ର‌ସେଲ୍‌ଙ୍କୁ ରବାଦାଙ୍କ ୟର୍କର୍‌ ଆଇପିଏଲ୍‌ର ସର୍ବଶ୍ରେଷ୍ଠ: ଗାଙ୍ଗୁଲି

ନୂଆଦିଲ୍ଲୀ: ଶନିବାର କେକେଆର୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମ୍ୟାଚ୍‌ ରୋଚକ ସ୍ଥିତିରେ ଶେଷ ହୋଇଥିଲା। ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଭାବେ ‘ଟାଇ’ ହୋଇଥିଲା। ସୁପର ଓଭର୍‌ରେ ଯୁବ ତାରକାଙ୍କୁ ନେଇ ଗଠିତ ଦିଲ୍ଲୀ ବିଜୟୀ ହୋଇଥିଲା। ଆଉ ସୁପର୍‌ ଓଭର ବିଜୟର ନାୟକ ସାଜିଥିଲେ ଏହି ଦଳର ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା। ଦିଲ୍ଲୀ ଛାଡ଼ଥିବା ୧୧ ରନ୍‌ ଲକ୍ଷ୍ୟକୁ ରବାଦା ରୋକିବାରେ ସଫଳ ହୋଇଥିଲେ। ସେହି ଓଭରରେ ଅବିଶ୍ବାସନୀୟ ଭାବେ ସମସ୍ତ ବଲ୍‌ ୟର୍କର ପକାଇଥିଲେ। ତେବେ ତୃତୀୟ ବଲ୍‌ରେ ସେ ଆନ୍ଦ୍ରେ ରସେଲ୍‌ଙ୍କୁ ବୋଲ୍‌ଡ କରିଦେଇଥିଲେ। ସେହି ବଲ୍‌ ହିଁ ଇନ୍‌ସୁଇଙ୍ଗ୍‌ ୟର୍କର ଥିଲା। ଆଉ ରବାଦା ବୋଲିଂ କରିଥିବା ସେହି ୟର୍କର ହିଁ ଆଇପିଏଲ୍‌ର ସର୍ବଶ୍ରେଷ୍ଠ ବଲ୍‌ ହେବ ବୋଲି ଦିଲ୍ଲୀ ଦଳର ଉପଦେଷ୍ଟା ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଅନ୍ୟପକ୍ଷରେ ଯୁବ ତାରକା ପୃଥ୍ବୀ ସ’ (୯୯ ରନ୍‌) ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ ହେବାକୁ ନେଇ ଗାଙ୍ଗୁଲି ଦୁଃଖ ପ୍ରକାଶ କରିଛନ୍ତି। ଏହି ଯୁବ ଦଳ ଚଳିତ ଆଇପିଏଲ୍‌ରେ କିଛି ବି ଫରକ୍‌ ପକାଇପାରେ ବୋଲି ଗାଙ୍ଗୁଲି ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର