ଆଇପିଏଲ୍‌ ଛକା: ଗେଲ୍‌ଙ୍କ ତ୍ରିଶତକ

ମୋହାଲି: ଜାମାଇକାର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସର୍ବାଧିକ ଛକା ମାରିବାର କୀର୍ତିମାନ କରିଛନ୍ତି। କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଖେଳୁଥିବା ଗେଲ୍‌ ଶନିବାର ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ରେ ୨୪ ବଲ୍‌ରୁ ୪୦ ରନ୍‌ କରିଥିଲେ। ସେଥିରେ ୩ ଚୌକା ଓ ୪ ଛକା ସାମିଲ ଥିଲା। ଏଥି ସହିତ ଗେଲ୍‌ ଆଇପିଏଲ୍‌ରେ ୩୦୦ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ୩୦୦ଠୁ ମାତ୍ର ୨ ଛକା ଦୂରରେ ରହିଥିବା ଗେଲ୍‌ଙ୍କ ଛକା ସଂଖ୍ୟା ୩୦୨ରେ ପହଞ୍ଚିଯାଇଛି। ଗେଲ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ବି ବ୍ୟାଟ୍‌ସମ୍ୟାନ୍‌ ଆଇପିଏଲ୍‌ାର ୨୦୦ ଛକା ମଧ୍ୟ ମାରିପାରିନାହାନ୍ତି। ତାଙ୍କ ପଛକୁ ଏକ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଥିବା ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡିଭିଲିୟର୍ସ ୧୯୨ ଛକା ମାରିଛନ୍ତି। ଗେଲ୍‌ଙ୍କ ତ୍ରିଶତକ ଛକା ମଧ୍ୟରୁ ପ୍ରଥମ ୧୦୦ ଛକା ୩୭ ପାଳିରୁ ଆସିଥିଲା ବେଳେ ୬୯ ପାଳିରୁ ୨୦୦ ଏବଂ ୧୧୪ ପାଳିରୁ ୩୦୦ ପୂରଣ ହୋଇଥିଲା। ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାର କୀର୍ତିମାନ ମଧ୍ୟ ଗେଲ୍‌ଙ୍କ ନାମରେ ରହିଛି। ଏପରିକି ଗୋଟିଏ ଆଇପିଏଲ୍‌ ଋତୁ (୨୦୧୨)ରେ ସର୍ବାଧିକ ୫୯ ଛକା ମାରିବାର କୀର୍ତିମାନ ମଧ୍ୟ ଗେଲ୍‌ଙ୍କ ନାମରେ ରହିଛି। କେବଳ ସେତିକି ନୁହେଁ ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଆଇପିଏଲ୍‌ର ଗୋଟିଏ ଋତୁରେ ୬ ଶତକ ମାରିଛନ୍ତି। ଯାହାକି କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ସର୍ବାଧିକ ରହିଛି।

ସମ୍ବନ୍ଧିତ ଖବର