ଘାସିରାମ ଜାତୀୟ ଶିବିରରୁ ବାଦ୍‌

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅନୁଷ୍ଠିତ ତ୍ରୟୋଦଶ ଯୁବ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ଉପକନିଷ୍ଠ ବର୍ଗରେ ପଦକ ହାସଲ କରିଥିଲେ ବ୍ରହ୍ମପୁର ଛାତ୍ରାବାସର ଅନ୍ତେବାସୀ ଘାସିରାମ ଖରା। ଜାତୀୟ ପ୍ରତିଯୋଗିତା ପଦାର୍ପଣରେ ୩  ପଦକ (ରୌପ୍ୟ) ହାସଲ କରି ପ୍ରଶିକ୍ଷଣ ଶିବିରକୁ ମନୋନୀତ ହୋଇ ପଂଜାବର ପଟିଆଲା ସ୍ଥିତ ଏନଆଇଏସ୍‌ ରେ ତାଲିମ୍‌ ନେଉଥିଲେ। ତେବେ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ଏହି ଶିବିରରୁ ବାଦ୍‌ ଦିଆଯାଇଛି। ଜାତୀୟ ପ୍ରତିଯୋଗିତାରେ ନାଡା ପକ୍ଷରୁ ହୋଇଥିବା ଡୋପ୍‌ ଟେଷ୍ଟରେ ସଂଗୃହୀତ ନମୂନାର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଭାରତୀୟ ଭାରୋତ୍ତୋଳନ ସଂଘ ରାଜ୍ୟ ସଂଘକୁ ଜଣାଇଛି। ୭ ଦିନ ମଧ୍ୟରେ ଘାସିରାମଙ୍କ ବି-ନମୂନା ପରୀକ୍ଷା କରାଇବା ପାଇଁ ଜଣାଇ ଦେବା, ତାଙ୍କଠୁ  ସମସ୍ତ ପଦକ, ସାର୍ଟିଫିକେଟ୍‌ ଫେରସ୍ତ ଆଣିବାକୁ ନିର୍ଦେଶ ରହିଛି। ନାଡାର ଶୃଙ୍ଖଳା କମିଟି ଦ୍ୱାରା ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଘାସିରାମ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେନି ବୋଲି ନିର୍ଦେଶନାମା ଜାରି ହୋଇଛି।

ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଭାରୋତ୍ତୋଳନ ପ୍ରଶିକ୍ଷକ ସଚ୍ଚିନ୍ଦ୍ର ମାଝୀଙ୍କ ସହ ଯୋଗାଯୋଗ କରିବାରୁ ଏହି ଖବର ତାଙ୍କୁ ଦୁଃଖିତ କରିଛି ବୋଲି କହିଥିଲେ। ଘାସିରାମ ଷଡ଼ଯନ୍ତ୍ରର ଶିକାର ହୋଇଥିବା  ସେ ପ୍ରକାଶ କରିଥିଲେ। ଘାସିରାମ ଜଣେ ୯ମ  ଶ୍ରେଣୀର ଛାତ୍ର। ଛାତ୍ରାବାସରେ ରହି ତାଲିମ ନେଉଥିବା ବେଳେ ଏଠାରେ ଉପଲବ୍ଧ ହେଉଥିବା ଖାଦ୍ୟ ଖାଇଥାନ୍ତି। ପ୍ରଥମ ଥର ପାଇଁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯାଇଥିଲେ। ସେଠାରେ ନିଜ ଖାଦ୍ୟ ପାନୀୟ ପ୍ରତି ଯତ୍ନବାନ୍‌ ହେବାକୁ ପରାମର୍ଶ ଦିଆଯାଇଥିଲା। ଯଦି ଅଜାଣତରେ ଅନ୍ୟ କାହା ଠାରୁ ପାଣି ପିଇଥିବେ, ସେଥିରେ ଏଭଳି ନିଷେଧ ଔଷଧ ମିଶିଥିବ,  କିମ୍ବା ମୂତ୍ର ନମୂନା ସଂଗ୍ରହ ବେଳେ ଅଦଳବଦଳ ହୋଇଥିବ ତେବେ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିଥିବ ବୋଲି ସଚ୍ଚିନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର