ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ତଥା ଦିବା-ରାତ୍ର ଟେଷ୍ଟ୍‌, ଅଷ୍ଟ୍ରେଲିଆର ବୃହତ୍ ବିଜୟ

ପର୍ଥ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ତଥା ଦିବା-ରାତ୍ର ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ୨୯୬ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଛି। ଏଥି ସହିତ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହେବା ସହିତ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟେଷ୍ଟ୍‌ ଚାମ୍ପିଅନସିପ୍ ଲାଗି ୪୦ ପଏଣ୍ଟ୍ ପକେଟସ୍ଥ କରି ନେଇଛି। ପ୍ରଥମ ପାଳିରେ ୧୬୬ ରନ୍‌ କରିଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ଦଳ ଦ୍ବିତୀୟ ପାଳିରେ ଅନୁରୂପ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୭୧ ରନ୍ କରିଥିଲା।

ରବିବାର ଚତୁର୍ଥ ଦିନ ଅପରାହ୍ନରେ ଅଷ୍ଟ୍ରେଲିଆ ୧୬୭/୬ରୁ ଖେଳି ମାତ୍ର ୧୨.୧ ଓଭର ପରେ ପାଳି‌ ଘୋଷଣା କରି‌ ଦେଇଥିଲା। ଏହି ଅବସରରେ ୫୦ ରନ୍ ଯୋଡ଼ି ୩ ୱିକେଟ୍ ହରାଇଥିଲା। ଟିମ୍ ସାଉଦି ୫ ୱିକେଟ୍ ସଫଳତା ପାଇଥିଲେ। ଫଳରେ ନ୍ୟୁଜିଲାଣ୍ଡ୍ ସମ୍ମୁଖରେ ୪୬୮ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଘରୋଇ ଦଳର ପେସ୍‌ ସ୍ପିନ୍‌ ମିଳିତ ଆକ୍ରମଣ ଆଗରେ କିନ୍ତୁ କେନ୍‌ ୱିଲିୟମ୍‌ସନ୍‌ଙ୍କ ଦଳ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ୫୭ ରନ୍‌ ଭିତରେ ୪ ୱିକେଟ୍‌ ହରାଇ ଦେବା ପରେ ନ୍ୟୁଜିଲାଣ୍ଡ୍ ଅଣ୍ଟା ଭାଙ୍ଗିଯାଇଥିଲା। ପ୍ରଥମ ପାଳିରେ ୫ ୱିକେଟ୍ ନେଇଥିବା ମିଚେଲ ଷ୍ଟାର୍କ ପୁଣି ୪ ୱିକେଟ୍ ଅକ୍ତିଆର କରି ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ। ନାଥନ୍ ଲାୟନ୍ ମଧ୍ୟ ୪ ୱିକେଟ୍ ନେଇଥିଲେ। କମିନ୍ସଙ୍କୁ ଅବଶିଷ୍ଟ ୨ ୱିକେଟ୍ ମିଳିଥିଲା। ମ୍ୟାଚ୍‌ରେ ମୋଟ ୯ ୱିକେଟ୍ ନେଇଥିବା ଷ୍ଟାର୍କ (୯/୯୭) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ଟେଷ୍ଟ୍ ବକ୍ସିଂ ଡେ’ (ଡିସେମ୍ବର ୨୬)ରୁ ମେଲବର୍ନରେ ଆରମ୍ଭ ହେବ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୧୬ (ମାର୍ନସ ଲବୁସାନ୍‌-୧୪୩, ଟ୍ରାଭିସ୍ ହେଡ୍‌-୫୬, ନିଲ୍ ୱାଗ୍‌ନର୍-୪/୯୨, ଟିମ୍ ସାଉଦି-୪/୯୩)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୧୬୬ (ରସ୍ ଟେଲର୍‌-୮୦, କେନ୍‌ ୱିଲିୟମ୍‌ସନ୍-୩୪, ମିଚେଲ୍ ଷ୍ଟାର୍କ-୫/୫୨, ନାଥନ୍ ଲାୟନ୍‌-୨/୪୮, ଜୋସ୍ ହାଜେଲଉଡ୍‌-୧/୦)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୬୯.୧ ଓଭରରେ ୨୧୭/୯, ଘୋଷଣା (ଜୋ ବର୍ନସ-୫୩, ମାର୍ନସ ଲବୁସାନ୍‌-୫୦, ଟିମ୍ ସାଉଦି-୫/୬୯, ନିଲ୍ ୱାଗ୍‌ନର୍‌-୩/୫୯)। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳି: ୬୫.୩ ଓଭରରେ ୧୭୧ (ବିଜେ ୱାଟଲିଙ୍ଗ୍‌-୪୦, କଲିନ୍ ଗ୍ରାଣ୍ଡ୍‌ହୋମ୍‌-୩୩, ମିଚେଲ୍ ଷ୍ଟାର୍କ-୪/୪୫, ନାଥନ୍ ଲାୟନ୍‌-୪/୬୩, ପ୍ୟାଟ୍ କମିନ୍ସ-୨/୩୧)।

ସମ୍ବନ୍ଧିତ ଖବର