ଚେସ୍‌ବୋର୍ଡରୁ ବିବାହ ମଣ୍ଡପ:ହରିକ୍ରିଷ୍ଣା ଧରିବେ ନଦ୍‌ଜାଙ୍କ ହାତ

ନୂଆଦିଲ୍ଲୀ : ପ୍ରେମ ଦିବସର ଠିକ୍‌ ପୂର୍ବରୁ ଭାରତୀୟ ଚେସ୍‌ ଜଗତକୁ ଏକ ବଡ଼ ଖୁସି ଖବର ମିଳିଛି। ଦେଶର ଶୀର୍ଷ ମାନ୍ୟତା ଚେସ୍‌ ତାରକା ପେଣ୍ଟଲା ହରିକ୍ରିଷ୍ଣା ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଚେସ୍‌ ବୋର୍ଡରୁ ଆରମ୍ଭ ହୋଇଥିବା ସଂପର୍କ ଏବେ ଯାଇ ବିବାହ ମଣ୍ଡପରେ ପହଞ୍ଚିବାର ସବୁ ପ୍ରସ୍ତୁତି ଶେଷ ହୋଇଛି। ଭାରତୀୟ ସୀମା ସରହଦ ଟପି ସୁଦୂର ସର୍ବିୟାରେ ହରିକ୍ରିଷ୍ଣା ନିଜ ଜୀବନ ସାଥୀ ପାଇଛନ୍ତି। ମାର୍ଚ ୩ ତାରିଖରେ ସେ ସର୍ବିୟାର ସୁନ୍ଦରୀ ଚେସ୍‌ ତାରକା ନଦଜାଙ୍କୁ ବିବାହ କରିବାକୁ ଯାଉଥିବା ହରିକ୍ରିଷ୍ଣାଙ୍କ ପରିବାର ପ୍ରକାଶ କରିଛି। ନଦ୍‌ଜା ଏବଂ ହରିକ୍ରିଷ୍ଣା ପରସ୍ପରକୁ ପିଲବେଳୁ ଜାଣିଛନ୍ତି। କନିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ଚେସ୍‌ ପ୍ରତିଯୋଗିତା ଖେଳିବା ସମୟରୁ ହିଁ ଏହି ଦୁଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପ୍ରଥମେ ପ୍ରଥମେ ଭଲ ବନ୍ଧୁ ଥିଲେ ମଧ୍ୟ ପରେ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ଏବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଛନ୍ତି। ୩୧ ବର୍ଷୀୟ ହରିକ୍ରିଷ୍ଣା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମଗ୍ରହଣ କରିଥିଲା ବେଳେ ୨୦୦୧ରେ ସେ ଭାରତର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଲାଭ କରିଥିଲେ। ମାତ୍ର କିଛି ବର୍ଷ ପରେ ଅବଶ୍ୟ ପରିମାର୍ଜନ ନେଗି ଅବଶ୍ୟ ତାଙ୍କର ଏହି କୀର୍ତ୍ତିିମାନକୁ ଭାଙ୍ଗି ଦେଇଥିଲେ। ହରିକ୍ରିଷ୍ଣା ୨୦୦୧ରେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା, ୨୦୦୪ର ବିଶ୍ୱ ପ୍ରତିଯୋଗିତା ଏବଂ ୨୦୧୧ରେ ଏସୀୟ ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୦୦ରୁ ୨୦୧୨ ମଧ୍ୟରେ ୭ ଚେସ୍‌ ଅଲିମ୍ପିଆଡରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୨୦୧୦ ବିଶ୍ୱ ଦଳଗତ ଚେସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ହରିକ୍ରିଷ୍ଣା ସଦସ୍ୟ ଥିଲେ। ନଦଜା ମଧ୍ୟ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜ ଦେଶର ପ୍ରତିନିଧିତ୍ୱ କରିଛନ୍ତି।

ସମ୍ବନ୍ଧିତ ଖବର