ଜାତୀୟ ଦୁଃସାହସିକ ଉତ୍ସବରେ ଗଣେଶ, ସ୍ବର୍ଣ୍ଣଲତା ପୁରସ୍କୃତ

ଭୁବନେଶ୍ବର: ଜାତୀୟ ଦୁଃସାହସିକ କ୍ଲବ୍‌ (ଏନଏସି) ପକ୍ଷରୁ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଜାତୀୟ ରୌପ୍ୟ ଜୟନ୍ତୀ ଦୁଃସାହସିକ କ୍ରୀଡ଼ା ଉତ୍ସବରେ ଓଡ଼ିଶାର ଦୁଇ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ଏବଂ ସ୍ବର୍ଣ୍ଣଲତା ଦଳାଇଙ୍କୁ ପୁରସ୍କୃତ କରାଯାଇଛି। ଦୁଃସାହସିକ କ୍ରୀଡ଼ା କ୍ଷେତ୍ରକୁ ଦୀର୍ଘ ୨୫ ବର୍ଷ ଧରି ନିରଂତର ଅବଦାନ ଦେଇ ଆସୁଥିବାରୁ ଗଣେଶଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିଭଳି ଓଡ଼ିଶାର ସଦ୍ୟତମ ଏଭେରେଷ୍ଟ୍ ବିଜୟିନୀ ସ୍ବର୍ଣ୍ଣଲତାଙ୍କୁ ‘ଭାରତ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏନଏସିର ସଭାପତି ଆର୍‌ ଏସ୍ ବର୍ମା ଏବଂ ହରିଆନାର ପୂର୍ବତନ ମୁଖ୍ୟ ଶାସନ ସଚିବ ସତୀଶ‌ ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଏକ ସପ୍ତାହ ବିଶିଷ୍ଟ ଜାତୀୟ ଦୁଃସାହସିକ କାର୍ଯ୍ୟକ୍ରମରେ ଓଡ଼ିଶାର ଅଗ୍ରଣୀ ‘ଆସା’ (ଆସୋସିଏସନ୍‌ ଫର ଆଡଭେଞ୍ଚର୍ ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍‌) ଏକ ୫୦ ଜଣିଆ ଦଳ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପ୍ରତିଯୋଗୀ-ସ୍ବର୍ଣ୍ଣଲତା ଦଳାଇ, ପାରଳା ଉମାଶଙ୍କର ଏବଂ ରମ୍ଭା ବାଗ୍‌ ଶ୍ରେଷ୍ଠ ଅଂଶଗ୍ରହଣକାରୀ ଭାବେ ପୁରସ୍କୃତ ହୋଇଥିବା ଆସାର ସମ୍ପାଦକ ଗଣେଶ ଚନ୍ଦ୍ର ଜେନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର