ବୁଧବାରଠୁ ଓଡ଼ିଶାର ବିଜୟ ହଜାରେ ଅଭିଯାନ

କଟକ: ରଣଜୀ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟେ୍ଵଣ୍ଟି-୨୦ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଓଡ଼ିଶା କ୍ରିକେଟ୍‌ ଦଳର ନଜର ଏବେ ସୋମବାରଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫି ଉପରେ ରହିଛି। ବିସିସିଆଇ ଦ୍ୱାରା ଆୟୋଜିତ ଏହି ଦିନିକିଆ ପ୍ରତିଯୋଗିତା ପାଇଁ ଓଡ଼ିଶା ସୋମବାର ବେଙ୍ଗାଲୁରୁରେ ପହଞ୍ଚିଛି। ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଯାଇଥିବା ଯୁବ ଦଳ ବୁଧବାର ଆଲୁର କ୍ରିକେଟ୍‌ ଷ୍ଟାଡିୟମରେ ରେଳବାଇ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶାର ନେଟ୍ସ କରିବ।
ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ପାଇଁ କିନ୍ତୁ ଏହି ସମ୍ମାନଜନକ ଘରୋଇ ପ୍ରତିଯୋଗିତା ସେତେଟା ସହଜ ହେବନି। କଷ୍ଟକର ଗ୍ରୁପ୍‌ରେ ରହିଥିବାରୁ ଓଡ଼ିଶା ପାଇଁ ଏହା ଆଉ ଏକ ଅଗ୍ନିପରୀକ୍ଷା ସଦୃଶ ହେବ। ବୁଧବାର ରେଳବାଇ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଓଡ଼ିଶା ୮ ତାରିଖରେ ପଞ୍ଜାବ, ୧୧ରେ ଆସାମ, ୧୩ରେ କର୍ଣ୍ଣାଟକ, ୧୪ରେ ବରୋଦା ଓ ୧୬ରେ ହରିୟାଣା ବିପକ୍ଷରେ ମ୍ୟାଚ୍‌ ଖେଳିବ। ରଣଜୀ ଟ୍ରଫିରେ ଓଡ଼ିଶା ୬ ମ୍ୟାଚ୍‌ରୁ ମାତ୍ର ୬ ପଏଣ୍ଟ୍‌ ପାଇଥିଲାବେଳେ ଟେ୍ଵଣ୍ଟି-୨୦ ମାତ୍ର ଦୁଇଟି ମ୍ୟାଚ୍‌ ଜିତିପାରିଥିଲା। ତେଣୁ ଋତୁର ଶେଷ ପ୍ରତିଯୋଗିତାରେ ସମ୍ମାନ ଫେରିପାଇବା ମଧ୍ୟ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ଆହ୍ଵାନ ରହିବ।
ଗତବର୍ଷ ଓଡ଼ିଶା ଖେଳିଥିବା ବିଜୟ ହଜାରେ ଟ୍ରଫିରେ ଚଳିତ ବର୍ଷର ପ୍ରତିଦ୍ୱନ୍ଦୀଙ୍କ ସହିତ ମଧ୍ୟ କିଛି ମ୍ୟାଚ୍‌ ଖେଳିଥିଲା। ସେଗୁଡ଼ିକ ମଧ୍ୟରୁ ପଞ୍ଜାବ ଓ ଆସାମ ବିପକ୍ଷରେ ଜିତିଥିଲାବେଳେ ରେଳବାଇ, ହରିଆଣା, ବରୋଦାଠୁ ପରାସ୍ତ ହୋଇଥିଲା। ଗତ ଋତୁରେ ଗୋବିନ୍ଦ ପୋଦ୍ଦାର ଓଡ଼ିଶା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୬ ମ୍ୟାଚ୍‌ରୁ ୨ଟି ଲେଖାଏଁ ଶତକ ଓ ଅର୍ଧଶତକ ବଳରେ ସେ ୩୫୯ ରନ୍‌ ସଂଗ୍ରହ କରିଥିଲେ। ଅନୁରାଗ ଷଡ଼ଙ୍ଗୀ ମଧ୍ୟ ଅନ୍ୟତମ ଶତକ ହାସଲକାରୀ ରହିଥିଲେ। କେବଳ ଏତିକି ନୁହେଁ ବଲ୍‌ରେ ମଧ୍ୟ ଗୋବିନ୍ଦ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଏହି ଋତୁରେ ସେ ୫ ଓ୍ଵିକେଟ ଅକ୍ତିଆର କରିଥିଲେ। ବୋଲରଙ୍କ ମଧ୍ୟରେ ବସନ୍ତ ମହାନ୍ତି ୭ ଓ୍ଵିକେଟ୍‌, ଧୀରାଜ ସିଂହ ୧୦, ଦୀପକ ବେହେରା ୫ ଓ୍ଵିକେଟ ନେଇଥିଲେ।
ଚଳିତ ଋତୁ ପାଇଁ ଓଡ଼ିଶା ଦଳରେ ଅଭିଜ୍ଞ ଲେଗ୍‌ ସ୍ପିନର ଅଭିଷେକ ରାଉତ, ଅଲ୍‌ରାଉଣ୍ଡର ପ୍ରୟାସ ସିଂହ, ନବାଗତ ଶାନ୍ତନୁ ମିଶ୍ର ସୁଯୋଗ ଅପେକ୍ଷାରେ ରହିବେ। ପୁଣି ଥରେ ବରିଷ୍ଠ ଦଳକୁ ଫେରିଥିବା ଦୁଇ ଯୁବ ଓ୍ଵିକେଟ୍‌ ରକ୍ଷକ ରୋଶନ କୁମାର ଓ ସୌରଭ ରାଓ୍ଵତଙ୍କ ମଧ୍ୟରୁ ସୌରଭ ଅଧିକ ପସନ୍ଦିତା ରହିବେ। ଏମାନଙ୍କ ବ୍ୟତୀତ ଅଭିଜ୍ଞ ଗୋବିନ୍ଦ, ବିପ୍ଲବ, ବସନ୍ତ, ଦୀପକ, ସୂର୍ଯ୍ୟକାନ୍ତ, ଜୟନ୍ତଙ୍କ ଉପରେ ଓଡ଼ିଶା ଅଧିକ ନିର୍ଭର କରିବ। ଦଳର ସନ୍ତୁଳନକୁ ନେଇ ପ୍ରଶିକ୍ଷକ ଶିବସୁନ୍ଦର ଦାସ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛନ୍ତି। ସମସ୍ତେ ବ୍ୟକ୍ତିଗତ ଭାବେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ବାଙ୍ଗାଲୋର ଆସିବା ପୂର୍ବରୁ ଓଡ଼ିଶା ଏକାଧିକ ଅଭ୍ୟାସ ମ୍ୟାଚ୍‌ ଖେଳିସାରିଛି। ଏହି ଟ୍ରଫିରେ ଓଡ଼ିଶା ପ୍ରତ୍ୟେକ ଦଳକୁ ଗୁରୁତର ସହ ନେଉଥିବାବେଳେ ପ୍ରଥମରୁ ବିଜୟ ହାସଲ କରି ମନୋବଳ ବଢାଇବା ପ୍ରଧାନ ଲକ୍ଷ୍ୟ ହେବ ବୋଲି ଶିବସୁନ୍ଦର କହିଛନ୍ତି। ତେଣୁ ଅଧିକ କିଛି ଆଶା ନରଖି ଦଳୀୟ ମନୋଭାବ ସହ ମ୍ୟାଚଗୁଡ଼ିକ ଜିତିବାକୁ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟ, ଅରବିନ୍ଦ ସିଂହ, ଅନୁରାଗ ଷଡଙ୍ଗୀ, ରଂଜିତ ସିଂହ, ପ୍ରୟାସ ସିଂହ, ଅଭିଷେକ ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, ଜୟନ୍ତ ବେହେରା, ଶାନ୍ତନୁ ମିଶ୍ର, ଶେଷଦୀପ ପାତ୍ର, ଦୀପକ ବେହେରା, ପି.ରୋଶନ କୁମାର ରାଓ, ସୌରଭ ରାଓ୍ଵତ।

ସମ୍ବନ୍ଧିତ ଖବର