ଗଗନ-ପୂଜାଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଅଲିମ୍ପିକ୍‌ ପଦକ ବିଜେତା ଗଗନ ନାରଙ୍ଗ ଏବଂ ଯୁବ ମହିଳା ତାରକା ପୂଜା ଘଟକର ଚେକ୍‌ ଗଣରାଜ୍ୟର ପିଲ୍‌ସେନ୍‌ଠାରେ ଚାଲିଥିବା ଲିବରେସନ୍‌ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ଗ୍ରାଁ ପ୍ରି ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୁଗଳରେ ରୌପ୍ୟ ପଦକ ଜିତି ନେଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଗଗନ (୪୧୯.୭)-ପୂଜା (୪୧୩.୫) ଯୋଡ଼ି ମୋଟ ୮୩୩.୨ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହି ଫାଇନାଲ୍‌ ପହଞ୍ଚିଥିଲେ। କିନ୍ତୁ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ିଙ୍କଠୁ ୧.୩ ପଏଣ୍ଟ୍‌ ଅଧିକ ହାତେଇ ଜୁରାତେ ସେସିନାଇତି ଓ କାରୋଲିସ୍‌ ଗିରୁଲିସ୍‌ ସ୍ୱର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ନିବିତା ପରମନାଥ ଏବଂ ଅମନ୍‌ପ୍ରୀତ୍‌ ସିଂହ ଯୋଡ଼ି ମିଶ୍ରିତ ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାରେ ମହିଳା ଏୟାର ରାଇଫଲ୍‌ରେ ମିହିକା ପୂରେ ଏବଂ ଏୟାର ପିସ୍ତଲରେ ନିବିତା ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ। ତେବେ ପୁରୁଷ ରାଇଫଲ୍‌ ଥ୍ରି ୩ ପୋଜିସନ୍‌ରେ ନାରଙ୍ଗ ୩୫ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ପୁରୁଷ ରାପିଡ୍‌ ଫାୟାର ପିସ୍ତଲରେ ଅର୍ପିତ୍‌ ଗୋଏଲ୍‌ ୧୮ ତମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର