ସୁପର କପ୍‌ କ୍ବାର୍ଟରରେ ଗୋଆ, ବିଦ୍ରୋହୀଙ୍କ ଭାଗ୍ୟ ନିର୍ଧାରଣ ୧୨ରେ

ଭୁବନେଶ୍ବର: ଯୁବ ଦଳ ଇଣ୍ଡିଆନ୍ ଆରୋଜ୍‌କୁ ଏକତରଫା ଭାବେ ୩-୦ ଗୋଲ୍‌ରେ ପରାସ୍ତ କରି ଏଫ୍‌ସି ଗୋଆ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ଫେରାନ କରୋମିନାସ ସପ୍ତଦଶ ମିନିଟ୍‌ରେ ଗୋଆ ପାଇଁ ଗୋଲ୍ ଖାତା ଖୋଲିଥିଲେ। ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରି ସେ ଏହି ସଫଳତା ଲାଭ କରିଥିଲେ। ପ୍ରଥମାର୍ଧ ସୁଦ୍ଧା ଆରୋଜ୍ ଏହି ଗୋଲ୍‌କୁ ଶୁଝି ପାରି ନଥିଲା। ଫଳରେ ପ୍ରଥମ ୪୫ ମିନିଟ୍‌ର ଖେଳ ପରେ ଗୋଆ ସେହି ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧର ପଞ୍ଚଦଶ ମିନିଟ୍ ତଥା ମ୍ୟାଚ୍‌ର ୬୦ତମ ମିନିଟ୍‌ରେ ହୁଗୋ ବୌମସ୍ ବ୍ୟକ୍ତିଗତ ଭାବେ ପ୍ରଥମ ଏବଂ ମ୍ୟାଚ୍‌ର ଦ୍ବିତୀୟ ଗୋଲ୍ ଦେଇ ଗୋଆକୁ ୨-୦ରେ ଆଗୁଆ କରି ଦେଇଥିଲେ। ତୃତୀୟ ତଥା ଶେଷ ଗୋଲ୍ ଗୋଆକୁ ଉପହାର ଭାବେ ମିଳିଥିଲା। ୮୧ ମିନିଟ୍‌ରେ ଦୀପକ ଟାଙ୍ଗ୍ରି ଆତ୍ମଘାତୀ ଗୋଲ୍ ଦେବା ପରେ ଗୋଆ ୩-୦ରେ ଆଗୁଆ ରହିଥିଲା। ନିର୍ଧାରିତ ସମୟ ମଧ୍ୟରେ ଆରୋଜ୍ ଆଉ କୌଣସି ଗୋଲ୍ ଦେଇ ନପାରିବା ପରେ ଗୋଆ ୩-୦ରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରିଥିଲା। ଆଇଏସ୍‌ଏଲ୍ ଉପବିଜେତା ଗୋଆ ନିଜ ଦଳରେ ପାଞ୍ଚ ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଇ ଚମକପ୍ରଦ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ୪-୨-୩-୧ ଶୈଳୀରେ ଖେଳିଥିବା ଆରୋଜ୍ ଶକ୍ତିଶାଳୀ ଗୋଆର ଆକ୍ରମଣକୁ ପ୍ରତିହତ କରିବାକୁ ବିଫଳ ରହିଥିଲା। ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆରୋଜ୍ ଉପରେ ଚାପ କମିବାକୁ ଦେଇ ନଥିଲା। ଦଶମ ମିନିଟ୍‌ରେ ଆରୋଜ୍ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ଏହା ପରେ ଗୋଆର ସଜାଗ ରକ୍ଷଣଭାଗ ପାଇଁ ଆରୋଜ୍‌ ଗୋଲ୍ ସୁଯୋଗ ପାଇ ନଥିଲା।

ଦିଲ୍ଲୀ ଡାଇନାମସ୍‌କୁ ୱାକ୍‌ଓଭର
ଆଇଲିଗ୍ ଦଳଗୁଡ଼ିକର ସୁପର କପ୍ ବର୍ଜନ କରିବା ଧାରା ଜାରି ରହିଛି। ଏହି ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟରୁ ମୀନର୍ଭା ପଞ୍ଜାବ, ଗୋକୁଳମ୍ କେରଳ, ଆଇଜଲ ଏଫ୍‌ସି ଓହରି ଯାଇଥିଲେ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମୁଖ୍ୟ ପର୍ଯ୍ୟାୟରୁ ଶନିବାର ଇଷ୍ଟବେଙ୍ଗଲ ଓହରିଯିବା ପରେ ପ୍ରତିପକ୍ଷ ଦିଲ୍ଲୀ ଡାଇନାମସକୁ ୱାକ୍‌ଓଭର ମିଳିଛି। ଇଷ୍ଟ ବେଙ୍ଗଲ ମ୍ୟାଚ୍ ଖେଳିବ ନାହିଁ ବୋଲି ଅବଶ୍ୟ ଏହି ଦଳ ଦିନକ ପୂର୍ବରୁ ଘୋଷଣା କରିଦେଇଥିଲା। ରବିବାର ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ୍ ପଶ୍ଚିମବଙ୍ଗର ପୁରୁଣା ଦଳ ମୋହନ ବାଗାନ ଖେଳିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ‌ହୋଇଯାଇଛି। ଫଳରେ ସୁପରକପ୍ ଦିନକୁ ଦିନ ତା’ର ଆକର୍ଷଣ ହରାଉଛି। ମୋହନ ବାଗାନ ମ୍ୟାଚ୍ ଖେଳିବନି ବୋଲି ଘୋଷଣା କରି ସାରିଥିବାରୁ ରବିବାର ‌ବେଙ୍ଗାଲୁରୁ ମଧ୍ୟ ୱାକ୍‌ଓଭର ପାଇବ।

ସୁପର କପ୍‌ରୁ ଓହରି ଯାଇଥିବା ଆଇଲିଗ୍ ଦଳଗୁଡ଼ିକର ଭାଗ୍ୟ ନିର୍ଧାରଣ ଏପ୍ରିଲ ୧୨ ତାରିଖରେ ହେବ। ପ୍ରତିଯୋଗିତାର ଫାଇନାଲ୍ ପୂର୍ବରୁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଏଫ୍)ର ଲିଗ୍ ସମିତି ବୈଠକରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସମିତି ବିଦ୍ରୋହୀ ଦଳଗୁଡ଼ିକୁ ବାସନ୍ଦ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତା’ ଛଡ଼ା ଦେଶ ସାରା ଖେଳା ଯାଉଥିବା ବିଭିନ୍ନ ଯୁବ ଲିଗର ପୁନର୍ଗଠନ ନିଷ୍ପତ୍ତି ମଧ୍ୟ ଏହି ବୈଠକରେ ନିଆଯିବ। ସମିତିର ମୁଖ୍ୟ ସୁବ୍ରତ ଦତ୍ତ, ଏଆଇଏଫ୍‌ଏଫ୍‌ର ବରିଷ୍ଠ ଉପସଭାପତି ଏବଂ ସହକାରୀ ମୁଖ୍ୟ ଲାଲନଘ୍ଲିନଗ୍ଲୋଭା ହମର, ସଦସ୍ୟ ଚିରାଗ ତନା, ରୋଚକ ଲାଙ୍ଗର, ବିକେ ରୋକା, ଅନୀଲ କୁମାର ଓ ସୌତେର ଭେଜ୍ ଏଥିଲାଗି ଭୁବନେଶ୍ବର ଆସିବେ। ସୂଚନାଯୋଗ୍ୟ ଯେ ୧୦ ଆଇଲିଗ୍ ଦଳମଧ୍ୟରୁ କେବଳ ଇଣ୍ଡିଆନ୍ ଆରୋଜ୍ ଏବଂ ରିଅଲ କଶ୍ମୀର ସୁପର କପ୍‌ରେ ଅଂଶଗ୍ରହଣ କରୁଛନ୍ତି। ଅନ୍ୟ ୮ ଦଳ ଏଥିରୁ ଓହରି ଯାଇଛନ୍ତି।

ସମ୍ବନ୍ଧିତ ଖବର