ଗାଙ୍ଗ୍‌ପୁରର ଦ୍ୱିତୀୟ ବିଜୟ

ଜାତୀୟ ବାଳିକା ହକି

ଭୁବନେଶ୍ୱର: ହକି ଇଣ୍ଡିଆ ଆନୁକୂଲ୍ୟରେ ହରିଆନାର ହିସାର୍‌ରେ ଚାଲିଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ବାଳିକା ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ହକି ଗାଙ୍ଗ୍‌ପୁର-ଓଡ଼ିଶା ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ନିଜର ପ୍ରଥମ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶକୁ ୪-୧ ଗୋଲ୍‌ରେ ପରାସ୍ତ କରିଥିବା ଗାଙ୍ଗ୍‌ପୁର ଦଳ ଶୁକ୍ରବାର ଦ୍ୱିତୀୟ ମ୍ୟାଚ୍‌ରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଦେଇଛି। ଏହି ମ୍ୟାଚ୍‌ରେ ଗୋଟିଏ ଗୋଲ୍‌ ପଛରେ ଥିବା ସତ୍ତ୍ୱେ ଚମତ୍କାର ପ୍ରତ୍ୟାବର୍ତନ କରି ଗାଙ୍ଗ୍‌ପୁର ଦଳ ଲାଗ ଲାଗ ୪ ଗୋଲ୍‌ ଲଦିଦେଇଥିଲା। ହିମାଚଳ ପ୍ରଦେଶ ପକ୍ଷରୁ ଏକମାତ୍ର ଗୋଲ୍‌ଟି ତନୁ ଦେଇଥିଲା ବେଳେ ଗାଙ୍ଗ୍‌ପୁର ପକ୍ଷରୁ ସୁନିତା ଖାଖାଙ୍କ ଗୋଲ୍‌ ସ୍ଥିତି ୧-୧ କରିଥିଲା। ଏହାପରେ ମନୀଷା ଓରାମ, ଆତେନ ଟପ୍ନୋ ଓ ଫିଲିସିଆ ଟପ୍ପୋ ଗୋଟିଏ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ୪-୧ରେ ପହଞ୍ଚାଇ ଦେଇଥିଲେ। ଗାଙ୍ଗ୍‌ପୁର ଦଳ ତା’ର ପରବର୍ତୀ ତଥା ତୃତୀୟ ମ୍ୟାଚ୍‌ ଆସନ୍ତାକାଲି (ଶନିବାର) ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିବ। ଦଳର କ୍ରମାଗତ ବିଜୟ ପାଇଁ ହକି ଗାଙ୍ଗ୍‌ପୁର-ଓଡ଼ିଶାର ମହାସଚିବ ଦେବାଶିଷ ଗୌଡ଼ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସଫଳତା କାମନା କରିଛନ୍ତି।

ସମ୍ବନ୍ଧିତ ଖବର