ଦାଦାଙ୍କ ଉତ୍ସର୍ଗ ଯୋଗୁଁ ଧୋନି ହୋଇ ପାରିଛନ୍ତି ବଡ଼ ଖେଳାଳି: ସେହେଓ୍ଵାଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯେ କେବଳ ବିଶ୍ୱ କପ୍‌ ବିଜୟୀ ହୋଇ ରେକର୍ଡ କରିଛନ୍ତି, ତାହା ନୁହେଁ, ବରଂ ଦେଶ ବିଦେଶରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ରହିଛନ୍ତି। ଝାରଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବୀରେନ୍ଦ୍ର ସେହେଓ୍ଵାଗ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଧୋନି ଆଜି ଯେଉଁଠାରେ ପହଞ୍ଚିଛନ୍ତି, ଏଥିରେ ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କ ଗୃହ ନଗରୀ ରାଞ୍ଚିରେ ଆୟୋଜିତ ଏକ ଟିଭି କାର୍ଯ୍ୟକ୍ରମରେ ସେହେଓ୍ଵାଗ କହିଛନ୍ତି, ଅଧିନାୟକ ଥିବା ବେଳେ ଗାଙ୍ଗୁଲି ଯୋଜନା ପ୍ରସ୍ତୁତ କରିଥିଲେ ଯେ, ନମ୍ବର ୩ରେ ନୂଆଁ ଖେଳାଳିଙ୍କୁ ସୁଯୋଗ ଦିଆଯିବ। ସୌରଭ ଗାଙ୍ଗୁଲି ନିଜେ ଏକ ନମ୍ବରରେ ବ୍ୟାଟିଂ କରୁଥିଲେ କିନ୍ତୁ ଅନ୍ୟକୁ ସୁଯୋଗ ଦେଉଥିଲେ। ଏହି କ୍ରମରେ ୨୦୦୫ରେ ବିଶାଖାପାଟନମ୍‌ ଦିନିକିଆରେ ଗାଙ୍ଗୁଲି ୩ ନମ୍ବର ସ୍ଥାନରେ ଧୋନିଙ୍କୁ ବ୍ୟାଟିଂ କରିବାକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ଧୋନିଙ୍କ ପ୍ରଥମ ଦିନିକିଆ ଶତକ
-ମହେନ୍ଦ୍ର ସିଂହ ଧୋନି ୨୦୦୫ ଏପ୍ରିଲ ୫ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ସ୍ଥିତ ଓ୍ଵାଇ ଏସ୍‌ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ପ୍ରଥମ ଶତକ ୧୫୫ଟି ବଲ ଖେଳି ୧୪୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୧୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ମୋହମ୍ମଦ ହଫିଜ୍‌ଙ୍କ ବଲ ଖେଳି ଧୋନି ସୋଏବ ମଲ୍ଲିକଙ୍କୁ କ୍ୟାଚ ଦେଇଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ଟି ଓ୍ଵିକେଟ ହରାଇ ୩୫୬ ରନ୍‌ ସଂଗ୍ରହ କରିଥିଲା। ୨ୟ ପାଳିରେ ପାକିସ୍ତାନ ୪୪.୧ଓଭରରେ ୨୯୮ରନ୍‌ ସଂଗ୍ରହ କରି ପରାସ୍ତ ହୋଇଥିଲା। ସେହି ମ୍ୟାଚରେ ପାକିସ୍ତାନ ତରଫରୁ ଭଲ ପ୍ରଦର୍ଶନ କରିଥିବା ଅବଦୁଲ ରଜାକ୍‌(୮୮)ଙ୍କୁ ଓ୍ଵିକେଟ ରକ୍ଷକ ଭାବରେ କ୍ୟାଚ ଆଉଟ କରିଥିଲେ। ରଜାକ୍‌ ଆଶିଷ ନେହେରାଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ। ସେହିପରି ଧୋନି ୨୦୦୫ ଅକ୍ଟୋବର ୩୧ ଜୟପୁରରେ ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୧୮୩ ରନ୍‌ ସଂଗ୍ରହ କରିଥିଲେ।

ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରିବାକୁ ଯାଇ ସେହେଓ୍ଵାଗ କହିଥିଲେ, ଏଭଳି ଅଧିନାୟକ ବହୁତ କମ ଥାଆନ୍ତି ଯିଏ କି ନିଜର ସ୍ଥାନରେ ଆଉ କାହାକୁ ପଠାଇ ଥାଆନ୍ତି। ସେହେଓ୍ଵାଗ କହିଛନ୍ତି, ‘ଯଦି ଦାଦା ଏଭଳି କରି ନଥାନ୍ତେ, ବୋଧେ ଧୋନି ଏତେ ବଡ଼ ଖେଳାଳିର ପରିଚୟ ପାଇ ପାରି ନଥାନ୍ତେ।’ ସେ କହିଛନ୍ତି, ଦାଦା ସବୁବେଳେ ଚାହୁଁ ଥିଲେ ଯେ, ନୂଆଁ ଖେଳାଳିଙ୍କୁ ସୁଯୋଗ ମିଳୁ। ତା’ପରେ ସେମାନେ ଭଲ ପ୍ରଦର୍ଶନ କରିପାରିବେ।

ସୂଚନାଯୋଗ୍ୟ ୨୦୦୫ ଏପ୍ରିଲ ୫ରେ ବିଶାଖାପାଟନମ ଦିନିକିଆରେ ଧୋନି ପାକିସ୍ତାନ ବିପକ୍ଷରେ ୧୪୮ ରନ୍‌ ସଂଗ୍ରହ କରିଥିଲେ। ଏହା ଥିଲା ତାଙ୍କର ଶ୍ରେଷ୍ଠ ୨ୟ ସ୍କୋର। ଧୋନି ଜୟପୁରରେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ୍‌ ଅପରାଜିତ ସ୍କୋର କରିଥିଲେ।

ସଂକ୍ଷେପରେ ଧୋନିଙ୍କ କ୍ୟାରିୟର
ଟେଷ୍ଟ ମ୍ୟାଚ: ୯୦ଟି, ୪୮୭୬ ରନ୍‌, ୬ଟି ଶତକ, ୩୩ଟି ଅର୍ଦ୍ଧଶତକ
ଦିନିକିଆ: ୩୦୬ଟି, ୯୭୫୮ରନ୍‌, ୧୦ଟି ଶତକ, ୬୬ଟି ଅର୍ଦ୍ଧଶତକ
ଟି-୨୦: ୭୯ଟି, ୧୨୧୨ ରନ୍‌, ଶତକ ନାହିଁ, ଗୋଟିଏ ଅର୍ଦ୍ଧଶତକ

ସମ୍ବନ୍ଧିତ ଖବର