ଗେଲ୍‌ଙ୍କ କୀର୍ତିମାନ ବର୍ଷା

ଢାକା: ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ କୀର୍ତିମାନ ଏବଂ କ୍ରିସ୍‌ ଗେଲ୍‌ ପରସ୍ପରର ପରିପୂରକ ପାଲଟିଯାଇଛନ୍ତି। ଏହି ଛୋଟ ଫର୍ମାଟ୍‌ର କ୍ରିକେଟ୍‌ରେ ଗେଲ୍‌ ନିଜ ବିଶ୍ୱ କୀର୍ତିମାନକୁ ଏବେ ନିଜେ ଭାଙ୍ଗିବା ସହିତ ନୂଆ ଅଧ୍ୟାୟ ମଧ୍ୟ ସଂଯୋଗ କରିବାରେ ଲାଗିଛନ୍ତି। ମଙ୍ଗଳବାର ଏହି େଓ୍ଵଷ୍ଟଇଣ୍ଡିଜ୍‌ ତାରକା ବିଶ୍ୱର ପ୍ରଥମ ଖେଳାଳି ଭାବେ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ୨୦ ଶତକ, ୧୧ ହଜାର ରନ୍‌ ପୂରଣ ଏବଂ ଗୋଟିଏ ପାଳିରେ ସର୍ବାଧିକ ୧୮ ଛକା ମାରିବାର କୀର୍ତିମାନ କରିଛନ୍ତି। ବାଂଲାଦେଶ ପ୍ରିମିୟର୍‌ ଲିଗ୍‌ରେ ରଙ୍ଗପୁର ରାଇଡର୍ସ ପାଇଁ ଖେଳୁଥିବା ବେଳେ ଗେଲ୍‌ ଢ଼ାକା ଡିନାମାଇଟ୍‌ସ ବିପକ୍ଷ ଫାଇନାଲରେ ୬୯ ବଲ୍‌ରୁ ୧୪୬* ରନ୍‌ କରିଥିବା ଅବସରରେ ଏହି ସବୁ କୀର୍ତିମାନ କରିଛନ୍ତି। ତାଙ୍କ ପାଳିରେ ୧୮ ଛକା ଓ ୫ ଚୌକା ସାମିଲ ଥିଲା। ୧୧,୦୦୦ ରନ୍‌ ଅତିକ୍ରମ କରିବାରେ ସେ ପ୍ରଥମ ଟେ୍ଵଣ୍ଟି-୨୦ ଖେଳାଳି।

ବ୍ରେଣ୍ଡନ୍‌ ମ୍ୟାକ୍‌ଲମ ୩୦୯ ମାଚ୍‌ରୁ ୮୫୨୬ ରନ୍‌ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ୨ ଶତକ ମାରିଥିବା ଗେଲ୍‌ ଏହି ଫର୍ମାଟ୍‌ରେ ମୋଟ ୨୦ ଶତକ ହାସଲ କରିବାରେ ମଧ୍ୟ ପ୍ରଥମ ଖେଳାଳି ହୋଇଛନ୍ତି। ଗୋଟିଏ ପାଳିରେ ୧୮ ଛକା ମାରିବାର କୀର୍ତିମାନ କରିଥିବା ଗେଲ୍‌ ମଧ୍ୟ ବାଂଲାଦେଶ ପି୍ରମିୟର୍‌ ଲିଗ୍‌ରେ ୧୦୦ରୁ ଅଧିକ ଛକା ମାରିବାର କୀର୍ତିମାନ କରିଛନ୍ତି। ଏହି ୩୮ ବର୍ଷୀୟ ବାମହାତୀଙ୍କ ମୋଟ ଟେ୍ଵଣ୍ଟି-୨୦ ଛକା ସଂଖ୍ୟା ୯୧୯ରେ ପହଞ୍ଚିଛି। ୨୦୧୩ରେ ଆଇପିଏଲ୍‌ରେ ଗେଲ୍‌ ପୁନେ ଓ୍ଵାରିୟର୍ସ ବିପକ୍ଷରେ ୬୬ ବଲ୍‌ରୁ ୧୭୫* ରନ୍‌ର କୀର୍ତିମାନ ଅବସରରେ ୧୭ ଛକା ମାରିଥିଲେ।
ମଙ୍ଗଳବାର ବ୍ରେଣ୍ଡନ୍‌ ମ୍ୟାକ୍‌ଲକଙ୍କୁ ସାଥୀ କରି ଗେଲ୍‌ ମଧ୍ୟ ୨୦୧ ରନ୍‌ର ଦ୍ୱିଶତକ ଭାଗୀଦାରି କରିଥିଲେ। ତାଙ୍କ ଦଳ ରଙ୍ଗପୁର ରାଇଡର୍ସ ୨୦ ଓଭରରେ ୨୦୬ ରନ୍‌ କରିଥିଲା। ଚଳିତ ଋତୁରେ ଖରାପ ଖେଳିଥିବା ଗେଲ୍‌ ଫାଇନାଲରେ ଚମକ ଦେଖାଇ ରଙ୍ଗ୍‌ପୁର ରାଇଡର୍ସକୁ ମଧ୍ୟ ପ୍ରଥମ ଥର ବିପିଏଲ୍‌ ଟ୍ରଫି ଜିତାଇବାରେ ସକ୍ଷମ ହୋଇଛନ୍ତି। ଢାକା ଡିନାମାଇଟ୍‌ସକୁ ୧୪୯/୯ରେ ସୀମିତ ରଖି ରଙ୍ଗପୁର ୫୭ ରନ୍‌ରେ ଜିତି ବିଜେତା ହୋଇଥିଲା। ଗେଲ୍‌ ଫାଇନାଲ୍‌ ମ୍ୟାଚ୍‌ ସମେତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।

ସମ୍ବନ୍ଧିତ ଖବର