ନୂଆଦିଲ୍ଲୀ: ଭାରତରେ ପ୍ରଶିକ୍ଷଣ ଦେବାକୁ ଚୁକ୍ତିବଦ୍ଧ ହୋଇଥିବା ବିଦେଶୀ ପ୍ରଶିକ୍ଷକମାନଙ୍କ ମିଆଦ ବଢ଼ିବ। କରୋନା ଭୂତାଣୁ ମହାମାରୀ ଯୋଗୁଁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ବିଦେଶୀ ପ୍ରଶିକ୍ଷକମାନେ ନିଜ ନିଜ ଦାୟିତ୍ବ ତୁଲାଇବାକୁ ପ୍ରତିଶୃତି ଦେବାପରେ ଏଭଳି ସମ୍ଭାବନା ଦେଖାଦେଇଛି। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସମସ୍ତ ବିଦେଶୀ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦ ରହିଥିଲା। ଅଲିମ୍ପିକ୍ସ ପରେ ସମସ୍ତଙ୍କ ଚୁକ୍ତି ମିଆଦ ଶେଷ ହୋଇଥାଆନ୍ତା। ହେଲେ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚିଯାଇଥିବାରୁ ଭାରତୀୟ ଆଥ୍ଲେଟ୍ଙ୍କୁ ପ୍ରଶିକ୍ଷଣ ଦେଉଥିବା ବିଦେଶୀ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦ ବଢ଼ିବା ନିଶ୍ଚିତ ହୋଇଯାଇଛି। ଏହି ବିଦେଶୀ ପ୍ରଶିକ୍ଷକଙ୍କ ମଧ୍ୟରେ ମହିଳା କୁସ୍ତିର ଆଣ୍ଡରୁ କୁକ୍ ଓ ଟେମୋ ଗାବିସ୍ଭିଲି, ପିସ୍ତଲ ସୁଟିଂର ପାଭେଲ୍ ସ୍ମିର୍ନୋଭ୍, ମୁଷ୍ଟିଯୁଦ୍ଧ ଯୋଡ଼ି ସାନ୍ତିଆଗୋ ନିଏଭା ଓ ରାଫେଲେ ବର୍ଗାମାସ୍କୋ, ଆଥ୍ଲେଟିକ୍ ହାଇପର୍ଫମାନ୍ସ ଡାଇରେକ୍ଟର ଭୋଲ୍କର ହେର୍ମାନ୍ ଏବଂ ହକି ଇଣ୍ଡିଆର ଗ୍ରାହାମ୍ ରିଡ୍ ଓ ଜୋଏର୍ଡ ମାରିନ୍ ରହିଛନ୍ତି। ଏବେ ୨୧ ଦିନ ଧରି ଜାତୀୟ ଗୃହାବଦ୍ଧ ଘୋଷଣା ହୋଇଥିବାରୁ ସ୍ଥିତିରେ ସୁଧାର ଆସିବା ପରେ ଏହିସବୁ ବିଦେଶୀ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦ ବଢ଼ାଇ ଦିଆଯିବ ବୋଲି ସେମାନଙ୍କୁ ଦରମା ଦେଉଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ‘ସାଇ’ ପକ୍ଷରୁ କୁହାଯାଇଛି। ଏହିସମସ୍ତ ବିଦେଶୀ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦ ୨୦୨୧ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବୃଦ୍ଧି କରିବାରେ କୌଣସି ସମସ୍ୟା ନାହିଁ ବୋଲି ଭାରତୀୟ କୁସ୍ତି ସଂଘର ସଂପାଦକ ଭିଏନ୍ ପ୍ରସୁଦ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଇତି ମଧ୍ୟରେ ୮୦ ଭାରତୀୟ ଆଥ୍ଲେଟ୍ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିସାରିଛନ୍ତି। ପୁଣି କରୋନା ଆତଙ୍କ ଟଳିବା ପରେ ଯୋଗ୍ୟତାପର୍ଯ୍ୟାୟ ଆରମ୍ଭ ହୋଇଗଲେ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରଣାଳୟ ଚାହିଁଲେ ଆମେ ବିଦେଶୀ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦ ୨୦୨୪ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବୃଦ୍ଧି କରିବାରେ ଆମର କୌଣସି ସମସ୍ୟା ନାହିଁ ବୋଲି ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ କହିଛି। ‘ସାଇ’ ସହିତ ମୋର ଚୁକ୍ତି ମିଆଦ ଡିସେମ୍ବର ପର୍ଯ୍ୟନ୍ତ ଥିଲା। କିନ୍ତୁ ମୋତେ ଯଦି ମିଆଦ ବୃଦ୍ଧିର ପ୍ରସ୍ତାବ ମିଳେ ତେବେ ମୁଁ ଭାରତରେ ହିଁ ରହିଯିବି। ଏପରିକି ଯଦି ଲମ୍ବା ସମୟ ଧରି ଚୁକ୍ତି ପ୍ରସ୍ତାବ ମିଳେ ତାହାଲେ ଗ୍ରହଣ କରିନେବି ବୋଲି କହିଛନ୍ତି ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ନିଏଭା। ସେହିପରି ହକି ଇଣ୍ଡିଆ ମଧ୍ୟ ପୁରୁଷ ଦଳର ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଓ ମହିଳା ଦଳର ପ୍ରଶିକ୍ଷକ ଜୋଏର୍ଡ ମାରିନ୍ଙ୍କ ଚୁକ୍ତି ମିଆଦକୁ ଲମ୍ବା ସମୟ ପାଇଁ ବୃଦ୍ଧି କରିବାକୁ ଚାହିଁଛି। ଆମେ ଏନେଇ ‘ସାଇ’କୁ ଅନୁରୋଧ କରିସାରିଛୁ ବୋଲି ହକି ଇଣ୍ଡିଆ ସିଇଓ ଏଲିନା ନର୍ମନ କହିଛନ୍ତି।