ଧୋନି, ଧାୱନ ଘରୋଇ କ୍ରିକେଟ୍ ନଖେଳିବା ନେଇ ଗାଭାସ୍କର କ୍ଷୁବ୍ଧ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମଙ୍ଗଳବାର ବିସିସିଆଇ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଘରୋଇ କ୍ରିକେଟ୍ ନଖେଳିବାର ଅନୁମତି ଦେଇଥିବାରୁ ବିସିସିଆଇକୁ ସେ ଆଜି କଡ଼ା ସମାଲୋଚନା କରିଛନ୍ତି। ଟେଷ୍ଟ୍‌ ଦଳରୁ ବାଦ ପଡ଼ିଥିବା ଧାୱନ ସଂପ୍ରତି ମେଲବର୍ନରେ ନିଜ ପରିବାର ସହ ସମୟ କଟାଉଛନ୍ତି। ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସାମିଲ ନଥିବା ଧୋନିଙ୍କ ପାଖରେ ସମୟ ଥିଲେ ମଧ୍ୟ ସେ ଘରୋଇ କ୍ରିକେଟ୍ ଖେଳୁ ନାହାନ୍ତି। ଏଥିନେଇ ଗାଭାସ୍କର କହିଛନ୍ତି ଯେ ଆମେ ଧୋନି ଏବଂ ଧାୱନଙ୍କୁ ପଚାରିବା କଥା, ଆପଣମାନେ କାହିଁକି ଘରୋଇ କ୍ରିକେଟ୍ ଖେଳୁ ନାହାନ୍ତି ? ସତ କହିବାକୁ ଗଲେ ଆମେ ଏହି ପ୍ରଶ୍ନ ବିସିସିଆଇ ଓ ଚୟନକର୍ତାଙ୍କୁ ପଚାରିବା କଥା‌। ଜାତୀୟ ଦଳରେ ନଥିଲା ବେଳେ ଖେଳାଳିମାନେ କାହିଁକି ଘରୋଇ କ୍ରିକେଟ୍ ଖେଳୁ ନାହାନ୍ତି ତାହା ଆଦୌ ବୁଝା ପଡ଼ୁନି। ଭାରତୀୟ ଦଳକୁ ଭଲ କରିବାକୁ ହେଲେ ସବୁ ଖେଳାଳି ଫର୍ମରେ ରହିବା ଏକାନ୍ତ ଅପରିହାର୍ଯ୍ୟ। ସେଥିପାଇଁ ଚଳିତ ରଣଜୀ ଋତୁରେ ଧୋନି ଏବଂ ଧାୱନ ଖେଳିବା ଉପରେ ଗାଭାସ୍କର ଅଧିକ ଜୋର ଦେଇଛନ୍ତି।

ସମ୍ବନ୍ଧିତ ଖବର