ଆସନ୍ତାକାଲିଠୁ ୪ର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ର‍୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌

୨,୫୦,୦୦୦ଟଙ୍କା ପୁରସ୍କାର ରାଶି, ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ

ଭୁବନେଶ୍ୱର: ଚତୁର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ର‍୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଅକ୍ଟୋବର ୧୨ରେ ଉଦ୍‌ଘାଟନ ସହିତ ପ୍ରତିଯୋଗିତା ଆରମ୍ଭ ହେବ। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ଅକ୍ଟୋବର ୧୫ରେ ଉଦ୍‌ଯାପନ ହେବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ ବୋଲି ଉତ୍କଳ ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀରେ ଆମାଟୁର ବ୍ୟାଡମିଣ୍ଟନ କ୍ଲବ(ଏବିସି)ର ସାଧାରଣ ସମ୍ପାଦକ ଚଣ୍ଡିପ୍ରସାଦ ଦାସ କହିଛନ୍ତି।

 

୭ଟି ବର୍ଗରେ ପ୍ରତିଯୋଗିତାର ଆୟୋଜନ

  • ପୁରୁଷ ସିଙ୍ଗିଲ୍‌ସ ଓ ଡବଲସ୍‌
  • ମହିଳା ସିଙ୍ଗିଲ୍‌ସ
  • ମିକ୍ସ ଡବଲ୍‌ସ
  • ୧୯ବର୍ଷରୁ କମ୍‌ ସିଙ୍ଗିଲ୍‌ସ ଓ ଡବଲ୍‌ସ
  • ୧୭ବର୍ଷରୁ କମ ସିଙ୍ଗିଲ୍‌ସ ଓ ଡବଲ୍‌ସ
  • ୧୫ବର୍ଷରୁ କମ୍‌ ସିଙ୍ଗିଲ୍‌ସ
  • ଭେଟେରାନ୍‌ ଡବଲ୍‌ସ(୫୦ ବର୍ଷରୁ ଉର୍ଦ୍ଧ୍ୱ)

ଖେଳପ୍ରେମୀ ଥିଲେ ନଳିନୀକାନ୍ତ ମହାନ୍ତି
ଚଣ୍ଡିପ୍ରସାଦ କହିଛନ୍ତି, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ସ୍ମତିରେ ଏହି ପ୍ରତିଯୋଗିତା ପାଇଁ ୨,୫୦,୦୦୦ଟଙ୍କାରୁ ଉର୍ଦ୍ଧ୍ୱ ପୁରସ୍କାର ରାଶି ରଖାଯାଇଛି। ନଳିନୀକାନ୍ତ ଜଣେ ଖେଳପ୍ରେମୀ ତଥା ବ୍ୟାଡମିଣ୍ଟନ ଖେଳାଳି ଥିଲେ। ପ୍ରତି ଖେଳକୁ ଭଲ ପାଇବା ସହିତ ଯୁବ ବର୍ଗଙ୍କୁ ଖେଳିବା ପାଇଁ ଉତ୍ସାହିତ କରୁଥିଲେ। ବ୍ୟାଡମିଣ୍ଟନ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ବୋଲି କ୍ଲବ ତରଫରୁ ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କ୍ଲବର ସଭାପତି ପୃଥିବୀ ବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର, ଉପସଭାପତି କମଳ ଲୋଚନ ମହାନ୍ତି, ଟୁର୍ଣ୍ଣାମେଣ୍ଟ ରେଫରୀ ମନୋଜ ସାବତ ଉପସ୍ଥିତ ଥିଲେ। ଏହି ଅବସରରେ ଖେଳାଳିଙ୍କ ପାଇଁ ଜର୍ସି ଉନ୍ମୋଚନ ହୋଇ ଯାଇଛି।

ସମ୍ବନ୍ଧିତ ଖବର