ବିଦେଶୀଙ୍କ ଘରବାହୁଡ଼ା ଭାରତୀୟଙ୍କ ପାଇଁ ସୁଯୋଗ

-ଭିଭିଏସ୍ ଲକ୍ଷ୍ମଣ-

ମଙ୍ଗଳବାରର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ହାତରୁ ବିଜୟ ଅଳ୍ପକେ ଖସିଗଲା। ଚଳିତ ଋତୁରେ ଦ୍ବିତୀୟ ଥର ପାଇଁ ଏଭଳି ଘଟଣା ଘଟିଲା। କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ମଧ୍ୟ ଆମେ ଏହିଭଳି ଭାବେ ମାତ୍ର ଗୋଟିଏ ବଲ୍ ପୂର୍ବରୁ ପରାଜିତ ହୋଇଥିଲୁ। ଭାଗୀଦାରି ଭାଙ୍ଗି ନପାରିବା ଏହାର ଅନ୍ୟତମ କାରଣ ବୋଲି ମୁଁ କହିପାରେ। ମୋହାଲିରେ ଲୋକେଶ ରାହୁଲ-ମୟଙ୍କ ଅଗ୍ରୱାଲ ଆମ ପାଇଁ କାଳ ହୋଇଥିଲେ। ଚେନ୍ନାଇରେ ସେନ୍ ୱାଟସନ୍ ଓ ସୁରେଶ ରାଇନା ସେହି କାମ କଲେ। ଉପଲରେ ଚେନ୍ନାଇ ଏବଂ କୋଲକାତାକୁ ହରାଇ ଆମେ ଆତ୍ମବିଶ୍ବାସର ସହ ଚେନ୍ନାଇ ଯାଇଥିଲୁ। ହେଲେ ଚେନ୍ନାଇ ବିପକ୍ଷ ଗତ ତିନିଟିରୁ ଦ୍ବିତୀୟ ମ୍ୟାଚ୍ ୱାଟସନ୍ ଆମ ହାତରୁ ଛଡ଼ାଇ ନେଲେ। ଗତବର୍ଷର ଫାଇନାଲ୍ ଭଳି ସେ ମନ୍ଥର ଆରମ୍ଭ କରିଥିଲେ। ହେଲେ ଲୟ ପାଇବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୱାଟସନ୍ ଏମିତି ଜଣେ ଖେଳାଳି, ଯିଏ ଭଲ ବୋଲରଙ୍କୁ ମଧ୍ୟ ପଡ଼ିଆ ବାହାରକୁ ପଠାଇପାରନ୍ତି। ପ୍ରଥମାର୍ଧରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଡେଭିଡ୍ ୱାର୍ନର ଉପଯୋଗୀ ଅର୍ଧଶତକ ଅର୍ଜନ କରିଥିଲେ। ମନୀଷ ପାଣ୍ଡେ ମଧ୍ୟ ଦୀର୍ଘ ଦିନ ପରେ ଏକ ବହୁତ ଭଲ ପାଳି ଖେଳିଥିଲେ। କେନ୍ ୱିଲିୟମସନଙ୍କ ଅନୁପସ୍ଥିତିରେ ୧୭୫ ଏକ ଭଲ ସ୍କୋର ଥିଲା। ୱାର୍ନର ଏବଂ ପାଣ୍ଡେ କିନ୍ତୁ ଯେଉଁ ମୂଳଦୁଆ ପକାଇଥିଲେ, ଆମେ ଆଉ ୧୦ରୁ ୧୫ ରନ୍‌ ଅଧିକ କରିବା କଥା। ମନୀଷ ଫର୍ମକୁ ଫେରିବା ଆମ ପାଇଁ ଭଲ କଥା। ବିଦେଶୀ ଖେଳାଳିମାନେ ବିଶ୍ବକପ୍ ପ୍ରଶିକ୍ଷଣ ଶିବିର ଲାଗି ସ୍ବଦେଶ ଫେରିବା ସମୟ ଆସି ଯାଇଥିବାରୁ ଆମ ପାଇଁ ଏହା ବହୁତ ଭଲ କଥା। ସେଥିପାଇଁ ଆମ ଦଳରେ ଥିବା ଅଭିଜ୍ଞ ଭାରତୀୟ ଖେଳାଳିଙ୍କ ପାଇଁ ନିଜ ନିଜ ଦକ୍ଷତାର ପରିପ୍ରକାଶ ଲାଗି ସୁବର୍ଣ୍ଣ ସୁଯୋଗ ଆସି ଯାଇଛି। ଜନି ବେୟାରଷ୍ଟୋ ପ୍ରଥମ ବିଦେଶୀ ଖେଳାଳି ଭାବେ ଆମକୁ ଛାଡ଼ି ଚାଲିଯିବେ। ସେ ବହୁତ ଭଲ ଖେଳୁଥିଲେ। ୱାର୍ନର ଏବଂ ଜନି ଅମକୁ ବହୁତ ଭଲ ଆରମ୍ଭ ଦେଉଥିଲେ। ଜନି ବହୁତ ଭଲ କ୍ଷେତ୍ରରକ୍ଷଣ ମଧ୍ୟ କରୁଥିଲେ। ସନରାଇଜର୍ସ ପରିବାର ତାଙ୍କୁ ବିଶ୍ବକପ୍ ପାଇଁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ଋତୁରେ ତାଙ୍କ ସହ ଏକାଠି ହେବାକୁ ଚାହିଁରହିଛି।

ସମ୍ବନ୍ଧିତ ଖବର