ଗିବ୍ସ-ଅଶ୍ୱିନ ମୁହାଁ ମୁହିଁ

ନୂଆଦିଲ୍ଲୀ: ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନଙ୍କୁ ଟ୍ଵିଟରରେ କଟାକ୍ଷ କରିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହରଶ୍ଚେଲ ଗିବ୍ସଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି କଟାକ୍ଷ ପରେ ଗିବ୍ସଙ୍କୁ ଅଶ୍ୱିନ ତାଙ୍କ ମ୍ୟାଚ୍‌ ଫିକ୍ସିଂ କେଳେଙ୍କାରୀ ଅଧ୍ୟାୟ ମନେ ପକାଇ ଦେଇଛନ୍ତି। ନାଇକ୍‌ କଂପାନି ପ୍ରସ୍ତୁତ କରିଥିବା ଏକ ନିଆରା ଧରଣର ସ୍ପୋର୍ଟସ ସୁ ବା କ୍ରୀଡ଼ା ଜୋତାର ଛବିକୁ ନିଜ ଟ୍ଵିଟର ଆକାଉଣ୍ଟରେ ପ୍ରକାଶ କରି ଅଶ୍ୱିନ ଏହାର ଭୂୟସୀ ପ୍ରଶଂସା କରିଥିଲେ। ଅଶ୍ୱିନଙ୍କ ଏହି ଟ୍ଵିଟ୍‌କୁ ନେଇ ଗିବ୍ସ ତୁରନ୍ତ ବ୍ୟଙ୍ଗ କରିଥିଲେ। ଅଶ୍ୱିନ ଏହି ଜୋତା ପିନ୍ଧି ପୂର୍ବାପେକ୍ଷା ଅଧିକ ବେଗରେ ଦୌଡ଼ି ପାରିବ ବୋଲି ଗିବ୍ସ ରି ଟ୍ଵିଟ୍‌ କରିଥିଲେ। ଯାହା ଅଶ୍ୱିନଙ୍କୁ ଆଦୌ ପସନ୍ଦ ଆସି ନଥିଲା ସେ ବି ତୁରନ୍ତ ଏହାର ଜବାବ ଦେଇଥିଲେ ଏବଂ ଲେଖିଥିଲେ ଯେ ସେତେ ବେଗରେ ନୁହେଁ ଯେତେ ବେଗରେ ତୁମେ ତୌଡ଼ୁଥିଲ ବନ୍ଧୁ। ତୁମ ଉପରେ ଭଗବାନଙ୍କର ଯେତେ ଆଶୀର୍ବାଦ ଥିଲା ସମ୍ଭବତଃ ମୋ ଉପରେ ସେତେଟା ନାହିଁ। ହେଲେ ମୋତେ ଏତିକି ନୈତିକ ଶିକ୍ଷା ମଳିଛି ଯେ ଯେଉଁ ଖେଳ ମୋ ପେଟକୁ ଖାଦ୍ୟ ଦେଉଛି ତାକୁ ଫିକ୍ସିଂ କରିବି ନାହିଁ। ଅଶ୍ୱିନଙ୍କ ଏହି ଟ୍ଵିଟ୍‌ ସମ୍ଭବତଃ ଗିବ୍ସଙ୍କୁ ବହୁତ ବାଧିଥିଲା। ମୁଁ ଥଟ୍ଟା ପରିହାସରେ ଏମିତି ଲେଖିଥିଲି। ତୁମେ ଏହାକୁ ଅଲଗା ଭାବେ ନେଲ। ଏହି ମାମଲାକୁ ଏହିଠାରେ ଶେଷ କର ବୋଲି ଗିବ୍ସ ଉତ୍ତର ଦେଇଥିଲେ। ଅଶ୍ୱିନ ପରେ ଲେଖିଥିବା କଡ଼ା କଥାର ସଫେଇ ଦେଇଥିଲେ। ହେଲେ ଗିବ୍ସ ଆଉ ତାଙ୍କ କୌଣସି ଲେଖାର ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର