ସୌନ୍ଦର୍ଯ୍ୟ ଯୁବ ପିଢ଼ି ପାଇଁ ଆଦର୍ଶ: ସଚିନ୍‌

ନୂଆଦିଲ୍ଲୀ: ଦୃଷ୍ଟିହୀନ ଓଡ଼ିଆ ଚେସ୍‌ ତାରକା ସୌନ୍ଦର୍ଯ୍ୟ ପ୍ରଧାନ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ। ବିଭିନ୍ନ ପ୍ରତିଘାତ ଓ ଅହ୍ବାନ ସତ୍ତ୍ବେ ସେ ଯେଉଁଭଳି ଉପଲବ୍‌ଧି ହାସଲ କରିଛନ୍ତି ତାହା ତାଙ୍କର ଦୃଢ଼ ଇଛାଶକ୍ତି ଓ କଠୋର ପରିଶ୍ରମର ଫଳ। ସେ ଆଗୁକୁ ଦେଶପାଇଁ ଅନେକ ଖ୍ୟାତି ଆଣିପାରିବେ। ଯୁବ ପିଢ଼ି ତାଙ୍କର ଦକ୍ଷତା ଓ ସାମର୍ଥ୍ୟକୁ ଅନୁକରଣ କରିବା ଉଚିତ ବୋଲି କ୍ରିକେଟ୍‌ କିମ୍ବଦନ୍ତୀ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍‌ରେ ୟୁନିସେଫ୍‌ ଆନୁକୂଲ୍ୟରେ ବିଶ୍ବ ଶିଶୁ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସଚିନ୍‌ ଦୃଷ୍ଟିହୀନ ବିଶ୍ବ କନିଷ୍ଠ ଚେସ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଯୁବକ ସୌନ୍ଦର୍ଯ୍ୟଙ୍କ ସଫଳତାକୁ ନେଇ ଏଭଳି ଢଙ୍ଗରେ ବୟାନ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌ର ସଦ୍‌ଭାବନା ଦୂତ ସଚିନ୍‌ ଓ ଦୃଷ୍ଟିହୀନ ଚେସ୍‌ ତାରକା ସୌନ୍ଦର୍ଯ୍ୟଙ୍କ ସହିତ ୟୁନିସେଫ୍‌ର ଭାରତ ପ୍ରତିନିଧି ଡକ୍ଟର ୟାସ୍‌ମିନ୍‌ ଅଲ୍ଲୀ ହକ୍‌ ଏବଂ ଏୟା‌ର ମାର୍ସାଲ ଜେନ୍‌ଜିଲ୍‌ କେଲ୍‌କର ଯୋଗଦେଇ ‘ସ୍କୁଲ୍‌ ଅଧ୍ୟୟନ ଓ କୀଡ଼ାର ମହତ୍ବ’କୁ ନେଇ ହୋଇଥିବା ଆଲୋଚନାଚକ୍ରରେ ନିଜ ନିଜର ମତ ରଖିଥିଲେ। ସଦ୍‌ଭାବନା ଦୂତ ଭାବେ ଶିକ୍ଷା ସଂପର୍କରେ ସେ ଯେଉଁସବୁ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଚନ୍ତି ସେଥିରେ ଶିକ୍ଷା ସହ କ୍ରୀଡ଼ାର ଆବଶ୍ୟକତାକୁ ନେଇ ବିଶେଷ ଫୋକସ୍‌ ଦେଉଥିବା କଥା କହିଥିଲେ ସଚିନ୍‌। ବାଳକ ଓ ବାଳିକାମାନଙ୍କୁ ସମାନ ସୁଯୋଗ ମିଳିବା, ସ୍କୁଲ୍‌ଗୁଡ଼ିକରେ କ୍ରୀଡ଼ାକୁ ବାଧ୍ୟତାମୂଳକ କରାଯିବା ନେଇ ସେ ତାଙ୍କର ମତ ସର୍ବଦା ରଖିଆସୁଛନ୍ତି ବୋଲି ସଚିନ୍‌ କହିଥିଲେ।
ଆଲୋଚନା କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟ ମଧ୍ୟ ତାଙ୍କର ବଳିଷ୍ଠ ମତ ରଖିଥିଲେ। ସବୁବେଳେ ଦେଶପାଇଁ କିଛି କରିବାର ଭାବନା ମୋ ମନରେ ରହିଥାଏ। ମୁଁ ବହୁ ଘାତପ୍ରତିଘାତ ସତ୍ତ୍ବେ କିଛିଟା‌ ସଫଳତା ହାସଲ କରିଛି। ଆଗକୁ ଆହୁରି ଅନେକ ଲକ୍ଷ୍ୟ ରହିଛି। ସେଗୁଡ଼ିକୁ ମଧ୍ୟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ସୌନ୍ଦର୍ଯ୍ୟ କହିଥିଲେ। ଜୀବନରେ ଅନେକ ଆହ୍ବାନ ଆସିବ। ଆଉ ସେଗୁଡ଼ିକୁ ଗ୍ରହଣ କଲେ ସଫଳତା ମଧ୍ୟ ପାଦ ଛୁଇଁବ ବୋଲି ସୌନ୍ଦର୍ଯ୍ୟ ତାଙ୍କ ସମ୍ବୋଧନରେ କହିଥିଲେ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ସାଙ୍ଗକୁ ନିଜର ଦକ୍ଷତାକୁ ବିକଶିତ କରିବା ପାଇଁ କ୍ରୀଡ଼ାରେ ରୁଚି ରଖିବାକୁ ସୌନ୍ଦର୍ଯ୍ୟ ପରାମର୍ଶ ଦେଇଥିଲେ। ସୌନ୍ଦର୍ଯ୍ୟ ଆହୁରି କହିଥିଲେ, କିମ୍ବଦନ୍ତୀ କ୍ରିକେଟର୍‌ ଏବଂ ୟୁନିସେଫ୍‌ର ସଦ୍‌ଭାବନା ଦୂତ ସଚିନ୍‌ ତେନ୍ଦୁଲକରଙ୍କ ସହିତ ଗୋଟିଏ ମଞ୍ଚରେ ଆଲୋଚନାରେ ଭାଗ ନେବା ମୋ ପାଇଁ ଏକ ଅଭୂଲା ସ୍ମୃତି ହୋଇ ରହିବ। ଏହା ମୋ‌ତେ ଆଗକୁ ବଲ ପ୍ରଦର୍ଶନ କରିବା ନିମନ୍ତେ ଖୁବ୍‌ ଉତ୍ସାହିତ କରିଛି ବୋଲି ସୌନ୍ଦର୍ଯ୍ୟ କହିଥିଲେ। ବାଳକ ଓ ବାଳିକାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମରିକ ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସେଥିପାଇଁ ‌‌ସୌନ୍ଦର୍ଯ୍ୟ ୟୁନିସେଫ୍‌କୁ ସାଧୁବାଦ ଜଣାଇଥିଲେ। ଉଭୟ ସଚିନ୍‌ ଓ ସୌନ୍ଦର୍ଯ୍ୟଙ୍କ ପ୍ରେରଣାଦାୟୀ ସମ୍ବୋଧନକୁ ୟୁନିସେଫ୍‌ର ଭାରତ ମୁଖ୍ୟ ୟାସ୍‌ମିନ ଅଲ୍ଲୀ ହକ୍‌ ଖୁବ୍‌ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ବତନ୍ତ୍ର ଶିଶୁମାନଙ୍କ ସହିତ ଷ୍ଟାଡିୟମ୍‌ରେ ଫୁଟ୍‌ବଲ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର