ଜାମ୍‌ସେଦପୁରକୁ ହରାଇ ସେମିରେ ଗୋଆ

ଭୁବନେଶ୍ବର: ଗୋଆ ଏଫ୍‌ସି ତୃତୀୟ ଦଳ ଭାବେ ସୁପର କପ୍ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ରାତିରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଜାମସେଦପୁର ଏଫ୍‌ସିକୁ ୪-୩ ଗୋ୍‌ଲରେ ହରାଇ ଗୋଆ ଏହି ସଫଳତା ଲାଭ କରିଛି। ଅଧଡଜନରୁ ଅଧିକ ଗୋଲ୍ ଦେଖିବାକୁ ମିଳିଥିବା ଏହି ମୁକାବିଲାର ପ୍ରଥମାର୍ଧ ସୁଦ୍ଧା ଗୋଆ ୨-୦ରେ ଆଗୁଆ ହୋଇଯାଇଥିଲା। ସେହିଭଳି ଦ୍ବିତୀୟାର୍ଧରେ ଆଉ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ସେପଟେ ଜାମସେଦପୁର ତିନିଟି ଯାକ ଗୋଲ୍ ଦ୍ବିତୀୟାର୍ଧରେ ହିଁ ଦେଇଥିଲା। ହେଲେ ଗୋଟିଏ ଗୋଲ୍ ପଛରେ ରହି ସେମିଫାଇନାଲ ଟିକେଟ ହାତଛଡ଼ା କରିଥିଲା। ଗୋଆ ଶେଷ କିଛି ମିନିଟ୍ ୧୦ ଜଣରେ ଖେଳିଥିଲା। ଏହାର ‌ଫାଇଦା କିନ୍ତୁ ଜାମସେଦପୁର ଉଠାଇ ପାରି ନଥିଲା। ପରାଜିତ ଦଳ ଜାମସେଦପୁରର ୧୯ ନମ୍ବର ଖେଳାଳି କାର୍ଲୋସ୍ କାଲଭୋ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପ୍ରଥମାର୍ଧରେ ଗୋଆ ଆଧିପତ୍ୟ ବିସ୍ତାର କରିଥିଲା। ୨୩ ମିନିଟରେ ଗୋଆର ୧୦ ନମ୍ବର ଖେଳାଳି ବ୍ରାଣ୍ଡନ ଫର୍ନାଣ୍ଡିସ୍ ନିଜ ଦଳକୁ ଆଗୁଆ କରିଥିଲେ। ୪୭ ମିନିଟରେ (୪୫+୨) ଜାମସେଦପୁରର ୭ ନମ୍ବର ଖେଳାଳି ପାବଲୋ ମୋର୍ଗାଡୋ ବ୍ରାଣ୍ଡନଙ୍କ ନିଜ ଗୋଲ୍ ପୋଷ୍ଟ ଭିତରକୁ ବଲ୍ ପଠାଇ ଦେଇଥିଲେ। ଏହି ଆତ୍ମଘାତୀ ଗୋଲ୍ ପରେ ଗୋଆ ପ୍ରଥମାର୍ଧର ଶେଷ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧ ତୁଳନାତ୍ମକ ଭାବେ ଅଧିକ ସଂଘର୍ଷପୂର୍ଣ୍ଣ ରହିଥିଲା। ଏଥିରେ ମୋଟ ପାଞ୍ଚଟି ଗୋଲ୍ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ଗୋଆ ଦୁଇଟି ଏବଂ ଜାମସେଦପୁର ତିନିଟି ଗୋଲ୍ ଦେଇଥିଲା। ୬୪ ମିନିଟ୍‌ରେ ଗୋଆର ୨୦ ନମ୍ବର ଖେଳାଳି ସେରିଟନ୍ ବେନି ଫର୍ନାଣ୍ଡିଜ୍ ଏହି ଅର୍ଧର ପ୍ରଥମ ଏବଂ ମ୍ୟାଚ୍‌ର ତୃତୀୟ ଗୋଲ୍ ଦେଇଥିଲେ। ୭୩ ମିନିଟରେ କାର୍ଲୋସ୍ ଗୋଞ୍ଜାଲେଜ୍ ଗୋଆର ଚତୁର୍ଥ ଗୋଲ୍ ଦେଇଥିଲେ। ୬୯ରୁ ୮୩ର ୧୪ ମିନିଟ ଖେଳରେ କିନ୍ତୁ ତିନିଟି ଗୋଲ୍ ଦେଇ ଜାମସେଦପୁର ମ୍ୟାଚ୍‌କୁ ଫେରିଥିଲା। ଏହି ତିନିଟି ଗୋଲ୍ ପ୍ରଥମାର୍ଧର ଖଳନାୟକ ପାବଲୋ ମୋର୍ଗାଡୋ (୬୯ ମିନିଟ୍) ଓ ଦୁଇ ସ୍ପେନୀୟ ଖେଳାଳି କାର୍ଲୋସ୍ କାଲଭୋ (୭୭ ମିନିଟ୍) ଓ ସର୍ଗିଓ ସିଣ୍ଡୋଞ୍ଚା ଦେଇଥିଲେ। ଚତୁର୍ଥ ତଥା ଶେଷ କ୍ବାର୍ଟର ଫାଇନାଲ୍ ରବିବାର ଚେନ୍ନାଇନ୍ ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଖେଳାଯିବ। ସେମିଫାଇନାଲ୍ ପର୍ଯ୍ୟାୟ ମଙ୍ଗଳବାର ଓ ବୁଧବାର ଖେଳାଯିବ। ଏହାପରେ ମେଗା ଫାଇନାଲ୍ ୧୩ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର