ଓଡ଼ିଶାରୁ ଅନେକ ଫୁଟ୍‌ବଲ୍‌ର ବାହାରିବେ: ଶୁଭମ୍

ଭୁବନେଶ୍ୱର : ଆଇଏସ୍‌ଏଲ୍ ଭଳି ଲୋକପ୍ରିୟ ପେସାଦାର ଲିଗ୍‌ରେ ଓଡ଼ିଶାର ଏକ ଦଳ ଖେଳିବା ନେଇ ରାଜ୍ୟର ଉଦୀୟମାନ ଫୁଟ୍‌ବଲ୍ ତାରକା ଶୁଭମ୍ ଷଡ଼ଙ୍ଗୀ ବେଶ୍ ଉଲ୍ଲସିତ ଅଛନ୍ତି। ଓଡ଼ିଶା ଏଫ୍‌ସି ଦଳରେ ମଧ୍ୟଭାଗ ଖେଳାଳି ଭାବେ ଖେଳୁଥିବା ଶୁଭମ କହିଛନ୍ତି, ଯେ‌ତେବେଳେ ବି ଏକ ନୂଆ ଦଳ ଗଠିତ ହୁଏ ପ୍ରଶଂସକଙ୍କର ଅନେକ ଆଶା ତା’ ଉପରେ ରହିଥାଏ। ଖେଳାଳି ଭାବେ ଆମ କାମ ହେଲା ଭଲ ଫୁଟ୍‌ବଲ୍ ଖେଳିବା, ସେଥିରେ ଆମେ କୌଣସି ହେଳା କରିବୁ ନାହିଁ। ଓଡ଼ିଶା ଏଫ୍‌ସି ଗଠନ ପରେ ନିଶ୍ଚିତ ଭାବେ ଆସନ୍ତା ପାଞ୍ଚ ବର୍ଷ ଭିତରେ ଓଡ଼ିଶା ଏକ ଫୁଟବଲ୍ ଶକ୍ତି ଭାବେ ଉଭା ହେବ। ଏଠାରୁ ବହୁତ ଖେଳାଳି ବାହାରିବେ। ଓଡ଼ିଶା ସରକାର ଯେଭଳି ଭାବେ ସମର୍ଥନ କରୁଛନ୍ତି, କେବଳ ଫୁଟ୍‌ବଲ୍ ନୁହେଁ, ଅନ୍ୟ ଖେଳରେ ମଧ୍ୟ ଓଡ଼ିଶା ଯଥେଷ୍ଟ ଆଗକୁ ଯିବ। ବ୍ୟକ୍ତିଗତ ଭାବେ ମୋ ଲକ୍ଷ୍ୟ ହେଲା ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ଏବଂ ଭଲ ପ୍ରଦର୍ଶନ କରି ଯଥାଶୀଘ୍ର ଭାରତୀୟ ଦଳରେ ସ୍ଥାନ ପାଇବା। ଓଡ଼ିଶା ଏଫ୍‌ସି ଦଳରେ ଥିବା ଅନ୍ୟତମ ଓଡ଼ିଆ ଅଙ୍କିତ ଭୂୟାଁଙ୍କୁ ନେଇ ମଧ୍ୟ ଶୁଭମ୍ ବେଶ୍ ଉତ୍ସାହିତ ଅଛନ୍ତି। ତାଙ୍କୁ ‌ନେଇ ଶୁଭମ କହିଛନ୍ତି ଯେ ଅଙ୍କିତ ଦଳରେ ନୂଆ କରି ଯୋଗ ଦେଇଛନ୍ତି। ସେ ଜଣେ ପ୍ରତିଭାବାନ ‌ଗୋଲ୍ ରକ୍ଷକ। ଆଗକୁ ତାଙ୍କୁ ନିଶ୍ଚିତ ଭାବେ ସୁଯୋଗ ମିଳିବ। ସେ ମଧ୍ୟ ଦଳର ଅଭିନ୍ନ ଅଙ୍ଗ ହୋଇ ରହିବେ। ଏହି ଅବସରରେ ଶୁଭମ କଳିଙ୍ଗ ଷ୍ଟାଡିୟମର ଫୁଟ୍‌ବଲ୍ ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ଆଇଏସ୍‌ଏଲ୍ ଆଇଲିଗ୍‌ ସ୍ଥାନ ନେବା ଖବରକୁ ସେ ସ୍ବାଗତ କରିଛନ୍ତି। ଏଥିନେଇ ଶୁଭମ କହିଛନ୍ତି, ଆଇଲିଗ୍ ବନ୍ଦ ହେଉନି। ଭାରତରେ ଆଇଏସଏଲ୍ ପ୍ରଥମ ଡିଭିଜନ୍ ପ୍ରତିଯୋଗିତା ହେବ। ଆଇଲିଗ୍ ଦ୍ବିତୀୟ ଡିଭିଜନରେ ଖେଳିବ। ଏହା ଏକ ଭଲ କଥା।

ରୋହନଙ୍କ ତ୍ରିମୁଖୀ ଯୋଜନା
ଓଡ଼ିଶା ଏଫ୍‌ସି ତିନିଟି ଲକ୍ଷ୍ୟ ନେଇ ଆଗକୁ ବଢ଼ିବ। ପ୍ରଥମତଃ ଦଳ ଆଇଏସ୍‌ଏଲ୍ ଟ୍ରଫି ଜିତିବାକୁ ଚେଷ୍ଟା କରିବ। ଦ୍ବିତୀୟରେ କ୍ଲବ୍‌ର ଅଧିକରୁ ଅଧିକ ଖେଳାଳି ଯେ‌ମିତି ଭାରତୀୟ ଦଳରେ ସ୍ଥାନ ପାଆନ୍ତି, ସେ ଦିଗରେ ବିଶେଷ ଧ୍ୟାନ ଦେବ। ଏଥିଲାଗି ଘରୋଇ ଖେଳାଳିଙ୍କ ଉପରେ ଦଳର ସ୍ବତନ୍ତ୍ର ଧ୍ୟାନ ରହିବ। ତୃତୀୟ ତଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହେଲା କଳିଙ୍ଗ ଷ୍ଟାଡିୟମର ପ୍ରତ୍ୟେକ ଷ୍ଟାଣ୍ଡର କୋଣ ଅନୁକୋଣରେ ଫୁଟ୍‌ବଲ୍‌ ପ୍ରେମୀଙ୍କୁ ବସାଇବା। ଓଡ଼ିଶା ଏଫ୍‌ସିର କିଟ୍ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଦଳର ନିର୍ଦେଶକ ରୋହନ ଶର୍ମା ଏଭଳି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର