ପୃଥ୍ଵୀଙ୍କୁ ଖେଳିବାକୁ ଦିଆଯାଉ, ସଚିନ-ସେହେଓ୍ଵାଗଙ୍କ ସହିତ ତାଙ୍କୁ ତୁଳନା କରା ନ ଯାଉ: କୋହଲି

ହାଇଦ୍ରାବାଦ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି, ଯୁବ କ୍ରିକେଟର ପୃଥ୍ଵୀଙ୍କୁ ଅନ୍ୟ କାହାରି ସହିତ ତୁଳନା କରାଯିବା ଠିକ ନୁହେଁ। ତାଙ୍କୁ ଖେଳିବାକୁ ସୁଯୋଗ ଦିଅନ୍ତୁ। ପୃଥ୍ଵୀ ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଜକୋଟରେ ନିଜର ପଦାର୍ପଣ ମ୍ୟାଚରେ ୧୩୪ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ କିଛି ଲୋକ ତାଙ୍କୁ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହେଓ୍ଵାଗଙ୍କ ସହିତ ତୁଳନା କରିଛନ୍ତି। ଏହା ଠିକ୍‌ ନୁହେଁ ବୋଲି କୋହଲି କହିଛନ୍ତି।

ୱେେଷ୍ଟଇଣ୍ଡିଜ ବିପକ୍ଷରେ ୨ୟ ଟେଷ୍ଟ ମ୍ୟାଚ ପୂର୍ବରୁ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୋତେ ଲାଗୁ ନାହିଁ ଯେ, ତାଙ୍କୁ ନେଇ କୌଣସି ପ୍ରକାର ନିଷ୍ପତ୍ତି ନିଆଯିବା ଦରକାର। ଏହି ଯୁବ ଖେଳାଳିଙ୍କୁ ନିଜର କ୍ଷମତା ଅନୁସାରେ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଉ। ସେ ଜଣେ ପ୍ରତିଭା ସଂପନ୍ନ ଖେଳାଳି। ତାଙ୍କୁ ବଲ ଖେଳିବା ଜଣା ଅଛି।

ବିରାଟ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଚାହିଁବୁ ଯେ, ପୃଥ୍ଵୀ ପ୍ରଥମ ମ୍ୟାଚରେ ଯେଭଳି ପ୍ରଦର୍ଶନ କରିଥିଲେ, ଏହାକୁ ପୁନରାବୃତ୍ତି କରନ୍ତୁ। ସେ ଶିଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ସେ ପରିସ୍ଥିତିକୁ ଦୃଷ୍ଟିରେ ରଖି କାମ କରିବାକୁ ଭଲ ପାଆନ୍ତି ବୋଲି କୋହଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ଆମେ ସମସ୍ତେ ପୃଥ୍ଵୀଙ୍କୁ ନେଇ ଖୁସି ଅଛୁ।

 

ସମ୍ବନ୍ଧିତ ଖବର