ଜର୍ମାନିକୁ କନ୍ଦାଇଲା କୋରିଆ

ଆଗେଇଲେ ସ୍ୱିଡେନ୍‌,ମେକ୍ସିକୋ

କାଜାନ/ଏକତେରିନବର୍ଗ: ସ୍ୱିଡେନ୍‌ ଏବଂ ମେକ୍ସିକୋ ଗ୍ରୁପ୍‌-ଏଫ୍‌ର ବିଜେତା ଓ ଉପବିଜେତା ଭାବେ ମସ୍କୋ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍ୱିଡେନ୍‌ ମେକ୍ସିକୋ ବିପକ୍ଷରେ ୩-୦ ବିଜୟ ହାସଲ କରିଥିଲା। ସେପଟେ ଦକ୍ଷିଣ କୋରିଆ ବିଶ୍ୱବିଜେତା ଜର୍ମାନିକୁ ବିସ୍ମୟକର ଭାବେ ୨-୦ ଗୋଲ୍‌ରେ ହରାଇ ଦେଇଥିଲା। ଫଳରେ ପ୍ରଥମ ଦୁଇ ସ୍ଥାନରେ ରହି ସ୍ୱିଡେନ୍‌ ଓ ମେକ୍ସିକୋ ଆଗକୁ ବଢ଼ିଥିଲେ। ଅନ୍ୟ ପକ୍ଷରେ କୋରିଆ ଜିତିକି ତୃତୀୟ ଏବଂ ଜର୍ମାନି ହାରିକି ଚତୁର୍ଥ ସ୍ଥାନରେ ରହି ଲିଗ୍‌ ପର୍ଯ୍ୟାୟ ଆଗକୁ ବଢ଼ି ପାରି ନଥିଲେ। ସ୍ୱିଡେନ୍‌ ଓ ମେକ୍ସିକୋ ଦୁଇଟି ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ସହ ସମାନ ୬ ପଏଣ୍ଟ୍‌ରେ ରହିଥିଲେ। ତେବେ ଗୋଲ୍‌ ବ୍ୟବଧାନରେ ଆଗୁଆ ରହି ସ୍ୱିଡେନ୍‌ ପ୍ରଥମ ସ୍ଥାନରେ ରହିଥିଲା। ଏହି ଗ୍ରୁପ୍‌ରେ ସବୁ ଦଳ ପାଇଁ ଆଗକୁ ଯିବାର ସୁଯୋଗ ଥିଲା। ପୂର୍ବରୁ ଶକ୍ତିଶାଳୀ ଜର୍ମାନି ଗୋଟିଏ ବିଜୟ ହାସଲ କରିଥିବାରୁ କୋରିଆକୁ ହରାଇ ପ୍ରି-କ୍ୱାର୍ଟରକୁ ଯିବ ବୋଲି ଏହି ଦେଶର ପ୍ରଶଂସକ ଆଶା ରଖିଥିଲେ। ହେଲେ ଏସୀୟ ଶକ୍ତି କୋରିଆ ସବୁକିଛି ଓଲଟପାଲଟ କରିଦେଇଥିଲା। ଶେଷ କ୍ଷଣରେ ଗୋଲ୍‌ ଦେଇ ସ୍ମରଣୀୟ ବିଜୟ ପାଇବା ସହ ଜର୍ମାନି ପ୍ରଶଂସକଙ୍କୁ କନ୍ଦାଇଥିଲା।

କାଜାନରେ ଷ୍ଟପେଜ୍‌ ଟାଇମ୍‌ ରୋମାଞ୍ଚ

କାଜାନ୍‌ରେ ଦକ୍ଷିଣ କୋରିଆ ୨୦୧୪ ବିଜେତା ଜର୍ମାନିକୁ ଧୂଳି ଚଟାଇ ଦେଇଥିଲା। ୭ ମିନିଟର ଷ୍ଟିପେଜ୍‌ ଟାଇମ୍‌ରେ ହିଁ କୋରିଆ ଖେଳାଳିମାନେ କମାଲ କରିଥିଲେ। ହାଲିଆ ହୋଇ ଯାଇଥିବା ଜର୍ମାନି ରକ୍ଷଣଭାଗକୁ ଚକ୍‌ମା ଦେଇ ୩ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ସେମାନେ ପ୍ରତୀକ୍ଷିତ ବିଜୟର ସ୍ୱାଦ ଚାଖିଥିଲା। କିମ୍‌ ୟଙ୍ଗଓନ୍‌ ୯୩ ମିନିଟ୍‌ରେ ପ୍ରଥମ ଗୋଲ୍‌ କରି ନିଜ ଦଳକୁ ଆଗୁଆ କରି ଦେଇଥିଲେ। ଏହା ପରେ ସନ୍‌ ହଙ୍ଗମିନ୍‌ ଦ୍ୱିତୀୟ ଗୋଲ୍‌ କରି ଜର୍ମାନିକୁ ସ୍ତବ୍ଧ କରି ଦେଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ୯୦ ମିନିଟ୍‌ରେ ଜର୍ମାନି କିଛି କରିପାରି ନଥିଲା। ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିବା ପରେ ଶେଷ ଆଡ଼କୁ ପୂରା ଫିକା ପଡ଼ିଯାଇଥିଲା।

ଏକ୍‌ତେରିନବର୍ଗରେ ସ୍ୱିଡେନର ଏକତରଫା ବିଜୟ
ମେକ୍ସିକୋ-ସ୍ୱିଡେନ୍‌ ମ୍ୟାଚ୍‌ର ପ୍ରଥମାର୍ଧରେ ଉଭୟ ଦଳ ଗୋଲ୍‌ ଖାତା ଖୋଲି ପାରି ନଥିଲେ। ହେଲେ ଦ୍ୱିତୀୟାର୍ଧରେ ସ୍ୱିଡେନ୍‌ ଆଶାଠାରୁ ଅଧିକ ସଫଳତା ଅର୍ଜନ କରି ନେଇଥିଲା। ମ୍ୟାଚ୍‌ର ତିନିଟି ଯାକ ଗୋଲ୍‌ ଦ୍ୱିତୀୟାର୍ଧରେ ହିଁ ହୋଇଥିଲା। ୪୯ ମିନିଟ୍‌ ପର୍ଯ୍ୟନ୍ତ ଗତିରୋଧ ଜାରି ରହିବା ପରେ ୫୦ ମିନିଟ୍‌ରେ ଲୁଦଓ୍ଵିଙ୍ଗ ଅଗଷ୍ଟିନସନ୍‌ ମେକ୍ସିକୋ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଫିଲ୍ଡ ଗୋଲ୍‌ ପରେ ଆନ୍ଦ୍ରେସ୍‌ ଗ୍ରାଙ୍କଭିଷ୍ଟ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରି ସ୍ୱିଡେନକୁ ୨-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମ ଗୋଲ୍‌ ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା ମେକ୍ସିକୋକୁ ୭୪ ମିନିଟ୍‌ରେ ଆଉ ଏକ ଝଟ୍‌କା ଲାଗିଥିଲା। ଏଡସନ୍‌ ଆଲଭାରେଜ୍‌ ଆତ୍ମଘାତୀ ଗୋଲ୍‌ ଦେବା ପରେ ଏହି ଦଳର ଗ୍ରୁପ୍‌ ବିଜେତା ହେବା ଆଶା ମଉଳି ଯାଇଥିଲା। ଅନ୍ୟ ପକ୍ଷରେ ଦ୍ୱିତୀୟ ବିଜୟ ସହ ସ୍ୱିଡେନ୍‌ ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।

ସମ୍ବନ୍ଧିତ ଖବର