ଫରେଷ୍ଟ୍‍ ଏକାଦଶକୁ ସନ୍ତୋଷ ସ୍ମାରକୀ ଟ୍ରଫି

ଭୁବନେଶ୍ୱର: ରସୁଲଗଡ଼ ଜିଜିପି କଲୋନୀରେ ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଚାଲିଥିବା ୧୮ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଶେଷ ହୋଇଛି। ଦୁଇ ଭୁବନେଶ୍ୱର ଦଳ ମଧ୍ୟରେ ଖେଳାଯାଇଥିବା ଫାଇନାଲରେ ଆରସିସିକୁ ୫୩ ରନ୍‌ରେ ହରାଇ ଫରେଷ୍ଟ ଏକାଦଶ ବିଜେତା ହୋଇଛି। ଜେ ମହାନ୍ତିଙ୍କ ଅର୍ଧଶତକ (୫୭, ୨୫ ବଲ) ବଳରେ ଫରେଷ୍ଟ ଏକାଦଶ ୧୫ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା। ପ୍ରତିପକ୍ଷର ଟୁଲୁ ରାଉ ୪ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଆର୍‌ସିସି ୧୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୩୩ ରନ୍‌ କରିପାରିଥିଲା। ଦେବ ପ୍ରସାଦ ଜେନା ୩ ଓ୍ଵିକେଟ୍‌ ନେଇ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ମୋଟ ୧୦ ଓ୍ଵିକେଟ୍‌ ଏବଂ ୧୧୨ ରନ୍‌ କରିଥିବା କାଶୀନାଥ ହାଁସଦାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କଟକର ବ୍ଲୁ ମୁନ୍‌ ଦଳକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ସମ୍ମାନ ମିଳିଥିଲା। ମୁନା ରାଉଳ, ସରୋଜ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ସମ୍ବିତ ପାଇକରାୟ ମ୍ୟାଚ୍‌ ପରିଚାଳନା କରିଥିଲେ। ବିଧାୟକ ପ୍ରିୟଦର୍ଶି ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆଶୁତୋଷ ସାମନ୍ତରାୟ, ଜୟାଶିଷ ମହାପାତ୍ର, ସଂଜୟ ପାଇକରାୟ, ସଂଜୟ ବଳିଆରସିଂହ, ବୁଦ୍ଧପ୍ରକାଶ ମହାପାତ୍ର, ପ୍ରକାଶ ରାଉତରାୟ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର