ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ସେମିରେ ମୁକ୍ତେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ୟୁନାଇଟେଡ୍‌ ଏକାଦଶ (ଜେଏସ୍‌ଜେଏସ୍‌ ଏଜି କଲୋନି) ଦଳକୁ ୪-୧ ଗୋଲ୍‌ରେ ପରାସ୍ତ କରି ମୁକ୍ତେଶ୍ୱର ଫୁଟ୍‌ବଲ୍‌ କ୍ଲବ୍‌ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ଶୈଳେଶ ମହାନ୍ତି (୫ ଓ ୩୨ ମିନିଟ୍‌) ଓ ରାଜୀବ ଦାସ (୨୫ ଓ ୨୮ ମିନିଟ) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ୟୁନାଇଟେଡ୍‌ ଏକାଦଶ ପକ୍ଷରୁ ସୂର୍ଯ୍ୟ ନାରାୟଣ ବାରିକ୍‌ (୪୯ ମିନିଟ୍‌) ଏକମାତ୍ର ଗୋଲ୍‌ କରିଥିଲେ। ସୁଦୀପ ଦାସ, ସୁଶାନ୍ତ ମିଶ୍ର, ମନୋରଞ୍ଜନ ଖୁଣ୍ଟିଆ ଓ ରାଜତ ମଲ୍ଲିକ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ଏସ୍‌ଜିଓ ନୟାପଲ୍ଲୀ ଓ ମଦର୍ସ ଫୁଟ୍‌ବଲ୍‌ କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର