ବାଳିକା ଫୁଟ୍‌ବଲ୍‌ରେ ବଡ଼ (୩୬-୦) ବିଜୟ

ଭୁବନେଶ୍ବର: ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ରେ ଶନିବାର ବଡ଼ ବିଜୟ ହାସଲ କରିଛି। ବିଶେଷ କରି ୧୭ ବର୍ଷରୁ କମ୍‌ ବାଳିକା ଫୁଟ୍‌ବଲ୍ ଦଳ ୩୬-୦ ଗୋଲ୍‌ରେ ହିମାଚଳ ପ୍ରଦେଶକୁ ହରାଇବା ଚର୍ଚାକୁ ଆସିଛି। ଏହା ଏକ କୀର୍ତିମାନ କି ନୁହେଁ ସ୍ପଷ୍ଟ କରାଯାଇନାହିଁ। ଓଡ଼ିଶା ପାଇଁ ବନ୍ୟା କବିରାଜ, ଦୀପା ନାଏକ, ଜ୍ୟୋତି କୁମାରୀ ପ୍ରତ୍ୟେକ ୬ ଲେଖାଏଁ, ଦୀପ୍ତିରାଣୀ କୁଜୁର, ନିକିତା ବିଶି ୪ ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିଭଳି ମାଳତି ମୁଣ୍ଡା, ସରିତା ସୋରେଙ୍ଗ, ସୁସ୍ମିତା ତନ୍ତୀ, ମନୀଷା ନାଏକ ପ୍ରତ୍ୟେକ ୨ ଲେଖାଏଁ ଗୋଲ୍ ଦେଇଥିଲେ। ସଂଘମିତ୍ରା ନାଏକ ଏବଂ ସୁମିତ୍ରା ହେମ୍ବ୍ରମ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଏହି ବଡ଼ ବିଜୟରେ ନିଜ ନିଜ ଯୋଗଦାନ ରଖିଥିଲେ। ଏହି ବିଜୟ ସହିତ ଓଡ଼ିଶାର ସେମିଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଯାଇଛି। ପୂର୍ବରୁ ଓଡ଼ିଶା ନିଜର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ମହାରାଷ୍ଟ୍ରକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା। ଶେଷ ଲିଗ୍ ମ୍ୟାଚ୍‌ରେ ଓଡ଼ିଶା ସୋମବାର କେରଳ ସହିତ ଖେଳିବ। ଓଡ଼ିଶା ସହିତ ପ୍ରଶିକ୍ଷକ ଭାବେ ମମତା କୁମାରୀ ସାମନ୍ତ ପୁନେ ଗସ୍ତ କରିଛନ୍ତି। ଅନ୍ୟପକ୍ଷରେ ୨୧ ବର୍ଷରୁ କମ୍ ବାଳିକା ଦଳ ପ୍ରଥମ ମ୍ୟାଚ୍‌ରେ ତାମିଲନାଡୁଠାରୁ ହାରିଥିବା ବେଳେ ଶନିବାର ମିଜୋରାମ ସହ ପଏଣ୍ଟ ଭାଗ କରିଛନ୍ତି।

ସମ୍ବନ୍ଧିତ ଖବର