ହକି ପାଇଁ ଦେଶବ୍ୟାପୀ ହୃଦ୍‌ସ୍ପନ୍ଦନ ଅଭିଯାନ

ଭୁବନେଶ୍ୱର: ‘ସକାଳେ ପର୍ଯ୍ୟଟନ, ସଂଧ୍ୟାରେ ହକି’ କିମ୍ବା ‘ସକାଳେ ସର୍ଫିଂ, ସଂଧ୍ୟାରେ ଆକ୍ସନ’ର ପରିକଳ୍ପନା ନେଇ ଆସିଛି ବିଶ୍ୱକପ୍‌ ହକି। ଓଡ଼ିଶା ହକି ବିଶ୍ୱକପ୍‌ ପାଖେଇ ଆସୁଛି। ୪ ମାସରୁ କମ୍‌ ସମୟ ରହିଛି। ଏହି ଖେଳକୁ ସମର୍ଥନ କରିବା ପାଇଁ ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶା ସରକାର ଏବେ ୩୬୦ ଡିଗ୍ରି ଅଭିଯାନ ଆରମ୍ଭ କରିସାରିଛନ୍ତି। ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ବେଳେ ସହର ସାରା ବୁଲୁଥିବା ବସ୍‌ରେ ଓଡ଼ିଶା ଲୋଗୋ ଲାଗି ସାରିଛି। ଏପଟେ ଦେଶରେ ବି ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ହକି ବିଶ୍ୱକପ୍‌ର ପ୍ରଚାର ଓ ପ୍ରସାର ପାଇଁ କୌଣସି ସୁଯୋଗ ଛାଡ଼ୁନାହାନ୍ତି ସରକାର। ଦେଶର କୋଣ ଅନୁକୋଣରେ ହକିକୁ ନିଜର ଭଲ ପାଇବା ଓ ସମର୍ଥନ ଦେବା ପାଇଁ ସବୁ ଭାରତୀୟଙ୍କୁ ଅନୁପ୍ରାଣିତ କରୁ ବୋଲି ଓଡ଼ିଶା ସରକାର ପ୍ରୟାସ ଚଳାଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା।
ବିଶ୍ୱକପ୍‌ ଜ୍ୱର ‘ହାର୍ଟବିଟ୍‌ସ ଫର୍‌ ହକି’ ଆରମ୍ଭ ହୋଇଛି। ଏହା ଏକ ଅଭିଯାନ ଯେଉଁଥିରେ ସଙ୍ଗୀତ, ମନୋରଂଜନ, ଫେସନ୍‌, ଶୁଦ୍ଧ କ୍ରୀଡ଼ା ଓ ପ୍ୟାନେଲ୍‌ ଆଲୋଚନା ଜରିଆରେ ଭାରତକୁ ହକି ସାଥୀରେ ରଖିବାକୁ ଉଦ୍ୟମ କରାଯିବ। ଜାତୀୟ ହକି ଦଳକୁ ନେଇ ପ୍ରସ୍ତୁତ ଡିଜିଟାଲ୍‌ ଅଭିଯାନରୁ ଏହା ଆରମ୍ଭ ହୋଇଛି ଯେଉଁଥିରେ ସେମାନେ ‘ହକି ପାଇଁ ମୋ ହୃଦୟ ସ୍ପନ୍ଦିତ ହେଉଛି? ଆଉ ଆପଣଙ୍କର? ବୋଲି କହି ଲୋକମାନଙ୍କ ସମର୍ଥନ ଆହ୍ଵାନ କରୁଥିବା ଦେଖିବାକୁ ମିଳୁଛି।
‘ହକି ପାଇଁ ନିଜର ହୃଦୟ ଦେବାକୁ ଆମେ ଭାରତକୁ କହୁଛୁ। ଏହା ହେଉଛି ଏକ ଜାତୀୟ ସ୍ତରର ପହଞ୍ଚ ଯେଉଁଥିରେ ଆମେ ହକିର ପେଣ୍ଠସ୍ଥଳକୁ ଯାଉଛୁ ଓ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ହକି ବାଡ଼ି (ଷ୍ଟିକ୍‌)ରେ ରେକର୍ଡିଂ କରି ସେମାନଙ୍କ ହୃଦୟର ସ୍ପନ୍ଦନକୁ ଅମର କରିଦେବାକୁ କହୁଛୁ’ ବୋଲି ଏହି ଅଭିଯାନର ସ୍ରଷ୍ଟା ତଥା ବ୍ରାଣ୍ଡ୍‌ ଷ୍ଟ୍ରାଟେଜିଷ୍ଟ୍‌ ନୂପୁର ମହାଜନ କହିଛନ୍ତି। ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ ଭୁବନେଶ୍ୱର ୨୦୧୮ ପାଇଁ ଯୋଗାଯୋଗ ଓ ରଣନୀତି ପରାମର୍ଶଦାତା ଭାବେ ସେ କାମ କରୁଛନ୍ତି। ‘ଯଦି ହକି ପାଇଁ ଆପଣଙ୍କ ହୃଦୟ ସ୍ପନ୍ଦିତ ହେଉଛି, ତେବେ ଆମେ ଆପଣ କିଛି ସ୍ପନ୍ଦନ ହକିକୁ ଦେବା ପାଇଁ ଆହ୍ଵାନ ଦେଉଛୁ।’ ଚାରି ମାସ ମଧ୍ୟରେ ସଂଗ୍ରହ କରାଯିବାକୁ ଥିବା ହୃଦସ୍ପନ୍ଦନଗୁଡ଼ିକୁ ନଭେମ୍ବର ୨୭ରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱର ୧୬ ଅଂଶଗ୍ରହଣକାରୀ ଅଧିନାୟକଙ୍କୁ ପ୍ରଦାନ କରାଯିବ।
‘ହାର୍ଟ ବିଟ୍‌’ ନାମରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହକି ଷ୍ଟିକ୍‌କୁ ଯେଉଁମାନେ ଧରିବେ, ସେମାନେ ହକି ପ୍ରତି ଦିନର ସମର୍ଥନ ପ୍ରଦାନ କରିବା ବେଳେ ହୃଦ ସ୍ପନ୍ଦନର ରେକର୍ଡିଂ କରିବେ। ଅଧିନାୟକମାନଙ୍କୁ ଏହି ବାର୍ତା ଦିଆଯିବ ଯେ ‘ହକି ପାଇଁ ଭାରତର ହୃଦୟ ସ୍ପନ୍ଦିତ ହେଉଛି। ସେଥି ମଧ୍ୟରୁ ଗୋଟିଏ ହୋଇପାରେ ଆପଣଙ୍କ ହୃଦୟର ସ୍ପନ୍ଦନ’।
ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍‌ କହିଛନ୍ତି ଯେ, ‘ସମ୍ପ୍ରତି ଭାରତୀୟ ହକି ଦଳର ପ୍ରଶଂସନୀୟ ପ୍ରଦର୍ଶନ ଯୋଗୁ ଭାରତରେ ଏକ ଖେଳ ନୂଆ ଶିଖରରେ ପହଞ୍ଚିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକ୍‌କୁ ହକିର ପେଣ୍ଠସ୍ଥଳ କୁହାଯାଉଥିବା ୬ଟି ସହର ଯଥା ଚଣ୍ଡୀଗଡ଼, ବାଙ୍ଗାଲୋର, ମୁମ୍ବାଇ, ଭୋପାଳ, ରାଉରକେଲା ଓ ଇମ୍ଫାଲ୍‌ରେ ସ୍ଥାପନ ଓ ଉପଲବ୍ଧ କରାଯିବ। ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ କରିବା ନିମନ୍ତେ କଳିଙ୍ଗ ଷ୍ଟାଡିୟମ୍‌ ଭୁବନେଶ୍ୱରରେ ସ୍ଥାୟୀ ଭାବେ ଦୁଇଟି ଷ୍ଟିକ୍‌ ସ୍ଥାପନ କରାଯିବ। ହାର୍ଟ ବିଟ୍‌ କ୍ୟାଣ୍ଟର ଦେଶର ଅନ୍ୟ ସହର ଯଥା ଜଳନ୍ଧର, ଲକ୍ଷ୍ନୌ, ରାଂଚି, ନୂଆଦିଲ୍ଲୀ, ଚେନ୍ନାଇ ଓ ଆହୁରି ଅଧିକ ସହର ପରିଭ୍ରମଣ କରିବ।
ଓଡ଼ିଶା ହକି ବିଶ୍ୱକପ୍‌ ହେଉଛି ପୁରୁଷ ହକିର ସର୍ବବୃହତ ପ୍ରତିଯୋଗିତାର ୧୪ତମ ସଂସ୍କରଣ। ୧୯୮୨ ମସିହାରେ ପ୍ରଥମେ ବମ୍ବେରେ ଓ ୨୦୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବା ପରେ ଭାରତରେ ତୃତୀୟ ଥର ଆୟୋଜିତ ହେଉଛି। ଶେଷ ଥର ପାଇଁ ୨୦୧୪ରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ବିଜେତା ହୋଇଥିଲା।
ଓଡ଼ିଶାକୁ ହକିର ଏନ୍ତୁଡ଼ିଶାଳ ବୋଲି କୁହାଯାଉଛି ଯାହା ଭାରତକୁ ଦିଲ୍ଲୀପ ତିର୍କିଙ୍କ ସମେତ ଅନେକ ତାରକା ଖେଳାଳି ପ୍ରଦାନ କରିଛି। ବର୍ତମାନର ଜାତୀୟ ଦଳରେ ଓଡ଼ିଶାରୁ ଅମିତ ରୋହିଦାସ, ଦିପସାନ୍‌ ତିର୍କି, ବୀରେନ୍ଦ୍ର ଲାକ୍ରା, ଦୀପ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଓ ଲିଳିମା ମିଞ୍ଜ୍‌ ରହିଛନ୍ତି। ଓଡ଼ିଶା ୫ ବର୍ଷ ପାଇଁ ଜାତୀୟ ହକି ଦଳ (ପୁରୁଷ ଓ ମହିଳା)ର ମୁଖ୍ୟ ପ୍ରାୟୋଜକ ବି ହୋଇଛି। ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ ଭୁବନେଶ୍ୱର ୨୦୧୮ର ଟ୍ରଫି ପ୍ରାୟୋଜକ ହେଉଛି ଓଡ଼ିଶା।

ସମ୍ବନ୍ଧିତ ଖବର