ଅଟକିଲା ଉରୁଗୁଏ, ସେମିରେ ଫ୍ରାନ୍ସ

ନିଝ୍‌ନି: ଫ୍ରାନ୍ସ ପ୍ରଥମ ଦଳ ଭାବେ ଚଳିତ ଫିଫା ଫୁଟ୍‌ବଲ୍‌ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଶୁକ୍ରବାର ରାତିର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଦୁଇ ଥର ବିଜେତା ଉରୁଗୁଏକୁ ଏକତରଫା ଭାବେ ୨-୦ ଗୋଲ୍‌ରେ ହରାଇ ଏହି ୟୁରୋପୀୟ ଦଳ ଷଷ୍ଠ ଥର ପାଇଁ ସେମିଫାଇନାଲ୍‌ ଟିକେଟ ହାସଲ କରିଛି। ସେପଟେ ଲଗାତାର ଚାରିଟି ବିଜୟ ସହ କ୍ୱାର୍ଟର ଫାଇନାଲ୍‌ ଯାଇଥିବା ଉରୁଗୁଏର ଅଭିଯାନ ଦୁର୍ଭାଗ୍ୟଜନକ ଭାବେ ଆଜି ଅଟକି ଯାଇଛି। ଆହତ ଅଗ୍ରଭାଗ ଖେଳାଳି ଏଡିନସନ୍‌ କାଭିନିଙ୍କ ବିନା ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଉରୁଗୁଏ ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ ବରଣ କରି ବିଦାୟ ନେଇଛି।

ଫ୍ରାନ୍ସ ପାଇଁ ଆଜି ରାଫେଲ ଭରାନ (୪୧ ମିନିଟ୍‌) ପ୍ରଥମ ଗୋଲ୍‌ ଦେଇଥିଲେ। ଆଣ୍ଟୋନି ଗ୍ରିଜମ୍ୟାନ୍‌ (୬୧ ମିନିଟ୍‌) ଦ୍ୱିତୀୟ ତଥା ଶେଷ ଗୋଲ୍‌ ଦେଇ ନିଜ ଦଳକୁ ସେମିଫାଇନାଲରେ ପହଞ୍ଚାଇ ଦେଇଥିଲେ। ଉରୁଗୁଏ କେତେକ ଭଲ ସୁଯୋଗ ପାଇଥିଲେ ମଧ୍ୟ ଥରେ ହେଲେ ବି ସଫଳ ନହୋଇ ଫ୍ରାନ୍ସକୁ ସହଜ ବିଜୟ ଉପହାର ଦେଇଥିଲା। ସେହିଭଳି ବିଶ୍ୱକପ୍‌ରେ ଫ୍ରାନ୍ସଠାରୁ ପ୍ରଥମ ଥର ପାଇଁ ହାରିଥିଲା। ଫ୍ରାନ୍ସକୁ ପୂର୍ବରୁ ଏହି ଦଳ ତିନି ଥର ଭେଟିଥିଲା। ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହେବା ସହ ଦୁଇଟିକୁ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ୨୦୦୬ ମସିହା ପରେ ଫ୍ରାନ୍ସ ପ୍ରଥମ ଥର ପାଇଁ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲା। ଷଷ୍ଠ ଥର ପାଇଁ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାରେ ଜର୍ମାନି, ବ୍ରାଜିଲ ଓ ଇଟାଲି ପରେ ଚତୁର୍ଥ ଦଳ ହୋଇଥିଲା। ସେପଟେ ୧୯୬୬ ମସିହାରେ ପଶ୍ଚିମ ଜର୍ମାନିଠାରୁ ହାରିବା ପରେ ଉରୁଗୁଏ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲୁ ବିଦାୟ ନେଇଥିଲା।

ଆଜି ମୁକାବିଲାର ପ୍ରଥମ ୩୯ ମିନିଟ୍‌ ଖେଳରେ ଉଭୟ ଦଳ ପରସ୍ପରର ବଳକୁ ତଉଲିଥିଲେ। ହେଲେ ୪୦ ମିନିଟ୍‌ରେ ଫ୍ରାନ୍ସ ଆଗୁଆ ହୋଇ ଯାଇଥିଲା। ରୋଡ୍ରିଗୋ ବେଣ୍ଟାନକର ବିନା କାରଣରେ କୋରେଣ୍ଟିନ ତୋଲିସୋଙ୍କ ଉପରକୁ ଲମ୍ଫ ମାରିବା ପରେ ତାଙ୍କୁ ହଳଦିଆ କାର୍ଡ ସହ ଫ୍ରାନ୍ସକୁ ୩୦ ଗଜ ଦୂରରୁ ଏକ ଫ୍ରିକିକ୍‌ ମିଳିଥିଲା। ଏହାର ପୂରା ଫାଇଦା ଉଠାଇଥିଲା ଫରାସି ଦଳ। ଆଣ୍ଟୋନି ଗ୍ରିଜମ୍ୟାନ୍‌ ଉରୁଗୁଏ ଗୋଲ୍‌ ରକ୍ଷକ ହୁଗୋ ଲୋରିସ ଏବଂ ସେହି ଦଳର ପଶ୍ଚାତଭାଗକୁ ଚକ୍‌ମା ଦେବା ଲାଗି ଟିକିଏ ଅଟକି ସଟ୍‌ ମାରିଥିଲେ। ତାଙ୍କ ପୂର୍ବାନୁମାନ ସତ ହେବା ସହ ସଟ୍‌ ଠିକ୍‌ ଯାଇ ରାଫେଲ ଭରାନଙ୍କ ଆଗରେ ପଡ଼ିଥିଲା। ଏହାକୁ ହେଡରରେ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଭରାନ ୪୦ ମିନିଟ୍‌ରେ ଫ୍ରାନ୍ସକୁ ଆଗୁଆ କରି ଦେଇଥିଲେ। ଫ୍ରାନ୍ସ ପାଇଁ ଏହାର ମ୍ୟାଚ୍‌ର ପ୍ରଥମ ଏବଂ ବ୍ୟକ୍ତିଗତ ଭାବେ ଭରାନଙ୍କ ତୃତୀୟ ଗୋଲ୍‌ ଥିଲା। ପ୍ରଥମାର୍ଧ ଶେଷ ସୁଦ୍ଧା ଫ୍ରାନ୍ସ ସେହି ୧-୦ରେ ଆଗୁଆ ରହିଥିଲା। ଯାହାକୁ ୬୧ ମିନିଟରେ ଗ୍ରିଜମ୍ୟାନ୍‌ ୨-୦ କରି ନେଇଥିଲେ। ବକ୍ସ ଧାରରେ ପର୍ଯ୍ୟନ୍ତ ସ୍ଥାନ ଏବଂ ସମୟ ମିଳିବା ପରେ ଗ୍ରିଜମ୍ୟାନ ସିଧା ଗୋଲ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଯାହାକୁ ରୋକିବା ଲାଗି ମୁସଲେରା ହାତ ଦେଖାଇଥିଲେ। ହେଲେ ସଟର ଗତି ଏତେ ଥିଲା ଯେ ଏହା ତାଙ୍କ ପଞ୍ଝାରୁ ଛଟିକି ଗୋଲ୍‌ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ଫ୍ରାନ୍ସ ସେହିଠାରେ ୨-୦ରେ ଆଗୁଆ ହୋଇ ଯାଇଥିଲା। କୌଣସି ବଡ଼ ପ୍ରତିଯୋଗିତା (ବିଶ୍ୱକପ ଓ ୟୁରୋପୀୟ ଚାମ୍ପିଅନସିପ) ର ନକଆଉଟ୍‌ ପ୍ରତିଯୋଗିତାରେ ଷଷ୍ଠ ମୁକାବିଲାରୁ ଏହା ଗ୍ରିଜ୍‌ମ୍ୟାନଙ୍କ ସପ୍ତମ ଗୋଲ୍‌ ଥିଲା। ବଳକା ୨୯ ମିନିଟ୍‌ ସହ ୫ ମିନିଟର ଷ୍ଟିପେଜ୍‌ ଟାଇମରେ ମଧ୍ୟ ଉରୁଗୁଏ ଗୋଲ୍‌ କରି ପାରି ନଥିଲା। ଫଳରେ ଫ୍ରାନ୍ସ ୨-୦ର ଏକତରଫା ବିଜୟ ସହ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଉଭୟ ଦଳ ଦୁଇ ଜଣ ଲେଖାଏଁ ଖେଳାଳିଙ୍କୁ ସେମାନଙ୍କ ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ମିଳିଥିଲା।

ସମ୍ବନ୍ଧିତ ଖବର