ଆଇପିଏଲ୍‌ ନେଇ କିଛି ବି କହିହେବନି: ଗାଙ୍ଗୁଲି

ନୂଆଦିଲ୍ଲୀ: ଚଳିତ ବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ଭାଗ୍ୟ କ’ଣ ହେବ ସେନେଇ ମୋ ପାଖରେ ଏବେ ବି କୌଣସି ଉତ୍ତର ନାହିଁ। ସାଂପ୍ରତିକ ମହାମାରୀ କରୋନା ଭୂତାଣୁ ଆତଙ୍କ କେବେ ଟଳିବ ଏବଂ କେବେ ଆଇପିଏଲ୍‌ ପାଇଁ ଦ୍ବାର ଉନ୍ମୁକ୍ତ ରହିବ ସେ ନେଇ କିଛି ବି କହିହେବନି ବୋଲି ମଙ୍ଗଳବାର ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ)ର ସଭାପତି ସୌରଭ ଗାଙ୍ଗୁଲି ନିରୁତ୍ସାହିତ ବାଣୀ ଶୁଣାଇଛନ୍ତି। ସରକାର ସମସ୍ତ ଭିସା ବାତିଲ କରିବା ପରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଆମେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲୁ ବୋଲି ସେ କହିଛନ୍ତି। ତେଣୁ ଫ୍ରାଞ୍ଚାଇଜ୍‌ମାନଙ୍କ ପାଇଁ ଏବେ କୌଣସି ବିକଳ୍ପ ଥିଲା ଭଳି ଜଣାପଡୁନି। ଏବେ ଭାରତରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ହେଲେଣି। ଏହା କେବେ ପ୍ରଶମିତ ହେବ କହିବା ମୁସ୍କିଲ। ଯେଉଁଥିପାଇଁ ଆଇପିଏଲ୍‌ ଆସନ୍ତା ୩/୪ ମାସ ମଧ୍ୟରେ ଆୟୋଜନ ହେବା ନେଇ କିଛି ସମ୍ଭାବନା ଦେଖାଯାଉନଥିବା ଗାଙ୍ଗୁଲି କହିଛନ୍ତି। ଏଭଳି ସ୍ଥିତିରେ ଅଂଶୀଦାରମାନେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ହୋଇଯାଇଛି। ସେମାନେ କେବେ ଯେ ଇନ୍‌ସୁରାନ୍ସ ଦ୍ବାରା କ୍ଷତି ଭରଣା ପାଇପାରିବେ ସେ ନେଇ ମୁଁ ମଧ୍ୟ ନିଶ୍ଚିତ ନୁହେଁ। କାରଣ ଏହା ସରକାରୀ ଗୃହାବଦ୍ଧ। ତେଣୁ ସରକାରୀ ଗୃହାବଦ୍ଧ ଇନ୍‌ସୁରାନ୍ସ କଭର୍‌ ହୋଇପାରିବ ନା ନାହିଁ ସେ ଉତ୍ତର ମଧ୍ୟ ମୋ ପାଖରେ ନାହିଁ। ଆମେ କେବଳ ଅପେକ୍ଷା କରିବାକୁ ପଡ଼ିବ। କିଛି ବି ଆକଳନ କରିପାରିବାନି ବୋଲି ଗାଙ୍ଗୁଲି କହିଛନ୍ତି। ତଥାପି ଆଇପିଏଲ୍‌ କେବେ ହୋଇପାରିବ ସେ ନେଇ ବିସିସିଆଇ ସଂପାଦକ ଜୟ ଶାହାଙ୍କ ସହ ଆଲୋଚନା କରିବି। ହେଲେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାହା କିଛି କରିବି ବୋଲି ଗାଙ୍ଗୁଲି କହିଛନ୍ତି। ସାରା ବିଶ୍ବ କରୋନା କବଳିତ ରହିଥିବାରୁ ଆଇପିଏଲ୍‌କୁ ସ୍ଥାନାନ୍ତର କରିବାର ବିକଳ୍ପ ମଧ୍ୟ ସହଜ ହେବନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର