ଗଲ୍‌ ଟେଷ୍ଟ୍‌: ଲକ୍ଷ୍ୟ ୨୬୮; ଶ୍ରୀଲଙ୍କା ୧୩୩/୦

ଟେଷ୍ଟ୍‌ରେ ସର୍ବାଧିକ ଛକା: ସଚିନ୍‌ଙ୍କ ସମକକ୍ଷ ସାଉଦି

ଗଲ୍‌: ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌‌ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଯାଇଛି। ସ୍ପିନରଙ୍କ ଆଧିପତ୍ୟ ମଧ୍ୟରେ ଏହି ଟେଷ୍ଟ୍‌ ପଞ୍ଚମ ତଥା ଅନ୍ତିମ ଦିବସକୁ ଟାଣି ହୋଇଯାଇଥିଲେ ମଧ୍ୟ ଘରୋଇ ଶ୍ରୀଲଙ୍କାର ବିଜୟ ସମ୍ଭାବନା ଉଜ୍ଜଳ ରହିଛି। ଚତୁର୍ଥ ଦିବସରେ ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିକୁ ୨୮୫ ରନ୍‌ରେ ଶେଷ କରିଦେବା ପରେ ଶ୍ରୀଲଙ୍କା ସାମ୍‌ନାରେ ୨୬୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଜବାବରେ ଘରୋଇ ଦଳ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ବିନା ୱିକେଟ୍‌ରେ ୧୩୩ ରନ୍ କରିସାରିଥିବାରୁ ପଞ୍ଚମ ଦିବସରେ ବିଜୟ ପାଇଁ ଆଉ ୧୩୫ ରନ୍ ଦରକାର ରହିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ ଦିମୁତ କରୁଣାରତ୍ନେ (୭୧) ଓ ଲାହିରୁ ଥିରିମାନେ (୫୭) ନିଜ ନିଜର ଅର୍ଧଶତକ ପୂରଣ କରି କ୍ରିଜ୍‌ରେ ଜମି ରହିଛନ୍ତି।

ଏହା ପୂର୍ବରୁ ତୃତୀୟ ଦିବସର ଅସମାପ୍ତ ସ୍କୋର୍‌ ୧୯୫/୭ରୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ତା’ର ଦ୍ବିତୀୟ ପାଳି ଖେଳିଥିଲା। ପୂର୍ବଦିନ କରିଥିବା ୬୩ ରନ୍‌ରେ ଆଉ ୧୪ ରନ୍‌ ଯୋଡ଼ିବା ପରେ ୱିକେଟ୍‌ରକ୍ଷକ ବିଜେ ୱାଟ୍‌ଲିଙ୍ଗ୍‌ (୭୭) ଲାହିରୁ କୁମାରାଙ୍କ ଶିକାର ହୋଇଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ସୋମରଭିଲ୍ଲେଙ୍କ ସହ ୪୬ ରନ୍ ଯୋଡ଼ିଥିଲେ। ଏହାପରେ ଟ୍ରେଣ୍ଟ୍‌ ବୋଲ୍‌ଟ (୨୬) ଓ ଅଜାଜ୍‌ ପଟେଲ (୧୪) ବେଶ୍‌ ଲଢ଼ିଥିଲେ ମଧ୍ୟ ଲାହିରୁ କୁମାରା ଓ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଶିକାର ହୋଇଥିଲେ। ଅଜାଜ୍‌ଙ୍କୁ ଆଉଟ୍‌ କରି ଧନଞ୍ଜୟ ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳି ଶେଷ କରିଥିଲେ। ତେବେ ସୋମରଭିଲ୍ଲେ ୪୦ ରନ୍‌ରେ ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିରେ ସଫଳ ସିଂହଳୀ ବୋଲର ଭାବେ ଏମ୍ବୁଲଡେନିୟା ୯୯/୪, ଧନଞ୍ଜୟ ଡି ସିଲ୍‌ଭା ୨୫/୩ ଓ ଲାହିରୁ କୁମାରା ୩୧/୨ ବୋଲିଂ ଚିତ୍ର ପାଇଥିଲେ। ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ଅକିଲ ଧନଞ୍ଜୟଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ଗଲ୍‌: ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ ଅବସରରେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଟିମ୍‌ ସାଉଦି ଟେ‌ଷ୍ଟ୍‌ କ୍ରିକେଟ୍‌ରେ ସବୁଠୁ ଅଧିକ ଛକା ମାରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ନିଜର ସୁଇଂ, ଲାଇନ୍‌ ଲେନ୍ଥ୍‌ ଓ ୱିକେଟ୍‌ ଦଖଲ ସାମର୍ଥ୍ୟ ପାଇଁ ବେଶ୍‌ ପରିଚିତ ଏହି କିୱି ବୋଲର ଯେ ଛକା ମାରିବାର ଦକ୍ଷତା ରଖିଛନ୍ତି ତାହା ପ୍ରମାଣିତ କରିଛନ୍ତି। ଗଲ୍‌ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୯ ବଲ୍‌ରୁ ୧୪ ରନ୍‌ କରିଥିଲା ବେଳେ ସେଥିରେ ଗୋଟିଏ ଛକା ସାମିଲ ଥିଲା। ସ୍ପିନର ଧନଞ୍ଜୟ ଡି’ସିଲ୍‌ଭାଙ୍କୁ ମାରିଥିବା ଏହି ଛକା ହିଁ ସର୍ବାଧିକ ତାଲିକାରେ ତାଙ୍କୁ ଭାରତୀୟ କିମ୍ବଦନ୍ତୀ ସଚିନ୍‌ଙ୍କ ସମକକ୍ଷ କରିଦେଇଥିଲା। ଫଳରେ ଉଭୟ ସଚିନ୍‌ ଓ ସାଉଦିଙ୍କ ଟେଷ୍ଟ୍‌ ଛକା ସଂଖ୍ୟା ଏବେ ସମାନ ୬୯ ଲେଖାଏଁ ରହିଛି। ତେବେ ସଚିନ୍‌ ୬୯ ଛକା ପାଇଁ ୩୨୯ ପାଳି ଖେଳିଥିଲା ବେଳେ ସାଉଦି ମାତ୍ର ୮୯ ପାଳି‌ରେ ହିଁ ୬୯ ଛକା ନିଜ ନାମରେ କରିନେଲେ। ତେବେ ଦ୍ବିତୀୟ ପାଳିରେ ସେ ଆଉ ଗୋଟିଏ ଛକା ମାରିଥିଲେ ହୁଏତ ସଚିନ୍‌ଙ୍କୁ ଟପି ଯାଇଥାନ୍ତେ। ମାତ୍ର ଏହି ପାଳିରେ ସେ ୨୩ ରନ୍‌ କରିଥିଲେ ମଧ୍ୟ ଛକା ମାରିପାରିନଥିଲେ। ତେଣୁ ସଚିନ୍‌ଙ୍କ ସହ ସମାନ ସ୍ଥିତିରେ ରହିଗଲେ। ସର୍ବାଧିକ ଛକା ମାରିବା ତାଲିକାରେ ଉଭୟ ସଚିନ୍ ଓ ସାଉଦି ଯୁଗ୍ମ ଭାବେ ସପ୍ତଦଶ ସ୍ଥାନରେ ରହିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବା ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଧିନାୟକ ତଥା ଏବର ଆଇପିଏଲ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକ୍‌ଲମ୍‌। ସେ ୧୭୬ ପାଳିରୁ ୧୦୭ ଛକା‌ ମାରିଛନ୍ତି। ତାଙ୍କ ବ୍ୟତୀତ ଟେ‌ଷ୍ଟ ଛକାରେ ଶତକ ପୂରଣ କରିଥିବା ବ୍ୟାଟ୍‌ସମ୍ୟାନ୍‌ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍‌ରକ୍ଷକ ଆଦାମ୍‌ ଗିଲ୍‌ଖ୍ରିଷ୍ଟ। ଗିଲ୍‌ଖ୍ରିଷ୍ଟ ୧୩୭ ପାଳିରୁ ୧୦୦ ଛକା ମାରିଥିଲେ। ମ୍ୟାକ୍‌ଲମ୍‌ ଓ ଗିଲ୍‌ଖ୍ରିଷ୍ଟଙ୍କ ପଛକୁ ପଛ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୯୮), ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍‌ (୯୭), ଭାରତର ବୀରେନ୍ଦ୍ର ସେହବାଗ୍‌ (୯୧) ଶୀର୍ଷ-୫ରେ ରହିଥିଲା ବେଳେ ପୂର୍ବତନ ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ ୟୁନିସ୍‌ ଖାନ୍‌ ୨୧୩ ପାଳିୀୁ ୭୦ ଛକା ନିଜ ନାମରେ ରଖିଛନ୍ତି।

ସମ୍ବନ୍ଧିତ ଖବର