ଘାନା ଓ ଆମେରିକାର ଅଭିଯାନ ଶେଷ

ସେମିରେ ମାଲି ଓ ଇଂଲଣ୍ଡ

ଗୌହାଟୀ/ଗୋଆ: ଦୁଇଥର ବିଜେତା ଘାନା ଓ ଆମେରିକାର ବିଶ୍ୱ କପ୍‌ ଅଭିଯାନ କ୍ୱାର୍ଟର ଫାଇନାଲ୍‌ରୁ ହିଁ ଶେଷ ହୋଇଯାଇଥିଲା ବେଳେ ମାଲି ଓ ଇଂଲଣ୍ଡ ନିଜ ନିଜର ଦମ୍‌ଦାର ବିଜୟ ସହ ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି।

ଶନିବାର ସଂଧ୍ୟାରେ ଗୌହାଟୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ପୂର୍ବ ବିଜେତା ଘାନାକୁ ୨-୧ ଗୋଲ୍‌ରେ ପରାସ୍ତ କରି ମାଲି ପ୍ରଥମ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଦୁଇ ପଶ୍ଚିମ ଆଫ୍ରିକୀୟ ଦଳ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଧରେ କିନ୍ତୁ ମାଲି ଆଧିପତ୍ୟ ବିସ୍ତାର କରିଥିଲା। ପଞ୍ଚଦଶ ମିନିଟ୍‌ରେ ହାଜି ଦ୍ରାମେ ଦେଇଥିବା ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ଅନ୍ୟ ପକ୍ଷରେ ଘାନା ପ୍ରଥମାର୍ଧର ୪୫ ମିନିଟ୍‌ ଖେଳରେ ତା’ର ଖାତା ଖୋଲି ପାରି ନଥିଲା। ୬୧ ମିନିଟରେ ଦେମୋସା ଟାଏରେ ଆଉ ଏକ ଗୋଲ୍‌ ଦେବା ପରେ ମାଲି ୨-୧ରେ ଆଗୁଆ ହୋଇ ଯାଇଥିଲା। ତେବେ ଏହାର ୯ ମିନିଟ୍‌ ପରେ ଘାନା କୁଦୁସ୍‌ ମହମ୍ମଦଙ୍କ ଗୋଲ୍‌ ବଳରେ ସ୍ଥିତି ୨-୧ କରି ନେଇଥିଲା। ଶେଷ ୨୦ ମିନିଟ୍‌ ଖେଳରେ ଘାନା ଘନ ଘନ ଆକ୍ରମଣ କରିଥିଲା। ହେଲେ ଆଉ ଗୋଲ୍‌ ଦେବାକୁ ସକ୍ଷମ ହୋଇ ନଥିଲା। ଫଳରେ ମାଲି ଗୋଟିଏ ଗୋଲ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା ବେଳେ ଘାନା ଦୁଃଖଦ ବିଦାୟ ନେଇଥିଲା। ମାଲି ସେମିଫାଇନାଲରେ ବୁଧବାର ଖେଳା ଯିବାକୁ ଥିବା ଇରାନ-ସ୍ପେନ୍‌ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ର ବିଜେତାକୁ ଭେଟିବ।

ଗୋଆର ପଣ୍ଡିତ ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ରିହାନ୍‌ ବ୍ରିେଓ୍ଵଷ୍ଟର୍‌ଙ୍କ ୩ ଗୋଲ୍‌ ବଳରେ ଇଂଲଣ୍ଡ ୪-୧ରେ ଆମେରିକାକୁ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ୍‌ ଟିକେଟ କରାୟତ କରିଥିଲା। ବ୍ରିେଓ୍ଵଷ୍ଟର୍‌ ମ୍ୟାଚ୍‌ର ୧୧ ଓ ୧୪ ମିନିଟ୍‌ରେ ଲଗାତାର ଦୁଇଟି ଗୋଲ୍‌ କରିବାରୁ ଇଂଲଣ୍ଡ ମଧ୍ୟାନ୍ତର ସୁଦ୍ଧା ୨-୦ର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟାର୍ଧରେ ୬୪ ମିନିଟ୍‌ରେ ଗିବ୍‌ସ ହ୍ଵାଇଟ୍‌ଙ୍କ ଗୋଲ୍‌ ବଳରେ ଇଂଲଣ୍ଡ ବ୍ୟବଧାନ ୩-୦ରେ ପହଞ୍ଚି ଯାଇଥିଲା। ନିର୍ଧାରିତ ସମୟ ୯୦ ମିନିଟ୍‌ ପରେ ବ୍ରିେଓ୍ଵଷ୍ଟର ବ୍ୟକ୍ତିଗତ ତୃତୀୟ ଗୋଲ୍‌ କରି ଇଂଲଣ୍ଡକୁ ୪-୧ର ସହଜ ବିଜୟ ଭେଟି ଦେଇଥିଲେ। ତେବେ ୭୨ ମିନିଟ୍‌ ପର୍ଯ୍ୟନ୍ତ ଗୋଲ୍‌ ଶୂନ୍ୟ ରହିଥିବା ଆମେରିକା ପାଇଁ ଶେଷରେ ଜୋସ୍‌ ସାର୍‌ଜେଣ୍ଟ୍‌ ସାନ୍ତ୍ୱନା ଆଣିଥିଲେ। ତାଙ୍କ ୭୨ ମିନିଟ୍‌ ଗୋଲ୍‌ କେବଳ ବ୍ୟବଧାନ କମାଇଥିଲା ସିନା ହେଲେ ଇଂଲଣ୍ଡକୁ ବିଜୟରୁ ରୋକି ପାରିନଥିଲା।

ସମ୍ବନ୍ଧିତ ଖବର