ଗମ୍ଭୀର ଛାଡ଼ିଲେ ଦିଲ୍ଲୀ ନେତୃତ୍ୱ: ଆୟରଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,: ଚଳିତ ଆଇପିଏଲ୍‌ରେ ଦୟନୀୟ ପ୍ରଦର୍ଶନ ପରେ ଦିଲ୍ଲୀ ଡେୟାର ଡେଭିଲ୍‌ସ ଅଧିନାୟକ ପଦରୁ ଗୌତମ ଗମ୍ଭୀର ଓହରିଯାଇଛନ୍ତି। ତାଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ଆଇପିଏଲ୍‌-୧୧ର ଅବଶିଷ୍ଟ ଭାଗ ଲାଗି ଦିଲ୍ଲୀ ଦଳର ଅଧିନାୟକ ଦାୟିତ୍ୱ ଅର୍ପଣ କରାଯାଇଛି। ବୁଧବାର ଦିଲ୍ଲୀର ଫିରୋଜ ସାହା କୋଟ୍‌ଲା ଗ୍ରାଉଣ୍ଡରେ ନେଟ୍‌ସ ପୂର୍ବରୁ ଗମ୍ଭୀର ତାଙ୍କ ଇସ୍ତଫା ବିଷୟରେ ଘୋଷଣା କରିଥିଲେ। ଶୁକ୍ରବାର କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମୁକାବିଲାରୁ ଶ୍ରେୟସ ଆୟର ଏହି ଦାୟିତ୍ୱ ସମ୍ଭାଳିବେ।
ଭାରତୀୟ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଗମ୍ଭୀର କହିଛନ୍ତି ଓହରଯିବା ମୋ ବ୍ୟକ୍ତିଗତ ନିଷ୍ପତ୍ତି, ଏଥି ପାଇଁ ଦଳ ଆଡ଼ୁ କୌଣସି ଚାପ ପଡ଼ିନଥିଲା। ବରଂ ମୋ ଇସ୍ତଫାକୁ ଅନୁମୋଦନ କରିବା ପୂର୍ବରୁ ପରିଚାଳକଙ୍କୁ ଏକାଧିକ ଦଳୀୟ ବୈଠକ ଡାକିବାକୁ ପଡ଼ିଥିଲା। ମାତ୍ର ୬ଟି ମ୍ୟାଚ୍‌ ପରେ ଅଧିନାୟକତ୍ୱ ଛାଡ଼ିଦେବା ଦିଲ୍ଲୀ ପାଇଁ ଭଲ ନଥିଲେ ମଧ୍ୟ ଗମ୍ଭୀରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଯାହାକି ତାଙ୍କୁ ଓହରିଯିବାକୁ ଭଡ଼କାଇ ଥାଇ ପାରେ ବୋଲି ବିଶ୍ୱାସ କରାଯାଉଛି। ଗମ୍ଭୀର ବ୍ୟକ୍ତିଗତ ଭାବେ ପ୍ରଥମ ମ୍ୟାଚ୍‌ରେ ଏକମାତ୍ର ଅର୍ଧଶତକ ଜମାଇବା ପରେ କେବଳ ଏକ ଅଙ୍କ ବିଶିଷ୍ଟ ସ୍କୋର କରି ଚାଲିଛନ୍ତି। ତାଙ୍କ ଦଳ ମଧ୍ୟ ୬ ମ୍ୟାଚରୁ ୫ ହାରି ଦୟନୀୟ ଭାବେ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନରେ ସଂଘର୍ଷ କରୁଛି। ତେବେ କିଛି କଠୋର ନିଷ୍ପତ୍ତି ଦଳର ଭାଗ୍ୟ ପରିବର୍ତନ କରିଦେବ ବୋଲି ଚିନ୍ତା କରି ଗମ୍ଭୀର ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ।
ସୂଚନାଯୋଗ୍ୟ, ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ୍‌ ରାଇଡର୍ସ ଦୁଇ ଥର ଆଇପିଏଲ୍‌ ବିଜେତା ହୋଇ ସାରିଛି। ଅତୀତରେ ମଧ୍ୟ ଋତୁ ଅଧାରୁ ଗମ୍ଭୀର ନେତୃତ୍ୱ ଛାଡ଼ିବାର ଉଦାହରଣ ରଖିଛନ୍ତି। ଗତବର୍ଷ ସେ ଦିଲ୍ଲୀ ରଣଜୀ ଦଳର ନେତୃତ୍ୱ ଛାଡ଼ିବାରୁ ଋଷବ ପନ୍ତଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ଦିଲ୍ଲୀ ରଣଜୀ ଟ୍ରଫି ଫାଇନାଲ୍‌ ଖେଳିଥିଲେ ମଧ୍ୟ ଗୌତମ ଗମ୍ଭୀରଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ହିଁ ନିର୍ଣ୍ଣାୟକ ଥିଲା।

ସମ୍ବନ୍ଧିତ ଖବର