ଗମ୍ଭୀରଙ୍କୁ ଗାଙ୍ଗୁଲିଙ୍କ ଜବାବ

‘ଆର୍‌ସିବିର ଅଧିନାୟକ ହେବାକୁ କୋହଲି ହକଦାର’

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବ ଦକ୍ଷତା ନେଇ ମଙ୍ଗଳବାର ପୂବର୍ତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ। ଆର୍‌ସିବି ଦୀର୍ଘଦିନ ହେବ ତାଙ୍କୁ ଅଧିନାୟକ କରି ରଖିବା କୋହଲିଙ୍କ ପାଇଁ ଭାଗ୍ୟର ବିଷୟ ବୋଲି ଗମ୍ଭୀର ମତ ପୋଷଣ କରିଥିଲେ। ବୁଧବାର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହାର ଜବାବ ରଖିଛନ୍ତି। ଗମ୍ଭୀରଙ୍କୁ ଉତ୍ତର ଦେବାକୁ ଯାଇ ଗାଙ୍ଗୁଲି କହିଛନ୍ତି ଯେ ଆରସିବିର ଅଧିନାୟକ ହେବାକୁ କୋହଲି ପୂରା ହକ୍‌ଦାର। ଆପଣ ତାଙ୍କ ପ୍ରଦର୍ଶନକୁ ଦେଖନ୍ତୁ, ସେ କଣ କରିଛନ୍ତି! ପ୍ରତ୍ୟେକ ଫର୍ମାଟରେ ସେ ଚାମ୍ପିଅନଙ୍କ ଭଳି ଖେଳିଛନ୍ତି। ମୁଁ ନିଶ୍ଚିତ ଯେ ସେ ଦିନେ ନା ଦିନେ ଆରସିବିକୁ ବିଜେତା କରାଇବେ। କୋହଲି ଗତ ୭-୮ ବର୍ଷ ହେବ ଆରସିବିର ଅଧିନାୟକ ଦାୟିତ୍ବ ତୁଲାଇ ଆସୁଛନ୍ତି। ଏହି ସମୟ ମଧ୍ୟରେ ସେ ଆରସିବିକୁ ଫାଇନାଲକୁ ନେଇ ପାରିଛନ୍ତି। ହେଲେ କେବେବି ବିଜେତା କରାଇ ପାରି ନାହାନ୍ତି। ଗତ ସଂସ୍କରଣରେ ବହୁ ତାରକା ଖଚିତ ଖେଳାଳି ଥିବା ସତ୍ତ୍ବେ ଆରସିବି ପ୍ଲେ ଅଫ୍‌ ଯାଇ ପାରି ନଥିଲା। ବିଗତ କିଛି ସଂସ୍କରଣରେ ବ୍ୟକ୍ତିଗତ ଭାବେ କିନ୍ତୁ କୋହଲି ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି।

ସମ୍ବନ୍ଧିତ ଖବର