ପନ୍ତଙ୍କୁ ତୋଳି ଧରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ରାଜସ୍ଥାନ ରୟାଲ୍ସ ବିପକ୍ଷ ବିଜୟରେ ନିର୍ଣ୍ଣାୟକ ଭୂମିକା‌ ତୁଲାଇଥିବା ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରଶଂସାରେ ପୋତି ପକାଇଛନ୍ତି। ଏପରିକି ସୋମବାର ପନ୍ତ ୩୬ ବଲ୍‌ରୁ ୭୮* ରନ୍‌ର ଅପରାଜିତ ପାଳି ଖେଳି ଦିଲ୍ଲୀ ବିଜୟରେ ମୁଣ୍ଡି ମାରିବା ପରେ ଗାଙ୍ଗୁଲି ତାଙ୍କୁ ଖୁସିରେ କୁଣ୍ଢେଇ ପକାଇଥିଲେ। ପଡ଼ିଆ ଭିତରକୁ ଯାଇ ତାଙ୍କୁ ତୋଳି ଧରିଥିଲେ। ୨୧ ବର୍ଷୀୟ ପନ୍ତଙ୍କ ସହ ଉଠାଇଥିବା ଏହି ମୁହୂର୍ତର ଫଟୋକୁ ମଧ୍ୟ ଗାଙ୍ଗୁଲି ନିଜ ଟ୍ବିଟର ଆକାଉଣ୍ଟରେ ପ୍ରକାଶ କରିଛନ୍ତି। ଋଷବ ତୁମେ ଏହାର ହକ୍‌ଦାର ଥିଲ ବୋଲି ଗାଙ୍ଗୁଲି ତା’ ତଳେ ଲେଖିଥିଲେ। ନିଜ ଦଳକୁ ବିଜୟୀ କରାଇ ପାରିଥିବାରୁ ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ପନ୍ତ ମଧ୍ୟ ଆତ୍ମସନ୍ତୋଷ ଜାହିର କରିଥିଲେ। ମୋତେ ଏବେ ବହୁତ ଭଲ ଲାଗୁଛି। ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ନିଜ ଦଳକୁ ବିଜୟୀ କରାଇବାର ଅନୁଭବ ନିଆରା। ମ୍ୟାଚ୍ ପରେ ମୋତେ ସମସ୍ତେ ପ୍ରଶଂସା କରୁଛନ୍ତି। ସୌରଭ ସାର୍ ମୋତେ ‌ତୋଳି ଧରିବା ମୋ ପାଇଁ ନିଆରା ଅନୁଭୁତି ଥିଲା। ସୂଚନାଯୋଗ୍ୟ ଯେ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଅଛନ୍ତି।

ସମ୍ବନ୍ଧିତ ଖବର