ରେଳବାଇ ଫୁଟ୍‌ ଓଭର ବ୍ରିଜ୍‌ ପାଇଁ ଏମପିଲ୍ୟାଡରୁୁ ୨ କୋଟି ଟଙ୍କା ପ୍ରଦାନ କଲେ ସଚିନ

ମୁମ୍ବାଇ : ମୁମ୍ବାଇର ରେଲେଓ୍ଵ ଫୁଟ୍‌ ଓଭରବ୍ରିଜର ପୁନଃନିର୍ମାଣ ପାଇଁ କ୍ରିକେଟ ଜଗତର ବାଦ୍‌ଶାହା ତଥା ରାଜ୍ୟସଭାର ସଦସ୍ୟ ସଚିନ ତେନ୍ଦୁଲକର ଏମପିଲ୍ୟାଡ ଫଣ୍ଡ୍‌ରୁ ୨ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ତେବେ ୧ କୋଟି ଟଙ୍କା କେନ୍ଦ୍ରୀୟ ରେଳବାଇକୁ ପ୍ରଦାନ କରିଥିବା ବେଳେ ଆଉ ୧ କୋଟି ପଶ୍ଚିମ ରେଲବାଇକୁ ପ୍ରଦାନ କରିବାର ଯୋଜନା ରଖିଛନ୍ତି। ତେନ୍ଦୁଲକର ଏ ସଂପର୍କରେ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଏକ ଚିଠି ଜରିଆରେ ଜଣାଇଛନ୍ତି।

ସଚିନ ତାଙ୍କ ଚିଠିରେ ଲେଖିଛନ୍ତି ” ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧା ଦୃଷ୍ଟିରୁ ମୁମ୍ବାଇ ରେଲବାଇର ପୁନଃନିର୍ମାଣ ନେଇ ମୁଁ ଆପଣଙ୍କ ସମର୍ଥନ ଲୋଡୁଛି। ଅନେକ ବର୍ଷରୁ ମୁମ୍ବାଇ ରେଳବାଇ ସହରର ହୃଦୟ ପରି ରହିଆସିଛି। ନିକଟରେ ହୋଇଥିବା ଦୁର୍ଘଟଣା ସମୟରେ ରେଲବାଇ କର୍ମଚାରୀଙ୍କ ଦୃଢ଼ ମନୋଭାବ ଓ କର୍ତ୍ତବ୍ୟପରାୟଣତାକୁ ମୁଁ ପ୍ରଶଂସା କରୁଛି ।’

ଏହାବ୍ୟତୀତ ସଚିନ ଏଲଫିଷ୍ଟୋନ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ପରିବାରଙ୍କ ସଂପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ‘ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ପରିବାରଙ୍କ ପାଇଁ ଚଳିତବର୍ଷ ଦୀପାବଳି ସୁଖଦାୟକ ନଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ କେମିତି ଏପରି ନ ହେବ ସେଥିପ୍ରତି ସମସ୍ତ ନାଗରିକ ଦାୟିତ୍ୱବଦ୍ଧ ହେବା ଉଚିତ।’

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୨୯ରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଏଲଫିଷ୍ଟୋନ ରୋଡ ଷ୍ଟେସନରେ ଦଳାଚକଟାରେ ୨୩ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ରେଳବାଇକୁ  ଗଭୀର ଦୁଖ ପହଞ୍ଚାଇ ଥିଲା। ଏଲଫିଷ୍ଟୋନରେ ଥିବା ଫୁଟ ଓଭର ବ୍ରିଜର ଓସାର କମ ଥିବାରୁ ଏଭଳି ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଏହାର ପୁନଃନିର୍ମାଣ କରି ଓସାର ବଢ଼ାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ଏଭଳି ଘଟଣା ଯେପରି ଆଗକୁ ନ ଘଟେ ସେଥିପାଇଁ ଯେତେ ସମ୍ଭବ ଫୁଟ ଓଭର ବ୍ରିଜକୁ ଓସାରିଆ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତରେ ସଚିନ ତେନ୍ଦୁଲକରଙ୍କୁ  ସେ ରେଳ ସୁରକ୍ଷାର ବ୍ରାଣ୍ଡଆମ୍ବାସଡର କରିପାରନ୍ତି ବୋଲି ଆଶା କରାଯାଉଛି।

 

 

ସମ୍ବନ୍ଧିତ ଖବର