ସାହଜାଦଙ୍କୁ ଫିକ୍ସିଂ ଅନୁରୋଧ

କାବୁଲ : ଏସିଆ କପ୍‌ ଅବସରରେ ଫିକ୍ସିଂ ଭୂତ ପୁଣି ଥରେ ଫେରିଛି। ଆଫଗାନିସ୍ତାନ ଓ୍ଵିକେଟ୍‌ ରକ୍ଷକ ମହମ୍ମଦ ସାହଜାଦ ଏହାର ଶିକାର ହୋଇଛନ୍ତି। ଚଳିତ ଏସିଆ କପ୍‌ର ଏକ ମ୍ୟାଚ୍‌ ଅବସରରେ ବୁକିମାନେ ସାହଜାଦଙ୍କୁ ଫିକ୍ସିଂ ପ୍ରସ୍ତାବ ଦେଇଥିବା ଜଣା ପଡ଼ିଛି। ଏହି ପ୍ରସ୍ତାବ ସାରଜାରେ ଆସନ୍ତା ଅକ୍ଟୋବର ମାସ ୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଆଫଗାନ ପ୍ରିମିୟର ଟେ୍ଵଣ୍ଟି-୨୦ ଲିଗ୍‌ରେ ଖରାପ ଖେଳିବାକୁ ତାଙ୍କୁ ଦିଆଯାଇଛି। ସାହଜାଦ ତୁରନ୍ତ ଏହି ବିଷୟରେ ନିଜ ଦଳର ଅଧିକାରୀମାନଙ୍କୁ ଜଣାଇଥିଲେ। ଅଧିକାରୀମାନେ ମଧ୍ୟ କାଳ ବିଳମ୍ବ ନକରି ଆଇସିସି ଦୁର୍ନୀତି ନିବାରଣ ବିଭାଗକୁ ଏହି ବିଷୟରେ ସୂଚନା ଦେଇଥିଲେ। ସାହଜାଦ ଏହି ଲିଗ୍‌ରେ ପକ୍ତିଆ ଦଳ ପକ୍ଷରୁ ଖେଳିବାକୁ ଚୁକ୍ତିଭୁକ୍ତ ହୋଇଛନ୍ତି। ଏହି ଦଳରେ ବ୍ରେଣ୍ଡନ ମ୍ୟାକଲମ୍‌, ସାହିଦ ଆଫ୍ରିଦି ଓ କ୍ରିସ୍‌ ଗେଲ୍‌ଙ୍କ ଭଳି ଖେଳାଳି ଅଛନ୍ତି। ସାହଜାଦଙ୍କୁ ବୁକ୍ତିମାନେ ଫିକ୍ସିଂ ପ୍ରସ୍ତାବ ଦେଇଥିବା ଆଇସିସି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି। ଏହି ମାମଲାରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାଇଛି। ଗତବର୍ଷର ଶ୍ରୀଲଙ୍କା ଗସ୍ତ ଅବସରରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ବି ଏଭଳି ପ୍ରସ୍ତାବ ମିଳିଥିଲା।

ସମ୍ବନ୍ଧିତ ଖବର