ଫ୍ଲଡ୍‌ ଲାଇଟ୍‌ରେ ଝଲସିବ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌

କାମ ଆରମ୍ଭ: ପଡ଼ିଆରେ ଲାଗିବ ୧୦ଟି ଟାଓ୍ଵାର

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ସ୍ଥାୟୀ ଫ୍ଲଡ୍‌ ଲାଇଟ୍‌ ଲାଗିବ। ଏଥି ପାଇଁ କାମ ଆରମ୍ଭ ହୋଇଛି। ଆଦିତ୍ୟ ବିର୍ଲା କମ୍ପାନି ପକ୍ଷରୁ ଷ୍ଟାଡିୟମ୍‌ରେ ଏହି ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା କରାଯାଉଛି। ମୋହାଲି ଷ୍ଟାଡିୟମ ଢାଞ୍ଚାରେ ଭିଏସ୍‌ଏସ୍‌ ଷ୍ଟାଡିୟମରେ ୧୦ଟି ଫ୍ଲଡ୍‌ ଲାଇଟ୍‌ ପିଲର ଲାଗିବ। ତେବେ ପ୍ରାୟ ୧୫ ମିଟରର ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ପିଲର ଲାଗୁଥିବାରୁ ଫ୍ଲଡ୍‌ ଲାଇଟ୍‌ ଗୁଡ଼ିକ ଷ୍ଟାଡିୟମ ଭିତରେ ପଡ଼ିଆରେ ଲଗାଯିବ। ଗୁରୁବାର ଫ୍ଲଡ୍‌ ଲାଇଟ୍‌ ପିଲର ଗୁଡ଼ିକ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ପହଞ୍ଚିଛି। ଏହାକୁ କଂକ୍ରିଟ୍‌ ବେସ୍‌ରେ ସ୍ଥାପନ କରାଯିବ। ପିଲର ଓ ଫ୍ରେମ୍‌ ଲାଗିବା ପରେ ଏଥିରେ ଏଲ୍‌ଇଡି ଲାଇଟ୍‌ ଲଗାଯିବ। ଏହାପରେ ବିଦ୍ୟୁତ ସଂଯୋଗ ଦିଆଯିବ। ମାସେ ମଧ୍ୟରେ ଫ୍ଲଡ୍‌ ଲାଇଟ୍‌ ଜଳିବ ବୋଲି ଓସିଏ ଉପସଭାପତି ତଥା ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନଙ୍କ ବହୁ ଦିନ ଧରି ଉଦ୍ୟମ ତଥା ଉତ୍ତରାଞ୍ଚଳ ଆର୍‌ଡିସି ଡିଭି ସ୍ୱାମୀ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଗ୍ରହ ଓ ଅନୁରୋଧରେ ଆଦିତ୍ୟ ବିର୍ଲା ପକ୍ଷରୁ ଭିଏସ୍‌ଏସ୍‌ ଷ୍ଟାଡିୟମରେ ଫ୍ଲଡ ଲାଇଟ୍‌ କାମ ହାତକୁ ନିଆ ଯାଇଥିଲା। ଏହି ଲାଇଟ୍‌ ଲାଗିବା ପରେ ଭିଏସ୍‌ଏସ୍‌ ଷ୍ଟାଡିୟମରେ ରାତ୍ରୀକାଳିନ କ୍ରିକେଟ୍‌ ମ୍ୟାଚ୍‌ ସହ ଅନ୍ୟାନ୍ୟ ଖେଳ ଓ କ୍ରୀଡ଼ା ଅଭ୍ୟାସ ହୋଇ ପାରିବ।

ସମ୍ବନ୍ଧିତ ଖବର