ଆଜିଠାରୁ କ୍ବାର୍ଟର ଫାଇନାଲ୍ସ ;ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟ୍ରେଲିଆ-ଫ୍ରାନ୍ସ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ବୁଧବାର ଏବଂ ଗୁରୁବାର କ୍ବାର୍ଟର ଫାଇନାଲ୍ ଖେଳାଯିବ। ସେମିଫାଇନାଲ୍‌ରେ ପ୍ରବେଶ ପାଇଁ ବୁଧବାର ଲଢ଼ିବେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ଓ ଇଂଲଣ୍ଡ ଅପରାହ୍ନ ୪.୪୫ ମିନିଟରେ। ଏହା ପରେ ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଭେଟିବେ ୩ ଥର ବିଜେତା ତଥା ହ୍ୟାଟ୍ରିକ୍ ମୁକୁଟ ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ଏବଂ ବିଶ୍ବକପ୍ ଆଶ୍ଚର୍ଯ୍ୟ ଆଶାବାଦୀ
ଫ୍ରାନ୍ସ। ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ପୁଲ୍ ‘ଏ’ ଓ ‘ବି’ର ଶୀର୍ଷ ଦଳ ଭାବେ ସିଧାସଳଖ କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲେ। ଗତ ସୋମବାର ପ୍ରଥମ ଦୁଇ କ୍ରସ୍ ଓଭର ମ୍ୟାଚ୍‌ରେ ଇଂଲଣ୍ଡ ୨-୦ ‌େଗ‌ାଲ୍‌ରେ ନ୍ୟୁଜିଲାଣ୍ଡକୁ ଏବଂ ଫ୍ରାନ୍ସ ୧-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଏବେ ପ୍ରତିଟି ମ୍ୟାଚ୍ ଶୀର୍ଷ ୮ ଦଳ ପାଇଁ କର ବା ମର ଭଳି ହୋଇଛି। ବିଶ୍ବର ଏକ ନମ୍ବର ଦେଶ ଆର୍ଜେଣ୍ଟିନା ସିଧାସଳଖ କ୍ବାର୍ଟର ଫାଇନାଲ୍ ଆସିଥିଲେ ମଧ୍ୟ ଶେଷ ଲିଗ୍‌ରେ ଏ ବିଶ୍ବକପ୍‌ର ସବୁଠୁ ନିମ୍ନ ମାନ୍ୟତାପ୍ରାପ୍ତ ଫ୍ରାନ୍ସ (୨୦ ନମ୍ବର)ଠାରୁ ହାରିବା ଏହି ଦଳକୁ ଚିନ୍ତାରେ ପକାଇଛି। କିନ୍ତୁ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଏହି ଦକ୍ଷିଣ ଆମେରିକୀୟ ଦେଶ ନିଶ୍ଚିତ ହାଲକାରେ ଖେଳି ଫଳ ଭୋଗିଥିଲା। ଯେଉଁଭଳି ଆଚରଣ ଦଳ କ୍ବାର୍ଟର ଫାଇନାଲରେ କରିପାରିବ ନାହିଁ। ଏକାଥରକେ ଅଲିମ୍ପିକ୍ ଏବଂ ବିଶ୍ବକପ୍ ମୁକୁଟ ଜିତିବାର ଲକ୍ଷ୍ୟରେ ଥିବାରୁ ଏହି ଦେଶର ଅର୍ଧାଧିକ ଖେଳାଳି ଜୋସ୍‌ରେ ଅଛନ୍ତି। ୭ ନମ୍ବର ଦେଶ ଇଂଲଣ୍ଡକୁ ହରାଇବାରେ ପେଦ୍ରୋ ଈବାରାଙ୍କ ଦଳ ପାଇଁ ସେତେଟା ଅସୁବିଧା ହେବ ନାହିଁ ବୋଲି ବିଶ୍ବାସ। ବିଗତ ୫ ବର୍ଷ ଭିତରେ ଇଂଲଣ୍ଡ (୦) ‌ଆଦୌ ଆର୍ଜେଣ୍ଟିନା (୪)କୁ ହରାଇ ନାହିଁ। ବିଶ୍ବକପ୍‌ରେ କିନ୍ତୁ ଇଂଲଣ୍ଡ (୩-୨) ପଲ୍ଲା ଭାରି ରହିଛି।
ଅନ୍ୟପକ୍ଷରେ ଫ୍ରାନ୍ସ ବନାମ ଅଷ୍ଟ୍ରେଲିଆ ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍ ମଧ୍ୟ ରୋଚକ ହେବ ବୋଲି ବିଶ୍ବାସ କରାଯାଉଛି। ଆର୍ଜେଣ୍ଟିନାକୁ ହରାଇବାର ଆତ୍ମବିଶ୍ବାସ ଫ୍ରାନ୍ସକୁ କେତେ ଜୋସ୍‌ରେ ରଖିଛି ବୁଧବାର ଏହାର ପରୀକ୍ଷା ହେବ। ୧୯୮୬, ୨୦୧୦ ଏବଂ ୨୦୧୪ରେ ବିଜେତା ହୋଇଥିବା କୁକାବୁରା ଦଳ ଭୁବନେଶ୍ବରରେ ଗତବର୍ଷ ବିଶ୍ବ ହକି ଲିଗ୍ ଜିତିଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆଉ ଏକ ସ୍ମୃତି ଛାଡ଼ିବା ଆଶାରେ ରହିଛି। ବିଗତ ୫ ବର୍ଷ ଭିତରେ କୁକାବୁରା ଦଳ ୩ ଥର ଫ୍ରାନ୍ସକୁ ହରାଇଥିଲେ ମଧ୍ୟ ବିଶ୍ବକପ୍ ଇତିହାସରେ ଏହି ଦୁଇ ଦେଶ ୧-୧ ସ୍ଥିତରେ ରହିଛନ୍ତି।

ସମ୍ବନ୍ଧିତ ଖବର