୍ଥିତି ଉପୁଜୁଛି। ପ୍ରତି ରନ୍‌ ପାଇଁ ପ୍ରତ୍ୟେକ ଦଳ ଚାପରେ ରହୁଛି। ହେଲେ ପଡ଼ିଆକୁ ଅନଧିକାର ପ୍ରବେଶ ଆଦୌ ଠିକ୍‌ ନୁହେଁ। ଯେକେହି ଏହାକୁ ନାପସନ୍ଦ କରିବେ ଏବଂ ଧୋନିଙ୍କ କାର୍ଯ୍ୟକଳାପ ଆଦୌ ଯଥାର୍ଥ ହୋଇନାହିଁ ବୋଲି କହିଛନ୍ତି ରାଜସ୍ଥାନ ରୟାଲ୍ସର ଇଂଲିସ୍‌ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍ଟଲର୍‌।

ଧୋନି ସବୁ ସୀମାରେଖା ଟପି ଯାଇଛନ୍ତି ବୋଲି ମୁଁ ବିଶ୍ବାସ କରୁଛି। କେବଳ ଜରିମାନା ଦଣ୍ଡ ମିଳିଥିଲେ ମଧ୍ୟ ଭାଗ୍ୟବଶତଃ ସେ ବାସନ୍ଦ ହେବାରୁ ବର୍ତିଯାଇଛନ୍ତି। ଏକଥା କହିଛନ୍ତି ଚଳିତ ଆଇପିଏଲ୍‌ରେ ଭା‌ଷ୍ୟକାର ଭୂମିକା ତୁଲାଉଥିବା ପୂର୍ବତନ ଭା‌ରତୀୟ ବ୍ୟାଟ୍‌ସମ୍ୟାନ୍‌ ସଞ୍ଜୟ ମଞ୍ଜରେକର।

ଏଭଳି ଘଟଣା ପାଇଁ ଧୋନିଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍‌। ଏଭଳି ଆଚରଣ ଖେଳ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏପରିକି ଜଣେ ଅଧିନାୟକ ଭାବେ ଡଗ୍‌ଆଉଟ୍‌ରୁ ପିଚ୍‌ ଉପରକୁ ଝଡ଼ ଭଳି ପ୍ରବେଶ କରିବାର ଅଧିକାର ଧୋନିଙ୍କର ନାହିଁ ବୋଲି ସେ ଟ୍ବିଟ୍‌ କରିଛନ୍ତି। ଧୋନି ଖରାପ ଉଦାହରଣ ଛାଡ଼ିଗଲେ ବୋଲି ମଧ୍ୟ ଭନ୍‌ କହିଛନ୍ତି।

ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ମାର୍କ ୱ’ ମଧ୍ୟ ତାଙ୍କ ଟ୍ବିଟ୍‌ରେ ଧୋନିଙ୍କ କାର୍ଯ୍ୟକଳାପ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଁ ଜାଣେ, ଆଇପିଏଲ୍‌ରେ ବିପୁଳ ପରିମାଣର ଅର୍ଥର ସଂପୃକ୍ତି ରହିଛି। ସେଥିପାଇଁ ମାଲିକଙ୍କ ଆଡୁ ଚାପ ରହୁଥିବ। ହେଲେ ବିଶେଷକରି ଦୁଇ ଭିନ୍ନ ଫ୍ରାଞ୍ଚାଇଜ୍‌ର ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ଏମ୍‌ଏସ୍‌ ଧୋନିଙ୍କ କାର୍ଯ୍ୟକଳାପ ଆଦୌ ଗ୍ରହଣୀୟ ନୁହେଁ ବୋଲି ମାର୍କ କହିଛନ୍ତି।

ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଆକାଶ ଚୋପ୍ରା କିନ୍ତୁ ‌ନିମ୍ନମାନର ଅମ୍ପାୟରିଂକୁ ସମାଲୋଚନା କରିଛନ୍ତି। ଏହାସତ୍ତ୍ବେ ଧୋନିଙ୍କ କାର୍ଯ୍ୟକଳାପ ଠିକ୍ ହୋଇନି ବୋଲି କହିଛନ୍ତି। ଆଉଟ୍‌ ହେବା ପରେ ଅଧିନାୟକ ଧୋନିଙ୍କର ପଡ଼ିଆ ଭିତରକୁ ପ୍ରବେଶ କରିବାର ଅଧିକାର ନାହିଁ। ସେ ଭୁଲ୍‌ କରିଛନ୍ତି ବୋଲି ଚୋପ୍ରା ଟ୍ବିଟ୍‌ କରିଛନ୍ତି।

ହେମାଙ୍ଗ ବଦାନି ମଧ୍ୟ ଧୋନିଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନୋ-ବଲ୍‌ ହେଉ ବା ପଡ଼ିଆ ଭିତରେ ଅନ୍ୟ କୌଣସି ନିଷ୍ପତ୍ତିକୁ ବଦଳାଇବାର ଅଧିକାର ଅମ୍ପାୟାରଙ୍କର ରହିଛି। ମାତ୍ର ଧୋନି ଏଥିରେ ଯେଭଳି ବ୍ୟାଘାତ ସୃଷ୍ଟି କଲେ ତାହା ଆଶ୍ଚର୍ଯ୍ୟ କରିଛି ବୋଲି ବଦାନି ଟ୍ବିଟ୍‌ କରିଛନ୍ତି।

ଭାରତୀୟ ଦଳର ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ବିଶେଷକରି ଅମ୍ପାୟାରିଂ ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଚଳିତ ଋତୁରେ ଅମ୍ପାୟାରିଂ ଖୁବ୍‌ ନିମ୍ନମାନର ହେଉଛି। ବେଳେବେଳେ ଅନୁଭବ କରିବାକୁ ପଡୁଛି, ତୁମେ କପ୍‌ ପାଇଁ ନା ଫେୟାର ପ୍ଲେ ପୁରସ୍କାର ପାଇଁ ଖେଳୁଛ ବୋଲି ପ୍ରଜ୍ଞାନ ଟ୍ବିଟ୍‌ କରିଛନ୍ତି।

ଫ୍ଲେମିଂଙ୍କ ସମର୍ଥନ
ଜୟପୁର: ବିବାଦୀୟ ନୋ-ବଲ୍‌ ନିଷ୍ପତ୍ତିକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ଧୋନିଙ୍କୁ ଜରିମାନା ଦଣ୍ଡ ମିଳିଥିଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‌ ଫ୍ଲେମିଂ କିନ୍ତୁ ତାଙ୍କୁ ସମର୍ଥନ ଦେଇଛନ୍ତି। ଧୋନି ଆଇପିଏଲ୍‌ ଆଚରଣ ବିଧିର ଉଲ୍ଲଂଘନ କରିନାହାନ୍ତି, ବରଂ ନୋ-ବଲ୍‌ ନିଷ୍ପତ୍ତିକୁ ଯେଉଁଭଳି ଢଙ୍ଗରେ ସମ୍ଭାଳିବା କଥା ଅମ୍ପାୟାର ତାହା କରିବାରେ ତ୍ରୁଟି କରିଥିବାରୁ ଧୋନି ରାଗି ଯାଇଥିଲେ। ତେଣୁ ସେ ସଂପୂର୍ଣ୍ଣ ଘଟଣା ସଂପର୍କରେ ସ୍ପଷ୍ଟ ଅବଗତ ହେବା ପାଇଁ ପଡ଼ିଆ ଭିତରକୁ ଯାଇଥିଲେ ବୋଲି ଫ୍ଲେମିଂ କହିଛନ୍ତି। ମ୍ୟାଚ୍‌ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ରହିଥିଲା ବେଳେ ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପ୍ରଭାବିତ ହେଉଥିବା ଦଳକୁ କ୍ଷୁବ୍‌ଧ କରିଥାଏ। ସେହି ଦୃଷ୍ଟିରୁ ନୋ-ବଲ୍‌ ବିବାଦ ଉପରେ ଅମ୍ପାୟାରଙ୍କଠୁ ସ୍ପଷ୍ଟ ହେବା ପାଇଁ ସେ ପଡ଼ିଆକୁ ପଶି ଯାଇଥିଲେ ବୋଲି ଫ୍ଲେମିଂ କହିଛନ୍ତି।

ସମ୍ବନ୍ଧିତ ଖବର