ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ଶୃଙ୍ଖଳା: ଗାଙ୍ଗୁଲିଙ୍କ ଗୁଗ୍‌ଲି, ମୋଦୀ ଓ ଇମ୍ରାନଙ୍କୁ ପଚାର

କୋଲକାତା: ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ଶୃଙ୍ଖଳା ନିଷ୍ପତ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ ନେବେ। ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ସେମାନେ ହିଁ ନେଇ ପାରିବେ। ବିସିସିଆଇର ପରବର୍ତୀ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଏହା କହିଛନ୍ତି। ଆଜି ଭାରତ-ପାକିସ୍ତାନ କ୍ରିକେଟ୍ ସଂପର୍କର ପୁନଃ ପ୍ରଚଳନ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଗାଙ୍ଗୁଲି କହିଥିଲେ ଯେ ଏକଥା ଆପଣମାନଙ୍କୁ ମୋଦୀଜୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପଚାରିବାକୁ ପଡ଼ିବ। ଆମକୁ ଏଥିଲାଗି ସରକାରଙ୍କ ଅନୁମତି ନେବାକୁ ପଡ଼ିବ। କାରଣ ଅନ୍ତର୍ଜାତୀୟ ଶୃଙ୍ଖଳା ପାଇଁ ସରକାରଙ୍କ ଅନୁମତି ନେବା ଏକପ୍ରକାର ବାଧ୍ୟତାମୂଳକ। ସେଥିପାଇଁ ଏହି ପ୍ରଶ୍ନର ଉତ୍ତର ଆମ (ବିସିସିଆଇ) ପାଖରେ ନାହିଁ। ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ଶେଷ ଥର ପାଇଁ ୨୦୧୨ରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିଥିଲେ। ସେହିବର୍ଷ ଭାରତ ଗସ୍ତ କରି ପାକିସ୍ତାନ ଦୁଇଟି ଟ୍ବେଣ୍ଟି-୨୦ ଏବଂ ତିନିଟି ଦିନିକିଆ ଖେଳିଥିଲା। ୪୭ ବର୍ଷୀୟ ଗାଙ୍ଗୁଲି ଆସନ୍ତା ୨୩ ତାରିଖରେ ଆନୁଷ୍ଠାନିକ ଭାବେ ବିସିସିଆଇର ସଭାପତି ପଦ ଗ୍ରହଣ କରିବେ। ୨୦୦୪ରେ ଭାରତର ଐତିହାସିକ ପାକିସ୍ତାନ ଗସ୍ତ ବେଳେ ଗାଙ୍ଗୁଲି ହିଁ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ। ୧୯୯୯ର କାରଗିଲ ଯୁଦ୍ଧ ପରେ ଏହା ଉଭୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ଥିଲା। ଏହାର ୧୫ ବର୍ଷ ପୂର୍ବେ ଅର୍ଥାତ୍ ୧୯୮୯ରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର