ବିସିସିଆଇ, ବେଙ୍ଗଲ କ୍ରିକେଟ ସଂଘକୁ କଡା ସମାଲୋଚନା କଲେ ଗୌତମ ଗମ୍ଭୀର, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଗତ କାଲି କୋଲକତାର ଇଡେନ୍ସ ଗାଡେନ୍ସଠାରେ ଅନୁଷ୍ଠିତ ଭାରତ-େଓ୍ଵଷ୍ଟ ଇଣ୍ଡିଜ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ଏକ କଷ୍ଟସାଧ୍ୟ ବିଜୟ ହାସଲ କରିଛି । ତେବେ ଏବେ ଏହି ମ୍ୟାଚକୁ ନେଇ ଏକ ବିବାଦ ଦେଖାଦେଇଛି । ମ୍ୟାଚ ଆରମ୍ଭରେ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ଦ୍ୱାରା ଷ୍ଟାଡିୟମର ବେଲ ବଜାଇବାକୁ ବିରୋଧ କରିଛନ୍ତି କ୍ରିକେଟିୟର ଗୌତମ ଗମ୍ଭୀର । ଜଣେ ଦୁର୍ନୀତି ଅଭିଯୁକ୍ତ କ୍ରିକେଟିୟଙ୍କୁ ଡାକି ତାଙ୍କୁ ଏହି ସମ୍ମାନ ଦେଇଥିବାରୁ ସେ ବିସିସିଆଇର ପ୍ରଶାସକ କମିଟି ଓ ବେଙ୍ଗଲ କ୍ରିକେଟ ସଂଘ (କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ)କୁ ନିନ୍ଦା କରିଛନ୍ତି ।

ଏକ ଟ୍ଵିଟ କରି ସେ କହିଛନ୍ତି “ଏହି ମ୍ୟାଚରେ ଭାରତ ଜିତିଲା ସତ କିନ୍ତୁ ମୁଁ ଦୁଃଖିତ, ବୋଧହୁଏ ବିସିସିଆଇର ଦୁର୍ନୀତି ନିବାରଣ ନିୟମଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟିରେ ଥିଲା । ମୁଁ ଜାଣେ ତାଙ୍କୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ବେଲ୍‌ ବଜାଇବା ଲାଗି ତାଙ୍କୁ ଡାକିବାକୁ ନେଇ ମୁଁ ମର୍ମାହତ !”

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ଭାରତ ପାଇଁ ୯୯ଟି ଟେଷ୍ଟ ଓ ୩୩୪ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ମ୍ୟାଚ ଫିକ୍ସି ଅଭିଯୋଗରେ ୨୦୦୦ ମସିହାରେ ତାଙ୍କ ଉପରେ ବିସିସିଆଇ କଟକଣା ଲଗାଇଥିଲା । ତେବେ ୨୦୧୨ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି କଟକଣାକୁ ଉଠାଇନେଇଥିଲେ ।

ସମ୍ବନ୍ଧିତ ଖବର