ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ଫ୍ରାନ୍‌ସ

ଫ୍ରାନ୍‌ସ-୧, ବେଲ୍‌ଜିୟମ-୦

ସେଣ୍ଟ୍‌ ପିଟର୍ସବର୍ଗ: ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପ୍ରଥମେ ପାଦ ଥାପିଛି ୧୯୯୮ ବିଜେତା ଫ୍ରାନ୍‌ସ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଫରାସୀ ଦଳ ୧-୦ ଗୋଲ୍‌ରେ ନିଜ ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ବେଲ୍‌ଜିୟମ୍‌କୁ ପରାସ୍ତ କରି ଦ୍ୱିତୀୟ ଥର ବିଶ୍ୱ ମୁକୁଟ ଜିତିବାର ସୁଯୋଗ ସୃଷ୍ଟି କରିଛି।  ପ୍ରଥମାର୍ଧ ଗୋଲଶୂନ୍ୟ ବିତିବା ପରେ ୫୧ତମ ମିନିଟ୍‌ରେ ତାରକା ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରି ଡିଫେଣ୍ଡର୍‌ ସାମୁଏଲ୍‌ ଉଁତିତି ନୂଆ ତାରକା ପାଲଟିଯାଇଥିଲେ। ଅଣ୍ଡରଡଗ୍‌ ଭାବେ ଖେଳି ସେମିଫାଇନାଲ୍‌ ପହଞ୍ଚିଥିବା ବେଲ୍‌ଜୟିମ୍‌ ତ୍ରୟୋଦଶ ଦେଶ ଭାବେ ଫାଇନାଲ୍‌ ପହଞ୍ଚିବାର ସ୍ୱପ୍ନ ଅଧୁରା ରହିଗଲା। ବୁଧବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ଭେଟିବ କ୍ରୋଏସିଆକୁ। ରବିବାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ମଙ୍ଗଳବାର ମଧ୍ୟରାତିରେ ସେଣ୍ଟ୍‌ ପିଟର୍ସବର୍ଗର ଖଚାଖଚ ଷ୍ଟାଡିୟମ୍‌ରେ ପ୍ରଥମାର୍ଧ ଖେଳ ମିଶ୍ରିତ ଅନୁଭବ ଦେଇଥିଲା। ବଲ୍‌ ନିୟନ୍ତ୍ରଣରେ ବେଲ୍‌ଜିୟମ୍‌ ୬୦ରୁ ଊର୍ଧ୍ୱ ସମୟ ରଖିଥିଲେ ମଧ୍ୟ ଫ୍ରାନ୍‌ସର ପ୍ରତି ଆକ୍ରମଣଭରା ଖେଳ ବେଶ ଆକର୍ଷଣୀୟ ରହିଥିଲା। ଉଭୟ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ସକ୍ଷମ ହୋଇ ନଥିଲେ। ଉରୁଗୁଏ ବିପକ୍ଷ ଚମତ୍କାର ବଞ୍ଚାଓ ପରେ ଚର୍ଚିତ ରହିଥିବା ଫ୍ରାନ୍‌ସ ଗୋଲରକ୍ଷକ ହୁଗୋ ଲୋରିସ୍‌ଙ୍କ ଆଉ ଏକ ସାହସିକ ପ୍ରଦର୍ଶନ ବେଲ୍‌ଜିୟମ୍‌କୁ ଅଗ୍ରଣୀରୁ ବଞ୍ଚିତ ରଖିଥିଲା। ନିଜ ଟଟେନ୍‌ହାମ ଦଳୀୟ ସାଥୀ ଟବି ଏଲଡର୍‌ଓ୍ଵିରଡ୍‌ଙ୍କୁ ଲମ୍ବା ସଟ୍‌ ଗୋଲମୁହାଁ ଯାଉଥିବାବେଳେ ଡାହାଣକୁ ଡାଇଭ୍‌ ମାରି ସେ ଦୁଇ ହାତ ଆଙ୍ଗୁଳିରେ ବାହାରକୁ ଉଡ଼ାଇ ଦେଇଥିଲେ। ଅନ୍ୟପାର୍ଶ୍ୱରେ ଇଡେନ୍‌ ହାଜାର୍ଡଙ୍କ ନିଶ୍ଚିତ ଗୋଲ୍‌ ପ୍ରୟାସକୁ ଭାରାନେ ପଣ୍ଡ କରି ଫ୍ରାନ୍‌ସକୁ ବଞ୍ଚାଇଥିଲେ। ଲୋରିସ୍‌ କିନ୍ତୁ ଏହି ମ୍ୟାଚ୍‌ ଖେଳି ନିଜ ପ୍ରଶିକ୍ଷକ ଦିଦିଏର୍‌ ଦେଶ୍ଚାମ୍ପ୍‌ସଙ୍କ ସହ ସମକକ୍ଷ ହୋଇ ଦେଶର ସର୍ବାଧିକ ମ୍ୟାଚ୍‌ ଖେଳିବା ତାଲିକାରେ ଷଷ୍ଠ ସ୍ଥାନରେ ମିଳିତ ଭାବେ ରହିଥିଲେ। ମୋଟାମୋଟି ଭାବେ ପ୍ରଥମାର୍ଧରେ ସୁଯୋଗ ଅଧିକ ସୃଷ୍ଟି ହୋଇଥିଲା କିନ୍ତୁ ଗୋଟିଏ ବି ଗୋଲ୍‌ରେ ରୂପାନ୍ତର ହୋଇନଥିଲା। ଏଥି ସହ ପ୍ରଥମାର୍ଧ ଗୋଲାଶୂନ୍ୟ ବିତିଥିଲା।

ଦ୍ୱିତୀୟାର୍ଧ ସ୍ୱଭାବିକ ଭାବେ ଅଧିକ ଗତିଶୀଳ ଏବଂ ଆକ୍ରାମକ ଫୁଟ୍‌ବଲ୍‌ ଦେଖାଇଥିଲା। ୫୧ତମ ମିନିଟ୍‌ରେ ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କ କର୍ନରରୁ ଆସିଥିବା ବଲ୍‌କୁ ସାମୁଏଲ୍‌ ଉଁତିତିଙ୍କ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରି ଦେଇ ଫ୍ରାନ୍‌ସକୁ ୧-୦ରେ ଆଗୁଆ କରି ନେଇଥିଲେ। ପ୍ରତିପକ୍ଷ ଗୋଲି ଥିବାଉତ୍‌ କୋର୍ଟାଇସ୍‌ ଚକିତ ହୋଇଯାଇଥିଲେ। ଏଥି ସହିତ ସାମୁଏଲ୍‌ ଉଁତିତି ଏକ ସ୍ୱତନ୍ତ୍ର କ୍ଲବ୍‌ରେ ସାମିଲ୍‌ ହୋଇଯାଇଥିଲେ। ଫ୍ରାନ୍‌ସର ଶେଷ ୬ ବିଶ୍ୱକପ୍‌ ସେମିଫାଇନାଲ୍‌ ଗୋଲ୍‌ରୁ ୪ଟି ଡିଫେଣ୍ଡର୍‌ ଦେଇଥିଲେ। ୧୯୮୨ରେ ପଶ୍ଚିମ ଜର୍ମାନି ବିପକ୍ଷରେ ମାରିୟସ୍‌ ଟ୍ରେଜର୍‌ ଏବଂ ୧୯୯୮ରେ କ୍ରୋଏସିଆ ବିପକ୍ଷରେ ଲିଲିଆମ ଥୁରାମ୍‌ ଗୋଲ୍‌ ଦେଇଥିଲେ। ସେହିଭଳି ସୁନା ଜୋତା ଦୌଡ଼ରେ ଥିବା ଇଂଲଣ୍ଡର ହ୍ୟାରି କେନ୍‌ (୬ ଗୋଲ୍‌)ଙ୍କ ପରେ ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବାଧିକ ଗୋଲ୍‌ରେ ସହାୟତା (୫) ରଖିଲେ। ସେ ୩ ଗୋଲ୍‌ ଦେଇଥିବାବେଳେ ୨ଟିରେ ସହାୟତା କରିଛନ୍ତି। ଉଁତିତିଙ୍କ ଗୋଲ୍‌ ଚଳିତ ବିଶ୍ୱକପ୍‌ର ୩୨ତମ ହେଡର୍‌ ଗୋଲ୍‌ ଥିଲା। ଯାହାକି ୨୦୦୨ ମସିହାର ୩୫ ହେଡର୍‌କୁ ନିକଟତର କରାଇଛି। ଫ୍ରାନ୍‌ସର ଯୁବ ଖେଳାଳି ୧୯ ବର୍ଷୀୟ ଏମ୍‌ବ୍ୟାପଙ୍କ ଗତି ଓ ଡି୍ରବିଲ୍‌ ଆଗରେ ବେଲ୍‌ଜିୟମ୍‌ ବାଉଳା ହୋଇଯାଉଥିଲା। ଶେଷକୁ ସେ ହଳଦିଆ କାର୍ଡ ପାଇଥିବାରୁ ଫାଇନାଲ୍‌ରେ ପ୍ରଥମରୁ ଖେଳିବା ନେଇ ଆଶଙ୍କା ରହିଛି। ଫ୍ରାନ୍‌ସର ବିଜୟ ଫଳରେ ଦିଦିଏର୍‌ ଦେଶ୍ଚାମ୍ପ୍‌ସ ଏବେ ଖେଳାଳି ଓ ପ୍ରଶିକ୍ଷକ ଭାବେ ଦୁଇଥର ବିଶ୍ୱକପ୍‌ ଜିତିବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର