ଗାଙ୍ଗୁଲିଙ୍କ ଜିଦ୍‌ ହିଁ ଧୋନିଙ୍କ ଉତ୍ଥାନ ଆଣିଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହଙ୍କ ଉତ୍‌ଥାନ ପଛରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରଛନ୍ନ ହାତ ରହିଥିଲା। ସୌରଭ ଗାଙ୍ଗୁଲିଙ୍କ ଜୁଆ ତଥା ଜିଦ୍‌ ପାଇଁ ହିଁ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ତିଷ୍ଠି ରହିଥିଲେ ଏବଂ ଦେଶ ଅନ୍ୟତମ ସର୍ବକାଳୀନ ମହାନ କ୍ରିକେଟର୍‌ଙ୍କୁ ହାତଛଡ଼ା କରିନଥିଲା। ସୌରଭ ଗାଙ୍ଗୁଲିଙ୍କ ଉପରେ ପ୍ରକାଶିତ ପୁସ୍ତକ ‘ଓ୍ଵିନିଂ ଲାଇକ୍‌ ସୌରଭ: ଥିଙ୍କ୍‌ ଆଣ୍ଡ୍‌ ସକ୍ସିଡ୍‌ ଲାଇକ୍‌ ଗାଙ୍ଗୁଲି’ରେ ଏଭଳି ନିର୍ଯ୍ୟାସ ରଖିଛନ୍ତି ଲେଖକ ଅଭିରୂପ ଭଟ୍ଟାଚାର୍ଯ୍ୟ। ଭାରତୀୟ କ୍ରିକେଟ୍‌ ୨୦୦୦ ମସିହାରେ ମ୍ୟାଚ୍‌ ଫିକ୍ସିଂକୁ ନେଇ ଜର୍ଜରିତ ଥିବାବେଳେ ସଚିନ ତେନ୍ଦୁଲକରଙ୍କଠାରୁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ ସୌରଭ ଗାଙ୍ଗୁଲି। ଯୁବରାଜ ସିଂହ, ମହମ୍ମଦ କୈଫ, ଜାହିର୍‌ ଖାନ୍‌, ବୀରେନ୍ଦ୍ର ସେହବାଗ, ହରଭଜନ ସିଂହଙ୍କ ଭଳି ଖେଳାଳିଙ୍କୁ ଗାଙ୍ଗୁଲି ଗଢ଼ି ତୋଳିଥିଲେ ନିଜ ସମର୍ଥନ ଓ ପ୍ରେରଣା ଜରିଆରେ। ଏଥି ସହ ଟିମ୍‌ ଇଣ୍ଡିଆ ତଥା ମେନ୍‌ ଇନ୍‌ ବ୍ଲୁ’ର ପରିକଳ୍ପନା ବି ଗାଙ୍ଗୁଲିଙ୍କ ସମୟରୁ ଆରମ୍ଭ ହୋଇଥିଲା। ଗାଙ୍ଗୁଲିଙ୍କ ଗୋଟିଏ ମାତ୍ର ସାଧାରଣ ମନ୍ତ୍ର ଥିଲା। ଯଦି ଜଣେ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି ତେବେ ତାକୁ ପ୍ରମାଣିତ କରିବା ଯାଏଁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଉଚିତ୍‌। ଏହା ଦଳ ଭିତରେ ଏକ ଭଲ ବାତାବରଣ ଭରି ଦେଇଥିଲା ଏବଂ ଗୋଟିଏ ମାତ୍ର ବିଫଳତା ପାଇଁ ଦଳରୁ କେହି ବାଦ୍‌ ପଡ଼ିବେ ନାହିଁ ସବୁ ଯୁବ ଖେଳାଳିଙ୍କ ଭିତରେ ବିଶ୍ୱାସ ଭରି ଦେଇଥିଲା। ଏହି ନୀତିର ସଫଳ ଉଦାହରଣ ସାଜିଥିଲେ ମହେନ୍ଦ୍ର ସିଂହ ଧୋନି। ନିଜର ପ୍ରଥମ ୪ ପାଳିରେ ବିଫଳ ହେବା ସତ୍ତ୍ୱେ ଧୋନିଙ୍କ ଉପରେ ବିଶ୍ୱାସ ରଖିବାରୁ ପାକିସ୍ତାନ ବିପକ୍ଷରେ ସେ ବିଶାଖାପାଟଣା ଦିନିକିଆରେ ୧୪୮ ରନ୍‌ର ପାଳି ଖେଳି ସବୁ ବିଶ୍ୱାସକୁ ସତ୍ୟ ପ୍ରମାଣିତ କରିଥିଲେ। ତାହା ପରେ ଯାହା କିଛି ଘଟିଗଲା ସବୁକିଛି ଧୋନିଙ୍କ ପାଇଁ ଏବଂ ଭାରତୀୟ କି୍ରିକେଟ୍‌ ପାଇଁ ନୂଆ ଇତିହାସ ଭଳି। ସେହି ଗୋଟିଏ ପାଳି ହିଁ ଧୋନିଙ୍କ ଖେଳ ଜୀବନକୁ ଊର୍ଧ୍ୱମୁଖା କରି ଦେଇଥିଲା। ଦୁଇ ଦୁଇ ଥର ଭାରତକୁ ବିଶ୍ୱକପ୍‌ ବିଜେତା (୨୦୦୭-ଟେ୍ଵଣ୍ଟି୨୦ ଏବଂ ୨୦୧୧-ଦିନିକିଆ) କରାଇବା ସହିତ ଟେଷ୍ଟ୍‍ ମାନ୍ୟତାରେ ବି ଭାରତ ହୋଇଥିଲା ଏକନମ୍ବର। ସେତେବେଳେ ସୌରଭ ଗାଙ୍ଗୁଲି ଯଦି ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ନ ଥାନ୍ତେ କି ସମର୍ଥନ ରଖିନଥାନ୍ତେ ଭାରତ ସମ୍ଭବତଃ ଜଣେ ଉତ୍କଷ୍ଟ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଏବଂ ଭବିଷ୍ୟତ ଅଧିନାୟକଙ୍କୁ ପାଇନଥାନ୍ତା ବୋଲି ଏହି ପୁସ୍ତକରେ ଉଲ୍ଲେକ କରିଛନ୍ତି ଅଭିରୂପ। ରୂପା ପବ୍ଲିକେସନ୍ସ ଏହି ପୁସ୍ତକକୁ ଛାପିଛନ୍ତି। ପୂର୍ବରୁ ଅଭିରୂପ ମଧ୍ୟ ‘ଓ୍ଵିନିଂ ଲାଇକ୍‌ ବିରାଟ: ଥିଙ୍କ୍‌ ଆଣ୍ଡ ସକ୍ସିଡ୍‌ ଲାଇକ୍‌ କୋହଲି’ ପୁସ୍ତକ ରଚନା କରି ବେଶ ପ୍ରଶଂସିତ ହୋଇଥିଲେ। ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କ ମଧ୍ୟରେ ବଂଧନ ସୃଷ୍ଟି କରିବାରେ ଗାଙ୍ଗୁଲି ଅନ୍ୟତମ ଥିଲେ। ସଙ୍କଟ ସମୟରେ ସେ ଯୁବ ଖେଳାଳିଙ୍କ ପରାମର୍ଶ ଦେଉଥିଲେ। ସୌରଭ ଗାଙ୍ଗୁଲିଙ୍କୁ ଲେଖକ ଅଭିରୂପ ପାକିସ୍ତାନୀ ମହାନ ଇମ୍ରାନ୍‌ ଖାନ୍‌ ଏବଂ ଶ୍ରୀଲଙ୍କା କିମ୍ବଦନ୍ତୀ ଅର୍ଜୁନ ରଣତୁଙ୍ଗାଙ୍କ ସହ ସମାନ୍ତରାଳ ଦୃଷ୍ଟିକୋଣରେ ରଖିଛନ୍ତି। ଭାରତୀୟ କ୍ରିକେଟ୍‌ରୁ କଳଙ୍କ ଲିଭାଇବା ସହିତ ଏନ ନୂଆ ସ୍ତରକୁ ନେଇଥିଲେ ଗାଙ୍ଗୁଲି।

ପ୍ରଶିକ୍ଷକ ଗ୍ରେଗ୍‌ ଚାପେଲଙ୍କ ସହିତ ବିବାଦକୁ ଛାଡ଼ିଦେଲେ ସୌରଭ ହିଁ ଜନ୍‌ ରାଇଟ୍‌ଙ୍କ ସହ ମିଶି ଦଳ ଭିତରେ ଏକ ସୁସ୍ଥ ବାତାବରଣର ସମ୍ପର୍କ ଗଢ଼ିଥିଲେ। ପ୍ରଥମ ଥର ପାଇଁ ଜଣେ ବିଦେଶ ପ୍ରଶିକ୍ଷକ ପାଇବା ପରେ ଅଧିନାୟକ-ପ୍ରଶିକ୍ଷକ ଯୋଡ଼ି ମିଳିତ ଭାବେ ଭାରତୀୟ କ୍ରିକେଟ୍‌ର ଗୌରବମୟ ଅଧ୍ୟାୟ ସଂଯୋଗ କରିଥିଲେ। ସେତେବେଳେ ସଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ଉପରେ ଦଳ ବିଶେଷ ନିର୍ଭର କରୁଥିବାବେଳେ ସୌରଭଙ୍କ ନେତୃତ୍ୱ ନୂଆ ଦିଶା ଦେଖାଇଥିଲା। ଏହି ପୁସ୍ତକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଆଧାରିତ ନୁହେଁ, ଉଦାହରଣ ଛାଡ଼ିଥିବା ଜଣେ ଅଧିନାୟକଙ୍କ ପ୍ରେରଣାର କଥା କହିଛି ବୋଲି ଲେଖକ ଅଭିରୂପ ଭଟ୍ଟାଚାର୍ଯ୍ୟ ପ୍ରକାଶ କରିଛନ୍ତି।

ରୟାଲ୍‌ ବେଙ୍ଗଲ୍‌ ଟାଇଗର୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ଦାଦା ନାମରେ ପରିଚିତ ସୌରଭ ଗାଙ୍ଗୁଲି ରବିବାର ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ଭାରତୀୟ କ୍ରିକେଟର୍‌ ଏହି ଅନ୍ୟତମ ମହାନ ଅଧିନାୟକ ଭାରତୀୟ କ୍ରିକେଟ୍‌ରେ ଆକ୍ରାମକ ଆଭିମୁଖ୍ୟ ଆଣିବାରେ ପ୍ରଥମ ବ୍ୟକ୍ତିତ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ। ସଚିନ୍‌ ତେନ୍ଦୁଲକରଙ୍କ ସଫଳତମ ପ୍ରାରମ୍ଭିକ ଯୋଡ଼ି ଭାବେ ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଥିବା ସୌରଭଙ୍କ ନିକଟକୁ ରବିବାର ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଥିଲା। ପୂର୍ବଦିନ ମହେନ୍ଦ୍ର ସିଂହଙ୍କ ଜନ୍ମଦିନର ଶୁଭେଚ୍ଛା ପରେ ଏବେ ତାଙ୍କ ସ୍ରଷ୍ଟା ସମାନ ଢ଼ଙ୍ଗରେ ଶୁଭେଚ୍ଛାର ସୁଅରେ ଦିନ କାଟିଛନ୍ତି। ପ୍ରିନ୍‌ସ୍‌ ଅଫ୍‌ କୋଲ୍‌କାତା ଏବଂ ରାୟାଲ୍‌ ବେଙ୍ଗଲ୍‌ ଟାଇଗର୍‌ ଭାବେ ଜଣାଶୁଣା ସୌରଭଙ୍କ ପଡ଼ିଆ ଭିତର ଗର୍ଜନ ଓ ପଡ଼ିଆ ବାହାର ଆଚରଣ ଏବେ ବି ଝଲସିଉଠେ। ବିଶେଷ ଭାବେ ୨୦୦୨ ନ୍ୟାଟେଓ୍ଵଷ୍ଟ୍‍ ଟ୍ରଫି ଫାଇନାଲରେ ଭାରତ ଯେତେବେଳେ ୩୨୫ ରନ୍‌କୁ ପଶ୍ଚାଧାବନ କରିଗଲା ସେ ଲର୍ଡସ ବାଲ୍‌କୋନିରୁ ଜର୍ସି ଉଡ଼ାଇ ଉଡ଼ାଇ ଆସିବା ଏବେ ବି ଭାରତୀୟ ପ୍ରଶଂସକଙ୍କ ମନରେ ସତେଜ ରହିଛି। ରବିବାର ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ବ୍ୟକ୍ତିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଭିଭିଏସ୍‌ ଲକ୍ଷ୍ମଣ, ପ୍ରଜ୍ଞାନ ଓଝା, ମହମ୍ମଦ କୈଫ, ଆର୍‌ପି ସିଂହ, ହେମାଙ୍ଗ ବଦାନି ପ୍ରମୁଖ ଆଗରେ ଥିଲେ। ସୌରଭ ଭାରତ ପାଇଁ ୧୧୩ ଟେଷ୍ଟ୍‍ରୁ ୧୬ ଶତକ ସହିତ ୭୨୧୨ ରନ୍‌, ୩୧୧ ଦିନିକିଆରୁ ୨୨ ଶତକ ସହିତ ୧୧,୩୬୩ ରନ୍‌ ହାସଲ କରିଥିଲେ। ‘ଗଡ୍‌ ଅଫ୍‌ ଅଫ୍‌ ସାଇଡ୍‌’ ଭାବେ ଦିନିକିଆ କ୍ରିକେଟ୍‌ରେ ସ୍ୱତନ୍ତ୍ର ନାମ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର