ବଲ୍‌ ବିବର୍ତ୍ତନ: ୧୯୩୦ରେ ଟିଏଣ୍ଟୋ, ୨୦୧୮ରେ ଟେଲ୍‌ଷ୍ଟାର୍‌

0 72

ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ ବ୍ୟବହୃତ ହୋଇ ଆସୁଥିବା ବଲ୍‌ର ରୂପ ଓ ଆକାରରେ ନାଟକୀୟ ପରିବର୍ତନ ହୋଇଛି। ୧୯୩୦ର ପ୍ରଥମ ବିଶ୍ୱକପ୍‌ରେ ବ୍ୟବହୃତ ହୋଇଥିବା ବଲ୍‌ ଏବେ ପୂରା ବଦଳି ଯାଇଛି। ବିଶ୍ୱକପ୍‌ ଇତିହାସ କେତେକାଂଶରେ ପେସାଦାର ଫୁଟ୍‌ବଲ୍‌ର ବିବର୍ତ୍ତନ ବା କ୍ରମବିକାଶକୁ ଦର୍ଶାଉଥିଲା ବେଳେ ଏହାର ପ୍ରଭାବ ବଲ୍‌ ଉପରେ ମଧ୍ୟ ପଡ଼ିଛି। ଘୁଷୁୁରି ଚମଡ଼ାରେ ତିଆରି ବ୍ଲାଡରର ସ୍ଥାନ ଏବେ ଉନ୍ନତ ଜ୍ଞାନ କୌଶଳରେ ପ୍ରସ୍ତୁତ ସିନ୍ଥେଟିକ୍‌ ବ୍ଲାଡର ନେଇଛି। ଚମକ ହୀନ ବଲ୍‌ ଏବେ ଚକ୍‌ ଚକ୍‌ ମାରୁଛି। ଭିନ୍ନ ଭିନ୍ନ ସଂସ୍କରଣରେ ବ୍ୟବହୃତ ହୋଇଥିବା ଅଲଗା ଅଲଗା ବଲ୍‌ର କାହାଣୀ ମଧ୍ୟ ବିଶ୍ୱକପ୍‌ ଇତିହାସ ଭଳି ବେଶ୍‌ ରୋଚକ ଏବଂ ରୋମାଞ୍ଚକର।

ବଲ୍‌ ପାଇଁ ଖସିଗଲା ବିଶ୍ୱକପ୍‌
ଟିଏଣ୍ଟୋ ଓ ଟି ମଡେଲ (୧୯୩୦)
ଉରୁଗୁଏରେ ଆୟୋଜିତ ୧୯୩୦ ପ୍ରଥମ ବିଶ୍ୱକପ୍‌ର କୌଣସି ଅଫିସିଆଲ ବଲ୍‌ ନଥିଲା। ସେଥିପାଇଁ ଦୁଇ ଫାଇନାଲିଷ୍ଟ ଉରୁଗୁଏ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇ ଯାଇଥିଲା। ଶେଷରେ ଉଭୟାର୍ଧରେ ଦୁଇଟି ବଲ୍‌ ବ୍ୟବହାର କରିବାକୁ ସହମତି ହୋଇଥିଲା। ଆର୍ଜେଣ୍ଟିନା ନିର୍ମିତ ବଲ୍‌ରେ ପ୍ରଥମାର୍ଧ ଖେଳା ଯାଇଥିଲା। ଏଥିରେ ଆର୍ଜେଣ୍ଟିନା ଦୁଇଟି ଗୋଲ୍‌ ଦେଇ ୨-୦ରେ ଆଗୁଆ ରହିଥିଲା। ହେଲେ ଦ୍ୱିତୀୟାର୍ଧରେ ଉରୁଗୁଏ ତା ବଲ୍‌ରେ ଖେଳିଥିଲା। ଆକାର ଏବଂ ଓଜନରେ ଯାହା ତୁଳନାତ୍ମକ ଭାବେ ବଡ଼ ଥିଲା। ଏଥିରେ ଦ୍ୱିତୀୟାର୍ଧ ଖେଳି ଲଗାତାର ତିନିଟି ଗୋଲ୍‌ ଦେଇ ଉରୁଗୁଏ ପ୍ରଥମ ବିଜେତା ହେବାର ଗୌରବ ଲାଭ କରିଥିଲା। ଆର୍ଜେଣ୍ଟିନା ବଲ୍‌ର ନାଁ ଟିଏଣ୍ଟୋ ଏବଂ ଉରୁଗୁଏ ବଲ୍‌ର ନାଁ ଟି ମଡେଲ ଥିଲା।

ଚମଡ଼ାର ସ୍ଥାନ ନେଲା କପଡ଼ା
ଫେଡେରାଲେ ୧୦୨ (୧୯୩୪)
ବେନିଟୋ ମୁସୋଲିନିଙ୍କ ଏକଛତ୍ରବାଦ ଶାସନରେ ବିଶ୍ୱକପ୍‌ର ୧୯୩୪ ସଂସ୍କରଣ ଇଟାଲିରେ ଆୟୋଜିତ ହୋଇଥିଲା। ମୁସୋଲିନି ସରକାର ଏକ ନୂଆ ପ୍ରକାର ବଲ୍‌ ପ୍ରସ୍ତୁତ କରି ଏହାର ନାଁ ‘ଫେଡେରାଲେ ୧୦୨’ ରଖିଥିଲା। ଇଂଲଣ୍ଡରୁ ଆସିଥିବା କିଛି ବଲ୍‌ ମଧ୍ୟ ଏହି ବିଶ୍ୱକପ୍‌ରେ ବ୍ୟବହୃତ ହୋଇଥିଲା। ଫେଡେରାଲେ ୧୦୨ର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଏଥିରେ ଚମଡ଼ା ଲେସ୍‌ ପରିବର୍ତେ ତୁଳନାତ୍ମକ ଭାବେ ହାଲୁକା ଓ ଶକ୍ତ କପଡ଼ା ଲେସ୍‌ ବ୍ୟବହୃତ ହୋଇଥିଲା। ଇଟାଲି ଅବଶ୍ୟ ଇଂଲଣ୍ଡରୁ ଆସିଥିବା ବଲ୍‌ରେ ଫାଇନାଲ୍‌ ଖେଳି ବିଶ୍ୱ ବିଜେତା ହୋଇଥିଲା।
କଂପାନିକୁ ପ୍ରଥମ ଥର ସୁଯୋଗ
ଆଲେନ (୧୯୩୮)
ଫ୍ରାନ୍ସରେ ୧୯୩୮ରେ ଆୟୋଜିତ ତୃତୀୟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ କୌଣସି କଂପାନିକୁ ବିଶ୍ୱକପ୍‌ ବଲ୍‌ ପ୍ରସ୍ତୁତି କରିବାର ଅଧିକାର ମିଲିଥିଲା। ପ୍ୟାରିସର ‘ଆଲେନ୍‌’ ବିଶ୍ୱକପ୍‌ ବଲ୍‌ ପ୍ରସ୍ତୁତ କରିଥିବା ପ୍ରଥମ କଂପାନିର ମାନ୍ୟତା ଲାଭ କରିଥିଲା। ଆଲେନ୍‌ ନାମରେ ନାମିତ ଏହି ବଲ୍‌ର ଇଟାଲିରେ ବ୍ୟବହୃତ ଫେଡେରାଲେ ୧୦୨ ବଲ୍‌ ସହ ଅନେକ ସାମଞ୍ଜସ୍ୟ ଥିଲା। ଆଲେନ୍‌ ବଲ୍‌ର ଧାର ଯାହା କେବଳ ଫେଡେରାଲେ ୧୦୨ଠାରୁ ଅଧିକ ଗୋଲାକାର ଥିଲା।
ବିନା ଲେସ୍‌ରେ ବଲ୍‌
ଡୁପ୍‌ଲୋ ଟି (୧୯୫୦)
ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୨ ବର୍ଷର ବ୍ୟବଧାନ ପରେ ୧୯୫୦ରେ ଖେଳା ଯାଇଥିବା ଚତୁର୍ଥ ବିଶ୍ୱକପ୍‌ରେ ନୂଆ ପ୍ରକାରର ବଲ୍‌ ବ୍ୟବହାର କରାଯାଇଥିଲା। ଏଥିରେ କୌଣସି ପ୍ରକାର ଲେସ୍‌ ବ୍ୟବହାର କରାଯାଇନଥିଲା। ୧୯୩୦ ମସିହାରୁ ଅବଶ୍ୟ ଏହି ପ୍ରକାର ବଲ୍‌ ଆର୍ଜେଣ୍ଟିନାର ଲିଗ୍‌ ଫୁଟ୍‌ବଲରେ ବ୍ୟବହୃତ ହେଉଥିଲା। ହେଲେ ଏହାକୁ ଫିଫା ସ୍ୱୀକୃତି ମିଳି ନଥିଲା। ଏହି ବଲ୍‌କୁ ସାଂପ୍ରତିକ ବଲ୍‌ ଭଳି ଏକ ଭଲ୍‌ଭ ଦ୍ୱାରା ପମ୍ପ ଦେଇ ଫୁଲା ଯାଉଥିଲା। ଏହାର ନାଁ ସୁପରଭାଲ ଏବଂ ପରେ ସୁପରବଲ୍‌ ରଖା ଯାଇଥିଲା। ବିଶ୍ୱକପ୍‌ରେ ବ୍ୟବହୃତ ବଲ୍‌କୁ ଡୁପ୍‌ଲୋ ଟି କୁହା ଯାଉଥିଲା।
୧୮ ପାଖୁଡ଼ାର ପ୍ରୟୋଗ
ସ୍ୱିସ୍‌ ଓ୍ଵାର୍ଲଡ ଚାମ୍ପିଅନ୍‌ (୧୯୫୪)
୧୯୫୪ ମସିହାରେ ବିଶ୍ୱକପ୍‌ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ୱିଜରଲାଣ୍ଡକୁ ଯାତ୍ରା କରିଥିଲା। ଏଥର ମଧ୍ୟ ବିଶ୍ୱକପ୍‌ ବଲ୍‌ରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପ୍ରଥମ ଥର ଲାଗି ଫୁଟ୍‌ବଲ୍‌ରେ ୧୮ ପାଖୁଡ଼ା ବା ପ୍ୟାନେଲ୍‌ର ପ୍ରାୟୋଗ କରାଯାଇଥିଲା। ଏହି ପାଖୁଡ଼ା ବା ପ୍ୟାନେଲ୍‌ଗୁଡ଼ିକୁ ଏକାଠି ସିଲେଇ କରି ବଲ୍‌ର ଆକାର ଦିଆ ଯାଇଥିଲା। ହଳଦିଆ ରଙ୍ଗର ଏହି ବଲ୍‌କୁ ଖେଳାଳି ଏବଂ ପ୍ରଶଂସକ ବେଶ୍‌ ଭଲ ପାଇଥିଲେ। ୮୦ରୁ ୯୦ ଦଶକ ଯାଏ ଏହି ବଲ୍‌ ସମଗ୍ର ବିଶ୍ୱରେ ଲୋକପ୍ରିଥିଲା।
ବଲ୍‌ ଯୋଗାଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା
ଟପ୍‌ ଷ୍ଟାର (୧୯୫୮)
୧୯୫୮ ସ୍ୱିଡେନ୍‌ ବିଶ୍ୱକପ୍‌ରେ ପ୍ରଥମ ଥର ଲାଗି ବଲ୍‌ ଯୋଗାଣ ପାଇଁ ଫିଫା ପ୍ରତିଦ୍ୱନ୍ଦ୍ୱିତା ପର୍ବ ଆରମ୍ଭ କରିଥିଲା। ବଲ୍‌ ପ୍ରସ୍ତୁତକାରୀଙ୍କୁ ବିନା ବ୍ରାଣ୍ଡରେ ବଲ୍‌ ଦେବାକୁ କୁହାଯାଇଥିଲା। ସେଥିମଧ୍ୟରୁ ଶ୍ରେଷ୍ଠ ବଲ୍‌କୁ ବାଛି ବିଶ୍ୱକପ୍‌ରେ ବ୍ୟବହାର କରାଯାଇଥିଲା। ଏଥିରେ ୧୦୨ କଂପାନି ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୫୫ ନମ୍ବର ବଲ୍‌କୁ ଫିଫା ଅଧିକାରୀମାନେ ବାଛିଥିଲେ। ଏହାର ନାଁ ଟପ୍‌ ଷ୍ଟାର ରଖା ଯାଇଥିଲା। ଆଙ୍ଗେଲହୋମର ଏକ କଂପାନି ଏହି ବଲ୍‌ ପ୍ରସ୍ତୁତ କରିଥିଲା। ଏଥିରେ ୨୪ଟି ପ୍ୟାନେଲ୍‌ର ବ୍ୟବହାର କରାଯାଇଥିଲା। ପ୍ରତିଦଳକୁ ଫିଫା ୩୦ଟି ବଲ୍‌ ଯୋଗାଇ ଦେଇଥିଲା।
କ୍ରାକ୍‌କୁ ନେଇ ଆଲୋଡ଼ନ
କ୍ରାକ୍‌ (୧୯୬୨)
୧୯୬୨ରେ ଚିଲିରେ ଆୟୋଜିତ ୧୯୬୨ ବିଶ୍ୱକପ୍‌ରେ କ୍ରାକ୍‌ ନାମକ ବଲ୍‌ର ବ୍ୟବହାର କରାଯାଇଥିଲା। ଏହାକୁ କିନ୍ତୁ ଖେଳାଳି, ରେଫରି ଏବଂ ପ୍ରଶିକ୍ଷକ ନାପସନ୍ଦ କରିଥିଲେ। କଷ୍ଟୋଡିଓ ଜାମୋରା କଂପାନି ଏହି ବଲ୍‌କୁ ପ୍ରସ୍ତୁତ କରିଥିଲା। ଏହାର ୧୮ଟି ପ୍ୟାନେଲ ଥିଲା। ହେଲେ କାହାର ଆକାର କାହା ସହ ସମାନ ନଥିଲା। ୟୁରୋପୀୟ ଦଳଗୁଡ଼ିକ ଏହି ବଲ୍‌କୁ ତୀବ୍ର ନିନ୍ଦା କରିଥିଲେ। ଅବଶ୍ୟ ଏହି ବଲ୍‌ରେ ବ୍ୟବହୃତ ହୋଇଥିବା ଲାଟେକ୍ସ ଇନଫ୍ଲାସନ୍‌ ଭଲ୍ଭ ପରବର୍ତୀ ଅନେକ ବିଶ୍ୱକପ୍‌ରେ ଉପଯୋଗ କରାଯାଇଥିଲା।
ତିନିଟି ରଙ୍ଗ, ୪୦୦ ବଲ୍‌
ଚ୍ୟାଲେଞ୍ଜ ୪ ଷ୍ଟାର (୧୯୬୬)
୧୯୬୬ ଇଂଲଣ୍ଡ ବିଶ୍ୱକପ୍‌ରେ ବ୍ୟବହୃତ ହେବାକୁ ଥିବା ବଲ୍‌କୁ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥିଲା। ଚୟନ ପ୍ରକ୍ରିୟାରେ ଯେମିତି ପାନ୍ତର ଅନ୍ତର ନ ହୁଏ ସେଥିପ୍ରତି ଇଂଲଣ୍ଡ ଫୁଟବଲ୍‌ ସଂଘ ପୂରା ଧ୍ୟାନ ଦେଇଥିଲା। ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଇଥିବା ବଲ୍‌ ମଧ୍ୟରୁ ୫୦ ଗୁଣାତ୍ମକ ଆବଶ୍ୟକତା ପୂରଣ କରି ନଥିଲେ। ଶେଷରେ ବଳକା ଚାରିଟି ବଲ୍‌ରୁ ଗୋଟିକୁ ବଛା ଯାଇଥିଲା। ଯାହାର ନାଁ ଚ୍ୟାଲେଞ୍ଜ ୪ ଷ୍ଟାର ଥିଲା। ଏହାକୁ ର‍୍ୟାକେଟ୍‌ ପ୍ରସ୍ତୁତକାରୀ କଂପାନି ସ୍ଲାଜେଙ୍ଗର ତିଆରି କରିଥିଲା। ଏହି ବଲ୍‌ ଟପ୍‌ ଷ୍ଟାର ବଲ୍‌ ସହ ପ୍ରାୟ ସମାନ ଥିଲା। ହେଲେ ଏଥିରେ ୨୪ ପରିବର୍ତେ ୨୫ ପ୍ୟାନେଲର ଉପଯୋଗ କରାଯାଇଥିଲା। ବିଶ୍ୱକପ୍‌ ପାଇଁ ତିନିଟି ରଙ୍ଗର ମୋଟ ୪୦୦ ବଲ୍‌ ଫିଫା ମଗାଇଥିଲା।
ଧଳା-କଳା ବଲ୍‌ର ବିନିଯୋଗ
ଟେଲ୍‌ଷ୍ଟାର-୧ (୧୯୭୦)
ବିଶ୍ୱକପ୍‌ ଇତିହାସର ସବୁଠାରୁ ନାଟକୀୟ ବିକାଶ ସମ୍ଭବତଃ ୧୯୭୦ର ନବମ ସଂସ୍କରଣରେ ହୋଇଥିଲା। ସାଂପ୍ରତିକ ସମୟର ଚର୍ଚିତ ଏବଂ ଲୋକପ୍ରିୟ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କଂପାନି ଆଦିଦାସ ମେକ୍ସିକୋରେ ଆୟୋଜିତ ଏହି ବିଶ୍ୱକପରେ ବଲ୍‌ ଯୋଗାଣ ଅଧିକାର ହାସଲ କରିଥିଲା। ୧୯୬୮ର ୟୁରୋପୀୟ କପ୍‌ ଏବଂ ଅଲିମ୍ପିକ୍ସରେ ବଲ୍‌ ଯୋଗାଇ ପ୍ରଶଂସିତ ହେବା ପରେ ଆଦିଦାସକୁ ଫିଫା ବିଶ୍ୱକପ୍‌ ପାଇଁ ବାଛିଥିଲା। ଆଦିଦାସ କଳା ଏବଂ ଧଳା ରଙ୍ଗ ଥିବା ଟେଲଷ୍ଟାର ବଲ୍‌ ପ୍ରସ୍ତୁତ କରିଥିଲା। ଏହି ବିଶ୍ୱକପ୍‌ ପ୍ରଥମ ଥର ଲାଗି ସାରା ବିଶ୍ୱରେ ପ୍ରସାରିତ ହୋଇଥିଲା। ଟେଲିଭିଜନ ଦର୍ଶକଙ୍କୁ ବଲ୍‌ ଭଲ ଭାବରେ ଦେଖାଯିବା ଲାଗି ଆଦିଦାସ ଧଳାରେ କଳା ପ୍ୟାନେଲ ଥିବା ବଲ୍‌ ଯୋଗାଇଥିଲା। ଏଥିରେ ମୋଟ ୩୨ ପ୍ୟାନେଲ୍‌ ଥିଲା।
ବଲ୍‌ ଉପରେ ପ୍ରସ୍ତୁତକାରୀଙ୍କ ନାଁ
ଟେଲ୍‌ଷ୍ଟାର ଡ୍ୟୁରଲାଷ୍ଟ୍‌ (୧୯୭୪)
୧୯୭୦ ବିଶ୍ୱକପ୍‌ରେ ଟେଲଷ୍ଟାର ବଲ୍‌ ଏତେ ଲୋକପ୍ରିୟତା ପାଇଥିଲା ଯେ ୧୯୭୪ରେ ମଧ୍ୟ ଏହାର ବ୍ୟବହାର କରାଯାଇଥିଲା। ଆୟୋଜକ ପଶ୍ଚିମ ଜର୍ମାନି ଆଦିଦାସର ଘର ହୋଇଥିବାରୁ ଏଥିରେ କିଛିଟା ପରିବର୍ତନ କରାଯାଇଥିଲା। ନାଁକୁ ଆଂଶିକ ବଦଳାଇ ଟେଲଷ୍ଟାର ଡ୍ୟୁରଲାଷ୍ଟ୍‌ ଦିଆଯାଇଥିଲା। ଏହି ବିଶ୍ୱକପ୍‌ରୁ ଆଦିଦାସ ଫିଫାର ଆନୁଷ୍ଠାନିକ ସହଯୋଗୀ ବନି ଯାଇଥିଲା। କଂପାନି ନାଁ ବଲ୍‌ ଉପରେ ଛାପିବାକୁ ମଧ୍ୟ ଫିଫା ଅନୁମତି ଦେଇଥିଲା।
ଆୟୋଜକ ଆର୍ଜେଣ୍ଟିନାରୁ ପ୍ରେରଣା
ଟାଙ୍ଗୋ (୧୯୭୮)
ଆର୍ଜେଣ୍ଟିନାର ପ୍ରସିଦ୍ଧ ନୃତ୍ୟ ଟାଙ୍ଗୋରୁ ଅନୁପ୍ରେରିତ ହୋଇ ୧୯୭୮ ମସିହା ଅଫିସିଆଲ୍‌ ବିଶ୍ୱକପ୍‌ ବଲ୍‌ ନାଁ ‘ଟାଙ୍ଗୋ’ ରଖା ଯାଇଥିଲା। ଏହି ବଲ୍‌ ପୂର୍ବରୁ ବ୍ୟବହୃତ ହୋଇଥିବା ସବୁ ବଲ୍‌ର ଲୋକପ୍ରିୟତାକୁ ପଛରେ ପକାଇ ଦେଇଥିଲା। ଏହି ବଲ୍‌ରେ ଟେଲଷ୍ଟାର ବଲ୍‌ର କଳା ପ୍ୟାନେଲ ନଥିଲା। ବରଂ ଧଳା ରଙ୍ଗ ଉପରେ ତ୍ରି-କୋଣୀୟ କଳା ପ୍ୟାନେଲ୍‌ ରହିଥିଲା। ସେଥିପାଇଁ ଘାସ ଉପରେ ବଲ୍‌ ଗଡ଼ୁଥିଲା ବେଳେ ବହୁତ ସୁନ୍ଦର ଦେଖା ଯାଉଥିଲା। ବିଶ୍ୱକପର ଏହି ସଂସ୍କରଣରୁ ବଲ୍‌ରେ ଚମଡ଼ାର ବ୍ୟବହାର ବନ୍ଦ ହେବା ଆରମ୍ଭ ହୋଇ ଯାଇଥିଲା।

ବଲ୍‌ ଉପରେ ପତ୍ର
ଟାଙ୍ଗୋ ଏସ୍ପାନିଆ (୧୯୮୨)
ଆୟୋଜକ ସ୍ପେନ୍‌ ନାଁ ଅନୁସାରେ ୧୯୮୨ ବିଶ୍ୱକପ୍‌ ବଲ୍‌ ନାଁ ଟାଙ୍ଗୋ ଏସ୍ପାନିଆ ରଖା ଯାଇଥିଲା। ଏଥିରେ ଜଳ ପ୍ରତିରୋଧ ଜ୍ଞାନ କୌଶଳ ବ୍ୟବହାର କରାଯାଇଥିଲା। ବଲ୍‌ର ସହନଶୀଳତା ମଧ୍ୟ ବେଶ୍‌ ଅଧିକ ଥିଲା। ଏହି ସଂସ୍କରଣରେ ମଧ୍ୟ ଚମଡ଼ା ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଥିଲା। ବଲ୍‌ରେ ଥିବା ତିନି ପତରିଆ ଲୋଗୋ କିନ୍ତୁ ବହୁତ ସୁନ୍ଦର ଦେଖାଯାଉଥିଲା।
ଚମଡ଼ା ଗଲା, ସଂପୂର୍ଣ୍ଣ ସିନ୍ଥେଟିକ୍‌
ଆଜଟେକା (୧୯୮୬)
୧୯୮୬ରେ ଉପଯୋଗ ହୋଇଥିବା ଆଜଟେକା ବଲ୍‌ ସେତେଟା ଲୋକପ୍ରିୟତା ପାଇ ନଥିଲା। ହେଲେ ଦୁଇଟି କାରଣ ପାଇଁ ଏହା ଇତିହାସ ପୃଷ୍ଠାରେ ସ୍ଥାନ ପାଇଥିଲା। ଏହି ବଲ୍‌ ପ୍ରସ୍ତୁତିରେ ଆୟୋଜକ ମେକ୍ସିକୋକୁ ପ୍ରାଧ୍ୟନ୍ୟ ଦିଆଯାଇଥିଲା। ପରବର୍ତୀ ସମୟରେ ଯାହା ଧାରା ଏବଂ ପରମ୍ପରାରେ ପରିଣତ ହୋଇଥିଲା। ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ସିନ୍ଥେଟିକ୍‌ ବଲ୍‌ ବ୍ୟବହାର କରାଯାଇଥିଲା।
ଇଟାଲିର ଆଦିମ ଅଧିବାସୀଙ୍କୁ ସମ୍ମାନ
ଏଟ୍ରୁସ୍କୋ ୟୁନିକୋ (୧୯୯୦)
ଆୟୋଜକ ଦେଶକୁ ସମ୍ମାନ ଜଣାଇବାର ଧାରାକୁ ଆଗେଇ ନେଇ ୧୯୯୦ ଇଟାଲି ବିଶ୍ୱକପ୍‌ର ନାଁ ଏଟ୍ରୁସ୍କୋ ୟୁନିକୋ ରଖା ଯାଇଥିଲା। ଇଟାଲିର ଆଦିମ ଅଧିବାସୀ ଏଟ୍ରୁସ୍କାନରୁ ଏହି ନାଁ ନିଆଯାଇଥିଲା। ଏହି ବଲ୍‌ର କିଛିଟା ସାମଞ୍ଜସ୍ୟ ଟାଙ୍ଗୋ ବଲ୍‌ ସହ ରହିଥିଲା। ଏହି ସଂସ୍କରଣର ବଲ୍‌ ମଧ୍ୟ ପୂରା ସିନ୍ଥେଟିକରେ ପ୍ରସ୍ତୁତ କରାଯାଇଥିଲା।
ଆମେରିକାରେ ଗୋଲ୍‌ ବର୍ଷା
କ୍ୱେଷ୍ଟ୍ରା (୧୯୯୪)
ଆମେରିକାରେ ପ୍ରଥମ ଥର ଆୟୋଜିତ ହୋଇଥିବା ବିଶ୍ୱକପ୍‌ ବଲ୍‌ର ନାଁ ଆଦିଦାସ କ୍ୱେଷ୍ଟ୍ରା ଦେଇଥିଲା। ଏହାର ଥିମ୍‌ ଅନ୍ତରିକ୍ଷକୁ ଯାତ୍ରା ରଖା ଯାଇଥିଲା। ବଲ୍‌ର ରୂପ ଏବଂ ରଙ୍ଗରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଥିଲା। ବଲ୍‌ରେ ପ୍ରଥମ ଥର ପାଇଁ ପଲିଷ୍ଟ୍ରିନ୍‌ ନାମକ ଏକ ବସ୍ତୁର ଲେପ ଦିଆଯାଇଥିଲା। ଏହା ଫଳରେ ଖେଳାଳିମାନେ ବଲକୁ ସହଜରେ ନିୟନ୍ତ୍ରଣ କରି ପାରୁଥିଲେ। ଫଳରେ ୧୯୮୨ ମସିହା ପରେ ବିଶ୍ୱକପ୍‌ରେ ସର୍ବାଧିକ ଗୋଲ୍‌ ଦେଖିବାକୁ ମିଳିଥିଲା।
ରଙ୍ଗିନ ବଲ୍‌ର ବ୍ୟବହାର
ଟ୍ରାଇକଲର (୧୯୯୮)
୧୯୯୮ରେ ବିଶ୍ୱକପ୍‌ରେ ପ୍ରଥମ ଥର ଲାଗି ରଙ୍ଗିନ ବଲ୍‌ର ବ୍ୟବହାର କରାଯାଇଥିଲା। ଫ୍ରାନ୍ସରେ ଆୟୋଜିତ ଏହି ସଂସ୍କରଣର ବଲ୍‌ ବେଶ୍‌ ରଙ୍ଗ ବେରଙ୍ଗ ଥିଲା। ଏଥିରେ ଲାଲ, ନୀଳ ଏବଂ ଧଳା ରଙ୍ଗର ବ୍ୟବହାର କରାଯାଇଥିଲା। ଫ୍ରାନ୍ସ ଜାତୀୟ ପାତାକା ଅନୁସାରେ ଏହି ରଙ୍ଗଗୁଡ଼ିକୁ ବଛା ଯାଇଥିଲ।
ସବୁଜ, ସୁନେଲୀ ଓ ଲାଲ
ଫେଭରନୋଭା (୨୦୦୨)
ଦକ୍ଷିଣ କୋରିଆ ଏବଂ ଜାପାନରେ ଆୟୋଜିତ ଏହି ବିଶ୍ୱକପ୍‌ ବଲ୍‌ର ନାଁ ଫେଭରନୋଭା ରଖା ଯାଇଥିଲା। ଏହି ବିଶ୍ୱକପ୍‌ର ବଲ୍‌ ସବୁଜ, ସୁନେଲୀ ଏବଂ ଲାଲ ରଙ୍ଗର ଥିଲା। ଏହି ବଲ୍‌ ପୂର୍ବରୁ ଅଧିକାଂଶ ବଲ୍‌ଠାରୁ ହାଲୁକା ଥିଲା। ଫଳରେ ଏହା ସହଜରେ ଉପରକୁ ଉଠି ଯାଇଥିଲା। ସେଥିପାଇଁ କେହି କେହି ଏହି ବଲକୁ କ୍ରେଜି ବାଉନ୍ସିଂ ବଲ୍‌ ଆଖ୍ୟା ଦେଇଥିଲେ।
ବଲ୍‌ ଉପରେ ବିଶ୍ୱକପ୍‌ ସୂଚୀ
ଟିମ୍‌ ଜିଷ୍ଟ (୨୦୦୬)
ଟିମ୍‌ଜିଷ୍ଟ୍‌ ମାନେ ହେଉଛି ଦଳୀୟ ଭାବନା। ଆୟୋଜକ ଜର୍ମାନି ପରମ୍ପରା ଅନୁସାରେ ବିଶ୍ୱକପ ବଲ୍‌ର ଏହି ନିଆରା ନାଁ ଦିଆଯାଇଥିଲା। ମାତ୍ର ୧୪ ପ୍ୟାନେଲର ବ୍ୟବହାର ଟିମ ଜିଷ୍ଟର ପ୍ରମୁଖ ବିଶେଷତ୍ୱ ଥିଲା। ତୁଳନାତ୍ମକ ଭାବେ ଏହି ବଲ୍‌ ମଧ୍ୟ ଅଧିକ ଗୋଲାକାର ଥିଲା। ହେଲେ କିଛି ଖେଳାଳି ଏହାକୁ ଆଦୌ ପସନ୍ଦ କରି ନଥିଲେ। ଏହି ସଂସ୍କରଣରେ ବଲ୍‌ ଉପରେ ସୂଚୀ ମଧ୍ୟ ଛପା ହୋଇଥିଲା।
ଜମେଇଲା ଜାବୁଲାନି
ଜାବୁଲାନି (୨୦୧୦)
ଦକ୍ଷିଣ ଆଫ୍ରିକାରେ ୨୦୧୦ରେ ଖେଳା ଯାଇଥିବା ଉନ୍ନବିଂଶ ବିଶ୍ୱକପ୍‌ରେ ବ୍ୟବହୃତ ଜାବୁଲାନି ବଲ୍‌ ବିଶ୍ୱକପ୍‌ ଇତିହାସର ସର୍ବାଧିକ ଲୋକପ୍ରିୟ ବଲ୍‌। ପ୍ୟାନେଲ ସଂଖ୍ୟା ୧୪ରେ ସୀମିତ ରଖାଯାଇ ଜାବୁଲାନିକୁ ଯଥା ସମ୍ଭବ ଗୋଲ୍‌ ଆକାର ଦେବାକୁ ଚେଷ୍ଟା କରାଯାଇଥିଲା। ଏହାର ଗତି ଏବଂ ଦିଗ ପୂର୍ବାନୁମାନ କରିବା କିନ୍ତୁ କଷ୍ଟକର ଥିଲା। ଫଳରେ ଗୋଲ୍‌ ରକ୍ଷକମାନେ ବିଦ୍ରେହ କରି ଦେଇଥିଲେ। ଶେଷରେ ନାସା ଏହି ବଲ୍‌କୁ ନେଇ ଗବେଷଣା କରିଥିଲା। ଜାବୁଲାନି ପୂର୍ବର ସବୁ ବଲ୍‌ଠାରୁ ଅଧିକ ବେଗରେ ତା’ର ଗତି ବଦଳାଉଥିବା ସେମାନେ ଜାଣିବାକୁ ପାଇଥିଲେ। ଚିକ୍କଣ ଧାର ସହ କମ୍‌ ପ୍ୟାନେଲର ବ୍ୟବହାର ଏହାର କାରଣ ଥିଲା।
ବ୍ରାଜିଲରୁ ବ୍ରାଜୁକା
ବ୍ରାଜୁକା (୨୦୧୪)
ବ୍ରାଜିଲରେ ଆୟୋଜିତ ଗତ ସଂସ୍କରଣରେ ବ୍ୟବହୃତ ବଲ୍‌ର ନାଁ ବ୍ରାଜୁକା ଦିଆଯାଇଥିଲା। ଜାବୁଲାନି ବିବାଦକୁ ପଛରେ ପକାଇବା ଲାଗି ଏଥର ବିଶ୍ୱକପ୍‌ ବଲକୁ ବହୁ ପୂର୍ବରୁ ପରୀକ୍ଷା ନୀରିକ୍ଷା କରିବା ଆରମ୍ଭ କରି ଦିଆଯାଇଥିଲା। ବ୍ରାଜୁକାରେ ବ୍ରାଜିଲର ଲୋକପ୍ରିୟ ସଂଗୀତ ବ୍ୟାଣ୍ଡରୁ ପ୍ରେରଣା ନେଇ ବିଭିନ୍ନ ରଙ୍ଗର ରିବନ୍‌ ଛପା ଯାଇଥିଲା। ଏଥରର ବଲ୍‌ରେ ମାତ୍ର ୬ଟି ପ୍ୟାନେଲ ଥିଲା।
ଆଶା ଓ ଆକାଂକ୍ଷାର ଟେଲଷ୍ଟାର
ଟେଲଷ୍ଟାର-୧୮ (୨୦୧୮)
ଚଳିତ ବର୍ଷ ମସ୍କୋରେ ଆୟୋଜିତ ହେଉଥିବା ବିଶ୍ୱକପ୍‌ର ବଲ୍‌ ନାଁ ଟେଲଷ୍ଟାର-୧୮ ରଖା ଯାଇଛି। ଫିଫା ସହ ସଂପର୍କ ଆରମ୍ଭ (୧୯୭୦)କୁ ସମ୍ମାନ ଦେବାକୁ ଯାଇ ଆଦିଦାସ ଏଥରର ବିଶ୍ୱକପ୍‌ ବଲ୍‌ ନାଁ ଏଭଳି ରଖିଛି। ଏଥିରେ ଧଳା ରଙ୍ଗ ଉପରେ କେବଳ ସୁନେଲୀ ରଙ୍ଗର ବ୍ୟବହାର କରାଯାଇଛି। ଆଦିଦାସ, ବିଶ୍ୱକପ୍‌ ଏବଂ ଟେଲଷ୍ଟାର ଲୋଗୋ ରହିଛି। ବ୍ରାଜୁକା ଭଳି ଟେଲଷ୍ଟାର-୧୮ରେ ମାତ୍ର ୬ ପ୍ୟାନେଲ ରହିଛି। ହେଲେ ଏକ ନୂଆ ଆକାରରେ ସେଗୁଡ଼ିକୁ ଖଞ୍ଜା ଯାଇଛି। ଯାହା ଫଳରେ ଏହା ୧୯୭୦ରେ ବ୍ୟବହାର ହୋଇଥିବା ୩୨ ପ୍ୟାନେଲର ଭ୍ରମ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.