୨ ସ୍ଥାନ ପାଇଁ ୫ ଦଳ

ନୂଆଦିଲ୍ଲୀ: ଆଇପିଏଲ୍‌ର ଏକାଦଶ ସଂସ୍କରଣ ଶେଷ ଦୁଇ ସପ୍ତାହରେ ପ୍ରବେଶ କରି ସାରିଛି। ମଙ୍ଗଳବାର ରାତିରୁ ଶେଷ ଦୁଇ ରାଉଣ୍ଡ ଲିଗ୍‌ ମ୍ୟାଚ୍‌ ମଧ୍ୟ ଆରମ୍ଭ ହୋଇଛି। ୮ ଦଳୀୟ ଏହି ପ୍ରତିଯୋଗିତାର ପ୍ଲେ ଅଫ୍‌ ପାଇଁ ଶୀର୍ଷ ୪ ଦଳ ମନୋନୀତ ହେଉଥିବାରୁ ଏ ପର୍ଯ୍ୟନ୍ତ ୨ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ସ୍ଥାନ ପକ୍କା କରି ସାରିଛନ୍ତି। ଦିଲ୍ଲୀ ଡେୟାର ଡେଭିଲ୍‌ସ ଏକମାତ୍ର ଦଳ ଭାବେ ବାଦ୍‌ ପଡ଼ିଛି। ଫଳରେ ଏବେ ଅବଶିଷ୍ଟ ୨ ପ୍ଳେ ଅଫ୍‌ ସ୍ଥାନ ପାଇଁ ୫ ଦଳ ମଧ୍ୟରେ ଦୌଡ଼ ଅବ୍ୟାହତ ରହିଛି। ଆସନ୍ତୁ ନଜର ପକାଇନେବା କେଉଁ ଦଳର ସମ୍ଭାବନା କେତେ?
କେକେଆର୍‌
ମଙ୍ଗଳବାର ମ୍ୟାଚ୍‌ ଜିତି କେକେଆର୍‌ ୧୩ ମ୍ୟାଚ୍‌ରୁ ୧୪ ପଏଣ୍ଟ୍‌ ସହିତ ତୃତୀୟରେ ଅତୁଟ ରହିଛି। ମୁମ୍ବାଇ ନିକଟରୁ ଲଗାତାର ପରାଜୟ ପରେ ଦଳ ପଞ୍ଜାବ ବିପକ୍ଷରେ ଚଳିତ ଋତୁର ସର୍ବୋଚ୍ଚ ସ୍କୋର୍‌ (୨୪୫/୬) ସହିତ ଜିତିଛି। ମଙ୍ଗଳବାର ରାଜସ୍ଥାନ ବିପକ୍ଷ ବିଜୟ ଦଳକୁ ପ୍ଲେ ଅଫ୍‌ ନିକଟତର କରିଛି। ଶେଷ ମ୍ୟାଚ୍‌ ହାରିଲେ ବି ପଞ୍ଜାବ ଓ ରାଜସ୍ଥାନ ନିଜ ନିଜ ଶେଷ ମ୍ୟାଚ୍‌ ହାରିଲେ ଉନ୍ନତ ଏନ୍‌ଆର୍‌ଆର୍‌ ଭିତ୍ତିରେ ଯାଇ ପାରିବ। କେକେଆର୍‌ ନିଜର ଶେଷ ମ୍ୟାଚ୍‌ ଶନିବାର ହାଇଦ୍ରାବାଦ ସହିତ ଖେଳିବ। ମୁମ୍ବାଇ ଓ ଆର୍‌ସିବିର ଏନ୍‌ଆର୍‌ଆର୍‌ ତୁଳନାରେ କେକେଆର୍‌ ଦୁର୍ବଳ ଥିବାରୁ ଅଡୁଆରେ ପଡ଼ିପାରେ।
ରାଜସ୍ଥାନ ରୟାଲ୍‌ସ
ସପ୍ତାହକ ତଳେ ପଏଣ୍ଟ୍‌ ଟେବୁଲ୍‌ର ଶେଷ ଭାଗରେ ସଂଘର୍ଷ କରୁଥିବା ରାଜସ୍ଥାନ ଲଗାତାର ୩ ମ୍ୟାଚ୍‌ ଜିତି ଉପରକୁ ଉଠିଥିଲା। ଏବେ କେକେଆର୍‌ ନିକଟରୁ ପରାଜୟ ସତ୍ୱେ ଚତୁର୍ଥ ସ୍ଥାନରେ ରହିଛି। ଜୋସ୍‌ ବଟ୍ଟଲର୍‌ ଲଗାତାର ୫ ଅର୍ଧଶତକ ହାସଲ କରିବା ଏବଂ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ପ୍ରତ୍ୟାବର୍ତନ କରିଛି। ରାଜସ୍ଥାନକୁ ମଧ୍ୟ ଶେଷ ମ୍ୟାଚ୍‌ ଜିତିବାକୁ ପଡ଼ିବ। କୋଲ୍‌କାତା ଭଳି ଏହି ଦଳର ଦୁର୍ବଳ ଏନ୍‌ଆର୍‌ଆର୍‌ ମଧ୍ୟ ଚିନ୍ତାର କାରଣ ହୋଇଛି। ରାଜସ୍ଥାନ ଶେଷ ମ୍ୟାଚ୍‌ ଶନିବାର ବାଙ୍ଗାଲୋର୍‌ ସହିତ ଖେଳିବ।
କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ
କି୍ରସ୍‌ ଗେଲ୍‌, ଲୋକେଶ ରାହୁଲଙ୍କ ବ୍ୟାଟିଂ ଏବଂ ଆଣ୍ଡ୍ରିଉ ଟାଇ, ମୁଜିବ୍‌ ଉର୍‌ ରହମାନ୍‌ଙ୍କ ବୋଲିଂ ବଳରେ ପଞ୍ଜାବ ପ୍ରତିଯୋଗିତାର ପ୍ରଥମାର୍ଧ ପର୍ଯ୍ୟନ୍ତ ପ୍ଲେ ଅଫ୍‌ ଦୃଢ଼ ଦାବିଦାର ଥିଲା। କିନ୍ତୁ ଏବେ ଗତ ୬ ମ୍ୟାଚ୍‌ରୁ ଗୋଟିଏ ଜିତି ବିପଦରେ ପଡ଼ିଛି। ଆର୍‌ସିବି ବିପକ୍ଷ ୧୦ ଓ୍ଵିକେଟ୍‌ ପରାଜୟ ମଧ୍ୟ ଦଳର ଏନ୍‌ଆର୍‌ଆର୍‌କୁ ତଳମୁହାଁ କରିଛି। ପଞ୍ଜାବକୁ ବୁଧବାର ମୁମ୍ବାଇ ବିପକ୍ଷରେ ଜିତିବାକୁ ପଡ଼ିବ। ଅନ୍ୟୁନ ୧୪ ପଏଣ୍ଟ୍‌ରେ ଯୋଗ୍ୟତା ଲାଗି ଦଳକୁ ଏବେ ଗୋଟିଏ ବିଜୟ ଆବଶ୍ୟକ। ବୁଧବାର ମୁମ୍ବାଇକୁ ଏବଂ ରବିବାର ଚେନ୍ନାଇକୁ ଭେଟିବ।
ମୁମ୍ବାଇ ଇଣ୍ଡିଆନ୍‌ସ
ଗତ ରବିବାର ରାଜସ୍ଥାନ ନିକଟରୁ ପରାଜୟ ପରେ ମୁମ୍ବାଇ ପୁଣି ଅଡୁଆରେ ପଡ଼ିଛି। ୧୦ ପଏଣ୍ଟରେ ଥିବାରୁ ଦଳକୁ ପରବର୍ତୀ ଦୁଇ ମ୍ୟାଚ୍‌ ଜିତିବାକୁ ପଡ଼ିବ। ବୁଧବାର ଯଦି ରୋହିତ ଶର୍ମାଙ୍କ ଦଳ ପଞ୍ଜାବ ନିକଟରୁ ହାରିଯିବ ତେବେ ବିଦାୟ ନେଇଯିବ। କିନ୍ତୁ ବୁଧବାର ମ୍ୟାଚ୍‌ ସହିତ ମୁମ୍ବାଇକୁ ରବିବାର ଦିଲ୍ଲୀକୁ ବି ହରାଇବାକୁ ପଡ଼ିବ। ଦଳ ଯଦି ଶେଷକୁ ୧୨ ପଏଣ୍ଟ୍‌ ସହିତ ଚତୁଃମୁଖୀ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୁଏ ତେବେ ଭଲ ଏନଆର୍‌ଆର୍‌ ରଖିଥିବାରୁ ପ୍ଲେ ଅଫ୍‌ ଯାଇପାରିବ। କିନ୍ତୁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ।
ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌
୮ ଦଳ ଭିତରୁ ବିରାଟ କୋହଲିଙ୍କ ଆର୍‌ସିବି ଏବେ ସପ୍ତମରେ ରହିିଛି। ଲଗାତାର ଦୁଇଟି ବଡ଼ ବିଜୟ ଦଳକୁ ଉଜ୍ଜୀବିତ କରିଛି। ଦଳକୁ ଉଭୟ ହାଇଦ୍ରାବାଦ (ଗୁରୁବାର) ଏବଂ ରାଜସ୍ଥାନ ରୟାଲ୍‌ସ (ଶନିବାର) ବିପକ୍ଷରେ ଜିତିବାକୁ ପଡ଼ିବ। ସେହିଭଳି ପଞ୍ଜାବ କିମ୍ବା କେକେଆର୍‌ ଅନ୍ୟୁନ ଗୋଟିଏ ଲେଖାଏଁ ହାରନ୍ତୁ ବୋଲି ଆର୍‌ସିବି ଆଶା କରିବ। ଦୁଇ ବିଜୟ ସହ ୧୪ ପଏଣ୍ଟ୍‌ ପାଇଲେ ଭଲ ଏନଆର୍‌ଆର୍‌ ରଖିଥିବାରୁ ଆର୍‌ସିବି ସୁଯୋଗ ଭଲ ରହିଛି। ଏପରିକି ୧୨ ପଏଣ୍ଟ୍‌ରେ ମଧ୍ୟ ଦଳ ଆଗକୁ ବଢ଼ିପାରିବାର ବିକଳ୍ପ ରଖିଛି। କିନ୍ତୁ ଅନ୍ୟର ଫଳାଫଳ ଉପରେ ନିର୍ଭର କରିବ।

ସମ୍ବନ୍ଧିତ ଖବର