ମସ୍କୋ: ସର୍ବିୟା ବିପକ୍ଷ ମ୍ୟାଚ୍ରେ ବିବାଦୀୟ ଯୋଡ଼ା ବାଜ ପକ୍ଷୀ ମୁଦ୍ରାରେ ଉତ୍ସବ ପାଳନ କରିଥିବାରୁ ସ୍ୱିଜରଲାଣ୍ଡର ଦୁଇ ତାରକା ଖେଳାଳି ଗ୍ରାନିଟ୍ ଖାକା ଏବଂ ଜେରଦାନ ସାକିରିଙ୍କୁ ଫିଫା ଅର୍ଥଦଣ୍ଡରେ ଦଣ୍ଡିତ କରିଛି। ଖାକା ଓ ସାକିରିଙ୍କୁ ୧୦,୦୦୦ ଡଲାର ଏବଂ ସ୍ୱିଜରଲାଣ୍ଡର ଆଉ ଜଣେ ଖେଳାଳି ଷ୍ଟିଫାନ ଲିଚଷ୍ଟେଇନରଙ୍କୁ ୫,୦୦୦ ଡଲାର ଜରିମାନା କରାଯାଇଛି। ଲିଚଷ୍ଟେଇନର ମଧ୍ୟ ସାକିରି ଓ ଖାକାଙ୍କୁ ଅନୁକରଣ କରିଥିଲେ। ଏହି ତିନି ଜଣ ଫିଫା ନିୟମକୁ ଉଲ୍ଲଂଘନ କରି ରାଜନୈତିକ କାରଣରୁ ବିବାଦୀୟ ଢଙ୍ଗରେ ଗୋଲ୍ ଉତ୍ସବ ପାଳନ କରିଥିଲେ ମଧ୍ୟ ବାସନ୍ଦ ହେବାରୁ ବର୍ତି ଯାଇଛନ୍ତି। ସେପଟେ ମ୍ୟାଚ୍ ପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସର୍ବିୟା ଫୁଟବଲ୍ ସଂଘର ସଭାପତି ସ୍ଲାଭିସା କୋକେଜା ଏବଂ ଏହି ଦଳର ପ୍ରଶିକ୍ଷକ ମ୍ଲାଦେନ କ୍ରିଷ୍ଟାଜିକଙ୍କୁ ମଧ୍ୟ ୫,୦୦୦ ସ୍ୱିସ୍ ଫ୍ରାଙ୍କ ଜରିମାନା କରାଯାଇଛି।
ସର୍ବିୟା ପ୍ରଶଂସକଙ୍କ ଉଗ୍ର ଆଚରଣ ପାଇଁ ମଧ୍ୟ ଏହି ଦେଶର ଫୁଟବଲ୍ ସଂଘକୁ ଜରିମାନା ବାବଦରେ ୫୪,୦୦୦ ସ୍ୱିସ୍ ଫ୍ରାଙ୍କ ଦେବାକୁ ପଡ଼ିବ। ସାକିରି ଓ ଖାକାଙ୍କ ପାଇଁ ଜରିମାନା ଦେବାକୁ କିନ୍ତୁ ସ୍ୱିଜରଲାଣ୍ଡ ପ୍ରଶଂସକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ ପ୍ରଶଂସକଙ୍କଠାରୁ ଅର୍ଥ ସଂଗ୍ରହ କରି ଏହି ଦୁଇ ଖେଳାଳିଙ୍କ ଜରିମାନା ପୈଠ କରିବାକୁ ଯୋଜନା କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସାକିରି ଏବଂ ଖାକା କସଭୋରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସ୍ୱିଜରଲାଣ୍ଡରୁ ଫୁଟବଲ୍ ଖେଳୁଛନ୍ତି। କସଭୋ ୨୦୦୮ରେ ସର୍ବିୟାଠାରୁ ଅଲଗା ହୋଇ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା। ସେବେଠାରୁ ସର୍ବିୟା ସହ ଏହାର ବିବାଦ ଲାଗି ରହିଛି। ରୁଷିଆ ଓ ସର୍ବିଆ ସମେତ ଏକ ଡଜନରୁ ଅଧିକ ଦେଶ ଏ ପର୍ଯ୍ୟନ୍ତ କସଭୋକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇ ନାହାନ୍ତି। ଖାକା ଓ ସାକିରି ନିଜ ଜନ୍ମିତ ଦେଶର ଜାତୀୟ ପାତାକାରେ ଥିବା ଚିହ୍ନ ଭଳି ଉତ୍ସବ ପାଳନ କରି ପରୋକ୍ଷରେ କସଭୋକୁ ସମର୍ଥନ ଜଣାଇଥିଲେ। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା।