ଚାରି ଥର ଆୟୋଜନରେ ବ୍ୟାଙ୍କକ୍‌ ପ୍ରଥମ

0 33

ଭୁବନେଶ୍ୱର: ଦୁଇ ଦଶନ୍ଧି ପରେ ଏସୀୟ କ୍ରୀଡ଼ା ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌କୁ ଫେରିଥିଲା। ୧୯୯୮ର ତ୍ରୟୋଦଶ ସଂସ୍କରଣରେ ୩୬ ଖେଳର ୩୩୭ ଇଭେଣ୍ଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୪୧ ଦେଶର ୬,୫୫୪ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ବ୍ୟାଙ୍କକ୍‌ ପୂର୍ବରୁ ୧୯୬୬, ୧୯୭୦ ଏବଂ ୧୯୭୮ରେ ଏସୀୟ କ୍ରୀଡ଼ାକୁ ସଫଳତାର ସହ ଆୟୋଜନ କରିଥିଲା। ୧୯୯୮ର ଆୟୋଜନ ପାଇଁ କିନ୍ତୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହରକୁ ତାଇପେଇ ଏବଂ ଜାକର୍ତା ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିଥିଲା। ଶେଷରେ କିନ୍ତୁ ବ୍ୟାଙ୍କକ୍‌ ବିଜୟୀ ହୋଇଥିଲା। ଆୟୋଜନ ଅଧିକାର ପାଇବା ପରେ କିନ୍ତୁ ଚାରି ଥର ଏସୀୟ କ୍ରୀଡ଼ା ଆୟୋଜନ କରିବାରେ ବ୍ୟାଙ୍କକ୍‌ ପ୍ରଥମ ସହର ହୋଇଥିଲା। ଚୀନ (୧୨୯ ସ୍ୱର୍ଣ୍ଣ, ୭୮ ରୌପ୍ୟ, ୬୭ କାଂସ୍ୟ) ପୁଣି ଥରେ ପଦକ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲା। ଦକ୍ଷିଣ କୋରିଆ (୬୫ ସ୍ୱର୍ଣ୍ଣ, ୪୬ ରୌପ୍ୟ, ୫୩ କାଂସ୍ୟ) ଏବଂ ଜାପାନ (୫୨ ସ୍ୱର୍ଣ୍ଣ, ୬୧ ରୌପ୍ୟ, ୬୮ କାଂସ୍ୟ) ତା’ ପଛକୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ପ୍ରଥମ ଥର ୨୪ ସ୍ୱର୍ଣ୍ଣ ଜିତି ଥାଇଲାଣ୍ଡ ନୂଆ ଇତିହାସ ରଚିବା ସହ ଚତୁର୍ଥ ସ୍ଥାନରେ ରହିଥିଲା। ଏସୀୟ କ୍ରୀଡ଼ାର ଏହି ସଂସ୍କରଣରେ ପ୍ରାୟ ସବୁ ଖେଳର ସ୍ତର ପୂର୍ବାପେକ୍ଷା ବଢ଼ିଥିଲା ବେଳେ ଏହାକୁ ଆଧୁନିକ କ୍ରୀଡ଼ା ଇତିହାସର ଅନ୍ୟତମ ସଫଳ ପ୍ରତିଯୋଗିତାର ମାନ୍ୟତା ମିଳିଥିଲା। ଭାରତ ୭ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୭ କାଂସ୍ୟ ସହ ମୋଟ ୩୫ ପଦକ ଜିତି ନବମ ସ୍ଥାନରେ ରହିଥିଲା। ସ୍ୱର୍ଣ୍ଣ ସହ ମୋଟ ପଦକ ସଂଖ୍ୟା ବଢ଼ିଥିଲେ ମଧ୍ୟ ଭାରତ ପୂର୍ବ ସଂସ୍କରଣଠାରୁ ଗୋଟିଏ ସ୍ଥାନ ତଳକୁ ଖସି ଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.