ଗାଙ୍ଗୁଲି ନଥିଲେ କାନାଡାରେ ଥାଆନ୍ତି: ହରଭଜନ

ନୂଆଦିଲ୍ଲୀ: ସ୍ପିନର ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ (୪୧୭)। ଦିନିକିଆରେ ଦ୍ବିତୀୟ ସର୍ବାଧିକ ୱିକେଟ୍ (୨୬୯)। ଟର୍ବାନେଟର ହରଭଜନ ସିଂହ ଭାରତର ଅନ୍ୟତମ ଚର୍ଚିତ ଏବଂ ସଫଳ ବୋଲର ଭାବେ ପରିଚିତ। ହେଲେ ଏମିତି ବି ଦିନ ଆସିଥିଲା ନିଜ ଖେଳ ଜୀବନକୁ ନେଇ ଭଜି ଆଶା ଓ ଆଶଙ୍କାରେ ରହିଥିଲେ। ଏପରିକି ୨୦୦୦ ମସିହାରେ ତାଙ୍କ କ୍ରିକେଟ୍ ଜୀବନରେ ପୂର୍ଣ୍ଣଛେଦ ପଡ଼ିଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ସେତେବେଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ ଏବଂ ସହଯୋଗ ପାଇଁ ଭଜି ଖେଳିବା ଜାରି ରଖିବା ସହ ବହୁ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଭଜି ନିଜେ ସେସମୟର ସଂଘର୍ଷ ଏବଂ ହତାଶା ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ମୋତେ ଦୀର୍ଘ ଦିନ ପର୍ଯ୍ୟନ୍ତ ଦଳରୁ ଦୂରେଇ ରଖାଯାଇଥିଲା। ୨୦୦୧ ଅଷ୍ଟ୍ରେଲିଆ ଶୃଙ୍ଖଳା ପୂର୍ବରୁ ମୋତେ ଜାତୀୟ କ୍ରିକେଟ୍ ଏକାଡେମିରୁ ବି ତଡ଼ି ଦେଇଥିଲେ। ମୋ ଆତ୍ମବିଶ୍ବାସ ପୂରା ଦୋହଲି ଯାଇଥିଲା। ମୋ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ ମିଳି ନଥିଲେ, ମୁଁ ସମ୍ଭବତଃ ଅନେକ ବନ୍ଧୁଙ୍କ ଭଳି କାନାଡା ଚାଲିଯାଇଥାଆନ୍ତି। ମୋ ପାଖେପାଖେ ସବୁବେଳେ ଥିବାରୁ ସୌରଭ ଭାଇଙ୍କ ପ୍ରତି ମୁଁ କୃତଜ୍ଞ। ସେ ହିଁ ମୋତେ ୨୦୦୧ ଘରୋଇ ଶୃଙ୍ଖଳାରେ ସୁଯୋଗ ଦେଇଥିଲେ। ସେହି ଶୃଙ୍ଖଳାରେ ୱିକେଟ୍ ନେଇ ନଥିଲେ, ମୁଁ ଆଉ ଭାରତୀୟ ଦଳରେ ସ୍ଥାନ ପାଇନଥାଆନ୍ତି। ଆଘାତଜନିତ ସମସ୍ୟ ପାଇଁ ଅନୀଲ କୁମ୍ବଲେ ଦଳରୁ ବାଦ ପଡ଼ିବା ପରେ ଭଜି ଅଷ୍ଟ୍ରେଲିଆ ବିପକ୍ଷ ଏହି ଶୃଙ୍ଖଳାରେ ଖେଳିବାର ସୁଯୋଗ ପାଇଥିଲେ। ଚମତ୍କାର ପ୍ରତ୍ୟାବର୍ତନ ସହ ସେ ମୁମ୍ବାଇ ଟେଷ୍ଟର ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିଲେ। ତେବେ କୋଲକାତାରେ ଆୟୋଜିତ ଦ୍ବିତୀୟ ଟେଷ୍ଟରେ ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହା ତାଙ୍କ ପାଇଁ ସବୁଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ବଳ ଭଜି ଏକ ଜଣା ଅଜଣା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆବେଗଭରା କଣ୍ଠରେ କହିଥିଲେ। ୨୦୦୭ ଏବଂ ୨୦୧୧ ବିଶ୍ବକପ୍ ବିଜୟକୁ ମଧ୍ୟ ସେ ନିଜ ଜୀବନର ଅଭୁଲା ମୁହୂର୍ତ ଭାବେ ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର