ଫୁଟ୍‌ବଲ୍‌ ଖେଳ, ଉପଭୋଗ କର ଏବଂ ଖୁସିରେ ରୁହ: ସୁନୀଲ ଛେତ୍ରୀ

‘ଦେଶ ପାଇଁ ଗୋଲ୍‌ ଦେବା ନିଆରା ଅନୁଭବ’

ଭୁବନେଶ୍ୱର(ସୁରେଶ ସ୍ୱାଇଁ): ଭାରତୀୟ ଫୁଟ୍‌ବଲ୍‌ର ଚର୍ଚିତ ଚେହେରା ସୁନୀଲ ଛେତ୍ରୀଙ୍କ ଢେର ପ୍ରଶଂସା ଏବେ ଓଡ଼ିଶାରେ। କଳିଙ୍ଗ ଷ୍ଟାଡିୟମ୍‌ରେ ଶୁକ୍ରବାର ଉଦ୍‌ଯାପିତ ସୁପର୍‌ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବେଙ୍ଗାଲୁରୁ ଏଫ୍‌ସିକୁ ମୁକୁଟ ବିଜେତା କରାଇବା ପରେ ଓଡ଼ିଶା ପ୍ରଶଂସକଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇପାରିଛନ୍ତି ଏହି ଭାରତୀୟ ଅଧିନାୟକ। ତାଙ୍କ ପାଖକୁ ପ୍ରତି ଥର ବଲ୍‌ ଯିବା ମାତ୍ରେ ଉଛୁଳି ଉଠୁଥିଲେ କଳିଙ୍ଗ ପ୍ରଶଂସକ। ଶନିବାର ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ୩୩ ବର୍ଷୀୟ ସୁନୀଲ ‘ସମ୍ବାଦ’କୁ ପ୍ରଦାନ କରିଥିଲେ ସ୍ୱତନ୍ତ୍ର ସାକ୍ଷାତକାର।

ସମ୍ବାଦ: ସୁପର୍‌ କପ୍‌ ବିଜୟ ପାଇଁ ଅଭିନନ୍ଦନ ସୁନୀଲ। ଟ୍ରଫି ବିଜୟ ସହିତ ଭାରତୀୟ ଘରୋଇ ଋତୁ ଶେଷ କରିବାର ଅନୁଭବ କେମିତି?
ସୁନୀଲ ଛେତ୍ରୀ: ବାସ୍ତବରେ ମୁଁ ବହୁତ ଖୁସୀ। ଆମେ ଏହି ଋତୁରେ ଭଲ ଖେଳି ଆସିଥିଲୁ। ସୁପର୍‌ କପ୍‌ ବିଜୟ ସହିତ ଅଭିଯାନ ଶେଷ କରିବା ନିଶ୍ଚିତ ଚମତ୍କାର ଅନୁଭବ। ବିଶେଷ କରି ଫାଇନାଲ୍‌ରେ ଗୋଟିଏ ଗୋଲ୍‌ ପଛରେ ପଡ଼ି ବିଜୟୀ ହେବା ନିଶ୍ଚିତ ଆନନ୍ଦ ଦେଇଛି। ଦଳର ଅଧିନାୟକ ଭାବେ ମୁଁ ଅତି ଗର୍ବିତ ଓ ଗୌରବାନ୍ଵିତ।

ସମ୍ବାଦ: ଏ ବିଜୟକୁ କାହାକୁ ସମର୍ପିବେ। ଭାରାତୀୟ ଫୁଟ୍‌ବଲ୍‌ କ୍ଲବ୍‌ ମଧ୍ୟରେ ଏଭଳି ଆଧିପତ୍ୟ ବିସ୍ତାର କରିବାର ମୁଖ୍ୟ କାରଣ କ’ଣ?
ସୁନୀଲ ଛେତ୍ରୀ: ଏ ବିଜୟର ଶ୍ରେୟ ମୁଁ ଦଳର ସମସ୍ତ ସଦସ୍ୟ, ସମର୍ଥକ, ବିଏଫ୍‌ସି କର୍ମକର୍ତା ଏବଂ ପ୍ରଶଂସକଙ୍କୁ ଦେବି। ବେଙ୍ଗାଲୁରୁରୁ ମଧ୍ୟ ପ୍ରଶଂସକମାନେ ଆସିଥିଲେ ଭୁବନେଶ୍ୱର ଆମ ମ୍ୟାଚ୍‌ ଦେଖିବାକୁ।

ସମ୍ବାଦ: ଏବେ ଗମ୍ଭୀରତାକୁ ଆସିବା, ଜାତୀୟ ଦଳର ଅଧିନାୟକ ଭାବେ ୧୦ ବର୍ଷ ପରେ ଭାରତୀୟ ଫୁଟ୍‌ବଲ୍‌କୁ କିଭଳି ଦେଖୁଛନ୍ତି?
ସୁନୀଲ ଛେତ୍ରୀ: ଦେଖନ୍ତୁ ବିଗତ ୧୦ ବର୍ଷରେ ଭାରତୀୟ ଫୁଟ୍‌ବଲ୍‌ ଭଲ ଉନ୍ନତି କରିଛି ଏବଂ ଆଶା କରୁଛି ଆସନ୍ତା ୧୦ ବର୍ଷ ମଧ୍ୟ ଅଧିକ ଉନ୍ନତି କରିବ। ସମସ୍ତେ ଫୁଟ୍‌ବଲ୍‌ର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ଏହି ପ୍ରକ୍ରିୟା ଠିକଣା ପଥରେ ରହିଛି। ତଥାପି ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ସମ୍ବାଦ: ବର୍ତମାନ ଭାରତରେ ଆପଣ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କିନ୍ତୁ ଆପଣଙ୍କ ପ୍ରେରଣା କିଏ ଥିଲେ?
ସୁନୀଲ ଛେତ୍ରୀ: ଅନେକ ମୋ ପାଇଁ ପ୍ରେରଣାର ଉତ୍ସ ଥିଲେ। ପିତା କେବି ଛେତ୍ରୀ (ଭାରତୀୟ ସେନା ଫୁଟ୍‌ବଲ୍‌ ଖେଳାଳି)ଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ସାଥୀ ଖେଳାଳି ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋ, ଲିଓନେଲ୍‌ ମେସିଙ୍କ ଖେଳରେ ପ୍ରଭାବିତ ହୋଇଥିଲି। ଯୁବାବସ୍ଥାରେ ଆଇଏମ୍‌ ବିଜୟନ, ବାଇଚୁଙ୍ଗ ଭୂତିଆ, ବ୍ରାଜିଲ୍‌ର ରୋନାଲ୍‌ଡୋଙ୍କୁ ଅନୁସରଶ କରି ଆଗକୁ ବଢ଼ିଛି। ବିଭିନ୍ନ ଲୋକଙ୍କଠାରୁ ବିଭିନ୍ନ ସମୟରେ ମୁଁ ଶିଖିବାକୁ ଭଲ ପାଏ।

ସମ୍ବାଦ: ଫୁଟ୍‌ବଲ୍‌ରେ ଅନେକ ବାଟ ଆସି ସାରିଛନ୍ତି। ଆଉ କେତେ ଦିନ ଶୀର୍ଷସ୍ତରୀୟ ପେସାଦାର ଫୁଟ୍‌ବଲ୍‌ ଖେଳିବା ଜାରି ରଖି ପାରିବେ?
ସୁନୀଲ ଛେତ୍ରୀ: ଏହା ୧୦ ବର୍ଷ ହୋଇ ପାରେ କି ୧୫ ବର୍ଷ। ଏପରିକି ୩ ବର୍ଷ, ୨ ବର୍ଷ, ୧ ବର୍ଷରେ ବି ସୀମିତ ରହିପାରେ, ଏହା କେହି କହିପାରିବେ ନାହିଁ। ମୁଁ ଫୁଟ୍‌ବଲ୍‌କୁ ଉପଭୋଗ କରୁଥିବା ପର୍ଯ୍ୟନ୍ତ ଖେଳ ଜାରି ରଖିବି। ନିଜକୁ ଟାଣି ନେଉଥିବି ଏବଂ ଶ୍ରେଷ୍ଠତ୍ୱ ଦେବାକୁ ଚେଷ୍ଟା କରୁଥିବି। ମୁଁ ଏବେ ମୋ ଜୀବନର ଶ୍ରେଷ୍ଠ ସମୟ ଦେଇ ଗତି କରୁଛି। ସବୁକିଛି ଠିକ୍‌ ଠାକ୍‌ ଚାଲିଛି ଏବଂ ମୁଁ ଉପଭୋଗ କରୁଥିବା ପର୍ଯ୍ୟନ୍ତ ଫୁଟ୍‌ବଲ୍‌ ଖେଳୁଥିବି। ମୁଁ ଏଥି ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରିନାହିଁ। ଦଳକୁ ଅବଦାନ ଦେଇ ପାରୁଥିବା ପର୍ଯ୍ୟନ୍ତ ଖେଳି ପାରିବି।

ସମ୍ବାଦ: ଗୋଟିଏ ଦେଶରୁ ସର୍ବାଧିକ ଗୋଲ୍‌ ଦେବାରେ ଆପଣ ଏକମାତ୍ର ଏସୀୟ ଭାବେ ସକ୍ରିୟ ଫୁଟ୍‌ବଲ୍‌ରଙ୍କ ମଧ୍ୟରେ ଶୀର୍ଷ ୧୦ ଭିତରେ ଅଛନ୍ତି। କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ଲିଓନେଲ ମେସିଙ୍କ ସହ ଏହି ତାଲିକାରେ ସାମିଲ ହେବାର ଅନୁଭବ କିଭଳି?
ସୁନୀଲ ଛେତ୍ରୀ: ମୁଁ ଏହାକୁ ସେତେଟା ଗୁରୁତ୍ୱ ଦେଉ ନାହିଁ। ଦେଶ ପାଇଁ ଗୋଲ୍‌ ସ୍କୋର୍‌ ଜାରି ରଖିବା ମୋ କାମ। କୀର୍ତିମାନ ପ୍ରତିଷ୍ଠା ଓ ଜାଣିବା ଉପରେ ମୁଁ ବିଶେଷ ଧ୍ୟାନ ଦେଇନଥାଏ। ଦେଶ ପାଇଁ ଗୋଲ ସ୍କୋର୍‌ କରିବାର ଅନୁଭବ ସବୁଠାରୁ ନିଆରା। ଏହା ଜାରି ରଖିବାକୁ ଚାହିଁବି।

ସମ୍ବାଦ: ଭାରତରୁ ସୃଷ୍ଟି ହୋଇଥିବା ଫୁଟ୍‌ବଲର୍‌ଙ୍କ ମଧ୍ୟରେ ଆପଣ ଶ୍ରେଷ୍ଠ। ଆଗାମୀ ବର୍ଷଗୁଡ଼ିକ ପାଇଁ କ’ଣ ଆଶା ରଖିଛନ୍ତି?
ସୁନୀଲ ଛେତ୍ରୀ: ଜଣେ ଖେଳାଳି ଭାବେ ମୁଁ ସବୁବେଳେ ଉନ୍ନତି କରିବାକୁ ଚାହେଁ। ଏପିରିକି ପ୍ରତିଟି ତାଲିମ ଶିବିରରେ ଶିଖିବାକୁ ଚେଷ୍ଟା କରିଥାଏ। ଏଥିରେ କିଛି ପରିବର୍ତନ କରିବାର ନାହିଁ। ଉତ୍ତମ ଖେଳାଳି ହେବାକୁ ମୋତେ ଆହୁରି ଅନେକ କିଛି ଉନ୍ନତି କରିବାର ଅଛି।

ସମ୍ବାଦ: ଭାରତୀୟ ଫୁଟ୍‌ବଲ୍‌ କ’ଣ ସତରେ ଦିନେ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ?
ସୁନୀଲ ଛେତ୍ରୀ: ଆମେ ଠିକଣା ପଥରେ ରହିଛୁ। ଏସିଆରେ ଆମକୁ ଶ୍ରେଷ୍ଠ ହେବାକୁ ପ୍ରଥମ ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ପଥରେ କାମ କରି ପରବର୍ତୀ କଥା ଦେଖିବାକୁ ପଡ଼ିବ।

ସମ୍ବାଦ: ଓଡ଼ିଶା ଫୁଟ୍‌ବଲ୍‌ ସମ୍ପର୍କରେ କିଛି ଧାରଣା ଅଛି କି?
ସୁନୀଲ ଛେତ୍ରୀ: ଓଡ଼ିଶାର ଘରୋଇ ଫୁଟ୍‌ବଲ୍‌ ସମ୍ପର୍କରେ ମୋର କିଛି ଜ୍ଞାନ ନାହିଁ। ଓଡ଼ିଶା ଉନ୍ନତି କରିପାରିବ। କିନ୍ତୁ ଓଡ଼ିଶାର ଲୋକମାନେ ବାସ୍ତବରେ ଭାରି ଫୁଟ୍‌ବଲ୍‌ପ୍ରେମୀ ଓ ସମର୍ଥକ। ଓଡ଼ିଶା ସରକାରଙ୍କ ସମର୍ଥନ ନିଶ୍ଚିତ ଉତ୍ସାହଜନକ। କଳିଙ୍ଗ ଷ୍ଟାଡିୟମ୍‌ ପିଚ୍‌ ଏବଂ ଅଭ୍ୟାସ ପିଚ୍‌ ଅତ୍ୟନ୍ତ ଭଲ ଥିଲା। ଏହା ମଧ୍ୟ ଆମ ପାଇଁ ଭାଗ୍ୟଶାଳୀ ଥିବାରୁ ଅନେକ ଦିନ ଅଭୁଲା ରହିବ। ପ୍ରଶଂସକମାନେ ଏତେ ସଂଖ୍ୟାରେ ଆସିବା ଏବଂ ଆମକୁ ସମର୍ଥନ କରିବା ଉଲ୍ଲେଖନୀୟ ଥିଲା।

ସମ୍ବାଦ: ଶେଷରେ ଯୁବ ଖେଳାଳିଙ୍କୁ କି ବାର୍ତା ଦେବେ?
ସୁନୀଲ ଛେତ୍ରୀ: ଫୁଟ୍‌ବଲ୍‌ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଖେଳ। ଏହାକୁ ଖେଳ, ଉପଭୋଗ କର ଏବଂ ଖୁସୀରେ ରୁହ।

ସୁନୀଲଙ୍କ ସଫଳତାର ଝଲକ୍‌
ଦେଶର ସର୍ବାଧିକ ଗୋଲ୍‌ ସ୍କୋରର୍‌ ସୁନୀଲ ଛେତ୍ରୀ ଏବେ ଭାରତୀୟ ଦଳର ଅଧିନାୟକ। ୯୭ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୫୬ ଗୋଲ୍‌ ଦେଇ ଅଛନ୍ତି ଶୀର୍ଷରେ। ଦେଢ଼ ଦଶନ୍ଧିର ଫୁଟ୍‌ବଲ୍‌ ଜୀବନରେ ସୁନୀଲ ମୋହନ ବାଗାନ, ଜେସିଟି, ଇଷ୍ଟ ବେଙ୍ଗଲ୍‌, ଡେମ୍ପୋ, କାନସାସ୍‌ ସିଟି ଓ୍ଵିଜାର୍ଡସ, ଚିରାଗ ୟୁନାଇଟେଡ୍‌, ସ୍ପୋର୍ଟିଂ ସିପି, ଚର୍ଚିଲ୍‌ ବ୍ରଦର୍ସ, ମୁମ୍ବାଇ ସିଟିରୁ ପ୍ରତିନିଧିତ୍ୱ କରିବାର ଲମ୍ବା ଅଭିଜ୍ଞତା ପରେ ଏବେ ବେଙ୍ଗାଲୁରୁ ଏଫ୍‌ସି ଦଳର ସଫଳ ଅଧିନାୟକ। ଭାରତକୁ ୩ ଥର ନେହେରୁ କପ୍‌ (୨୦୦୭, ୨୦୦୯, ୨୦୧୨), ୨ ଥର ସାଫ୍‌ ପ୍ରତିଯୋଗିତା (୨୦୧୧, ୨୦୧୬) ଏବଂ ଥରେ ଏଏଫ୍‌ସି ଚାଲେଞ୍ଜ୍‌ କପ୍‌ (୨୦୦୮) ବିଜେତା କରାଇ ସାରିଛନ୍ତି ଏହି ୫ ଫୁଟ ୭ ଇଞ୍ଚ ଉଚ୍ଚତାର ଅଗ୍ରଭାଗ ଖେଳାଳି। ୪ ଥର ଏଆଇଏଫ୍‌ଏଫ୍‌ର ଶ୍ରେଷ୍ଠ ଖେଳାଳି (୨୦୦୭, ୨୦୧୧, ୨୦୧୩, ୨୦୧୪) ବିବେଚିତ ହୋଇଛନ୍ତି ଏହି ସିକନ୍ଦରାବାଦ ଜନ୍ମିତ। ଭାରତୀୟ ସେନାରେ କାର୍ଯ୍ୟରତ କେବି ଛେତ୍ରୀ ଓ ସୁଶୀଳା ଛେତ୍ରୀଙ୍କ ଏକମାତ୍ର ପୁଅ ସୁନୀଲଙ୍କ ଜନ୍ମ ୧୯୮୪ ଅଗଷ୍ଟ ୩ ତାରିଖରେ। ସୁନୀଲଙ୍କ ଜାଆଁଳା ଭଉଣୀ ନେପାଳ ଜାତୀୟ ମହିଳା ଦଳରୁ ପ୍ରତିନିଧିିତ୍ୱ କରି ସାରିଛନ୍ତି। ୨୦୧୭ ମସିହା ଡିସେମ୍ବର ୪ ତାରିଖରେ ସେ ନିଜ ବାଂଧବୀ ସନୋମ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଛନ୍ତି। ୨୦୧୧ ମସିହାରେ ତାଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର।

ସମ୍ବନ୍ଧିତ ଖବର