ବିଶ୍ବକପ୍ ପାଇଁ ରାୟୁଡୁ ୪ ନମ୍ବରରେ ନିଶ୍ଚିତ!

ନୂଆଦିଲ୍ଲୀ: ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି ୫୦ ଓଭରିଆ ବିଶ୍ବକପ୍ ପାଇଁ ବିଭିନ୍ନ ଦେଶ ସେମାନଙ୍କ ଦଳର ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏଥିରେ ପଛରେ ପଡ଼ିନାହିଁ। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ରେ ଦିନିକିଆ ଶୃଙ୍ଖଳା ଜିତି ନିଜ ଚୂଡାନ୍ତ ଦଳ ଗଠନର ପରୀକ୍ଷା ନିରୀକ୍ଷା ଚଳାଇଛି। ଦଳର ଅଧିକାଂଶ ସ୍ଥାନ ଚୂଡାନ୍ତ ହୋଇ ସାରିଛି। ତେବେ ୪ ନମ୍ବର ବ୍ୟାଟିଂ ସ୍ଥାନକୁ ନେଇ ଲାଗି ରହିଥିବା ଆଲୋଚନା ଓ ଅନ୍ବେଷଣ ଅମ୍ବାତି ରାୟୁଡୁଙ୍କ ପ୍ରଦର୍ଶନ ଜରିଆରେ ପୂର୍ଣ୍ଣଛେଦ ପକାଇଥିବା ବିଶ୍ବାସ ହେଉଛି। ଏହି ସ୍ଥାନ ପାଇଁ ଲୋକେଶ ରାହୁଲ, ଅମ୍ବାତି ରାୟୁଡୁ, ଶୁବମନ ଗିଲ୍‌, ଋଷବ ପନ୍ତ୍‌ ଏବଂ ମନୀଷ ପାଣ୍ଡେଙ୍କ ନାମ ରହିଛି। କିନ୍ତୁ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ରାୟୁଡୁ ସର୍ବାଧିକ ରନ୍ ସଂଗ୍ରହ କରିବା ଏବଂ ୱେଲିଂଟନ୍‌ରେ ଖେଳାଯାଇଥିବା ଶେଷ ଦିନିକିଆରେ ଦଳକୁ ୧୮/୪ ସ୍ଥିତିରୁ ବାହାର କରିବାରେ ପ୍ରମୁଖ ଭୂମିକା ତୁଲାଇବା ପରେ ଏବେ ତାଙ୍କ ନାମ ଶୀର୍ଷକୁ ଉଠିଯାଇଛି। ୱେଲିଂଟନ୍‌ରେ ସେ ୧୧୩ ବଲ୍‌ରୁ ୯୦ ରନ୍ କରି ଭାରତକୁ ୪-୧ ବିଜୟ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ଶୃଙ୍ଖଳାରେ ସେ ୬୩.୩୩ ହାରରେ ୧୯୦ ରନ୍ କରିଥିଲେ। ଗତବର୍ଷ ଏସିଆ କପ୍‌ରେ ସେ ୪୩.୭୫ ହାରରେ ୧୭୫ ରନ୍ କରିଥିଲେ। ନ୍ୟୁଜିଲାଣ୍ଡରେ ଶୁବମନ ଗିଲ୍‌ ସୁଯୋଗର ସଦ୍‌ ବ୍ୟବହାର କରିପାରି ନଥିଲେ। କରଣ ଜୋହର ବିବାଦରୁ ମୁକ୍ତ ହୋଇଥିଲେ ମଧ୍ୟ ରାହୁଲଙ୍କ ଅସ୍ଥିର ପ୍ରଦର୍ଶନ ତାଙ୍କୁ ଆଉ ଦଳକୁ ଫେରାଇ ଆଣିବା ସୁଯୋଗ‌ ଦେବା ଭଳି ଲାଗୁ ନାହିଁ। ସେହିଭଳି ରାୟୁଡୁଙ୍କ ୯୦ ରନ୍‌ ମଧ୍ୟ ଏହି ଶୃଙ୍ଖଳାରେ ଭାରତୀୟଙ୍କ ମଧ୍ୟରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ସେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ପ୍ରଥମ ଏବଂ ଖେଳ ଜୀବନର ଦଶମ ଅର୍ଧଶତକ ହାସଲ କରିଥିଲେ। ଖେଳ ଜୀବନରେ ସେ ୫୨ ମ୍ୟାଚ୍‌ରୁ ୫୦.୩୩ ହାରରରେ ୧୬୬୧ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର