କୋହଲିଙ୍କ ‌ନେତୃତ୍ବ ଦକ୍ଷତା ନେଇ ପୁଣି ପ୍ରଶ୍ନ ଉଠାଇଲେ ଗମ୍ଭୀର

କୋହଲି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶିକ୍ଷାନବିଶ ଅଧିନାୟକ

ନୂଆଦିଲ୍ଲୀ: ଭାରତ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଅଧିନାୟକ ବିରାଟ କୋହଲିଙ୍କ ‌ନେତୃତ୍ବ ଦକ୍ଷତା ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଚଳିତ ଆଇପିଏଲ୍‌ରେ ଆର୍‌ସିବି ଲଗାତାର ଷଷ୍ଠ ପରାଜୟ ବରଣ କରିବା ପରେ କୋହଲିଙ୍କୁ ସମାଲୋଚନା କରି ୩୭ ବର୍ଷୀୟ ଗମ୍ଭୀର କହିଛନ୍ତି ଯେ କୋହଲି ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ହେଲେ ଅଧିନାୟକ ଭାବେ ତାଙ୍କୁ ଆହୁରି ଅନେକ କିଛି ଶିଖିବାର ଅଛି। କୋହଲି ଏବେବି ଜଣେ ଶିକ୍ଷାନ‌ବିଶ ଅଧିନାୟକ। ଆର୍‌ସିବିର ଏଭଳି ଅବସ୍ଥା ଲାଗି ବୋଲରଙ୍କୁ ଦାୟୀ କରିବା ପରିବର୍ତେ, ସେ ନିଜକୁ ଦାୟୀ କଲେ ଭଲ ହେବ। ଗତବର୍ଷର ନିଲାମରୁ ମୁଁ ଆରମ୍ଭ କରିବି। ପ୍ରତିଯୋଗିତା ଆରମ୍ଭରୁ ଉପଲବ୍ଧ ହେ‌ବେ ନାହିଁ ବୋଲି ଜାଣି ମଧ୍ୟ ସେମାନେ କାହିଁକି ମାର୍କସ ଷ୍ଟୋଇନିସ୍ ଏବଂ ନାଥନ କୁଲଟର ନାଇଲଙ୍କ ଭଳି ଖେଳାଳିଙ୍କୁ କିଣୁଥିଲେ? ଚିନ୍ନାସ୍ବାମୀ ଷ୍ଟାଡିୟମ ଭଳି ଛୋଟ ପଡ଼ିଆ, ଯେଉଁଠି ୱିକେଟ୍ ପୂରା ସମତୁଲ ଓ ବ୍ୟାଟିଂ ଉପଯୋଗୀ ଥିଲା। ମୁଁ ହୋଇଥିଲେ ନିଶ୍ଚିତ ଭାବେ ଜଣେ ଅତିରିକ୍ତ ବିଶେଷଜ୍ଞ ଦ୍ରୁତ ବୋଲରଙ୍କୁ ଖେଳାଇ ଥାଆନ୍ତି। କୋହଲି ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିଜ ବୋଲିଂ ବିକଳ୍ପକୁ ବିଜ୍ଞତାର ସହ ଉପଯୋଗ କରି ନଥିବା ଗମ୍ଭୀର ଆକଳନ କରିଛନ୍ତି। ଏଥିନେଇ ସେ କହିଛନ୍ତି ଯେ ସିରାଜଙ୍କ ବଳକା ଓଭର ବୋଲିଂ ପାଇଁ ଷ୍ଟୋଇନିସଙ୍କୁ ବାଛିବା ପରିବର୍ତେ ସେ (କୋହଲି) ପବନ ନେଗିଙ୍କୁ ବଲ୍ ଦେବା କଥା। ସେତେବେଳେ ବଲ୍ ଟିକେ ଅଟକିକରି ବ୍ୟାଟ୍‌କୁ ଆସୁଥିବାରୁ ନେଗି ଅଧିକ ପ୍ରଭାବୀ ହୋଇଥାଆନ୍ତେ। ରସେଲ ଦ୍ରୁତ ବୋଲରଙ୍କୁ ଭଲ ଖେଳନ୍ତି ବୋଲି ସମସ୍ତେ ଜାଣିଛନ୍ତି। ଆଇପିଏଲ୍ ଅଧିନାୟକ ଭାବେ କୋହଲିଙ୍କୁ ମହେନ୍ଦ୍ର ସିଂହ ଧୋନି କିମ୍ବା ରୋହିତ ଶର୍ମାଙ୍କ ସହ ତୁଳନା ନକରିବାକୁ କୋଲକାତା ନାଇଟ୍ ରାଇଡର୍ସକୁ ଦୁଇ ଥର ବିଜେତା କରାଇଥିବା ଗମ୍ଭୀର ଦାବି କରିଛନ୍ତି। କୋହଲିଙ୍କୁ ଜଣେ ଚତୁର କିମ୍ବା କୁଶଳୀ ଅଧିନାୟକ ଭାବେ ମୁଁ ଦେଖେନାହିଁ। ସେ ଏପର୍ଯ୍ୟନ୍ତ ଥରେ ହେଲେ ବି ଆଇପିଏଲ୍ ଜିତି ନାହାନ୍ତି। ଅଧିନାୟକ ଭଲ କି ଖରାପ, ତାହା ତାଙ୍କ ସଫଳତାରୁ ଜଣାପଡ଼େ। ଧୋନି ଓ ରୋହିତ ତିନି ଥର ଲେଖାଏଁ ଆଇପିଏଲ୍ ଜିତିଛନ୍ତି। ଏଣୁ କୋହଲିଙ୍କୁ ଏହି କ୍ଷେତ୍ରରେ ଅନେକ ଦୂର ଯିବାର ଅଛି ବୋଲି ଗମ୍ଭୀର ଦୃଢ଼ତାର ସହ କହିଥିଲେ।

ସମ୍ବନ୍ଧିତ ଖବର